କ୍ରାଇମ

ଯୁବ କଂଗ୍ରେସ ନେତାଙ୍କୁ ନିର୍ମମ ହତ୍ୟା: ଭଡ଼ାଘର ଭିତରୁ କ୍ଷତାକ୍ତ ଶବ ଉଦ୍ଧାର, ୨ ସହ‌ଯୋଗୀ ଫେରାର – Utkal Mail


ଗୋପାଳପୁର/ବେଲଗୁଣ୍ଠା: ଗଞ୍ଜାମ ଜିଲ୍ଲା ଗୋପାଳପୁର ସହର ରେଉ ସାହିରେ ଏକ ଭଡ଼ାଘରୁ ଆଜି ସୋରଡ଼ା ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସର ପ୍ରାକ୍ତନ ସଭାପତି ଜଗନ୍ନାଥ ନାୟକ (୩୪)ଙ୍କ କ୍ଷତାକ୍ତ ଶବ ଉଦ୍ଧାର ହୋଇଛି। ବେଲଗୁଣ୍ଠା ବ୍ଲକ୍ ଓ ଗାଙ୍ଗପୁର ଥାନା ଅଧୀନ ଖଇରପୁଟି ଗ୍ରାମ ଭରତପୁର ସାହିର ମୂଳବାସିନ୍ଦା ଜଗନ୍ନାଥ ବେଲଗୁଣ୍ଠା ବ୍ଲକ୍‌ରେ ‘ସମୟ’ ଖବରକାଗଜର ପ୍ରତିନିଧି ଭାବେ କାର୍ଯ୍ୟରତ ଥିଲେ। ଗତ କିଛିମାସ ହେଲା ଗୋପାଳପୁରର ମେଫେୟାର୍ ଛକ ନିକଟରେ ଏକ ଫାଷ୍ଟଫୁଡ୍ ଦୋକାନ କରିଥିଲେ। ସେଠାରୁ ଆସି ୩ ମାସ ତଳେ ବେଳାଭୂମିରେ ଏକ ଫାଷ୍ଟଫୁଡ୍ ଦୋକାନ ଖୋଲିଥିଲେ। ମୃତ ଜଗନ୍ନାଥଙ୍କ ସ‌ହ କୁଲାଡ଼ ନିକଟସ୍ଥ ବାରୁଡ଼ା ଗ୍ରାମର ରାଜେଶ ପ୍ରଧାନ ଓ ଆସିକାର କାରିଗର ଜୟନ୍ତ ପଣ୍ଡା ରେଡ୍ଡୀକା ସାହିରେ ଏକ ଭଡ଼ାଘରେ ମିଶି ରହୁଥିଲେ।
୨୮ ତାରିଖ ସନ୍ଧ୍ୟା ୪ଟାରେ ସାନଭାଇ ପୂର୍ଣ୍ଣଚନ୍ଦ୍ର ମୋବାଇଲ୍ ଯୋଗେ ଜଗନ୍ନାଥଙ୍କ ସହ କଥାବାର୍ତ୍ତା କରିଥିଲେ। ତେବେ ୨୯ ତାରିଖ ଭୋର୍‌‌ରେ ଜଗନ୍ନାଥଙ୍କ ମୋବାଇଲ୍ ବନ୍ଦ ‌ହୋଇଯାଇଥିଲା। ଏହାସହ ଦୋକାନ ବି ଖୋଲି ନଥିଲା। ଫଳରେ ଗତ ଗୁରୁବାର ଦିନ ପୂର୍ଣ୍ଣଚନ୍ଦ୍ର ଓ ପରିବାରବର୍ଗ ବ୍ୟସ୍ତବିବ୍ରତ ହୋଇ ଗୋପାଳପୁରରେ ପହଞ୍ଚି ଖୋଜାଖୋଜି କରିଥିଲେ। କିନ୍ତୁ ତାଙ୍କ ପତ୍ତା ମିଳି ନଥିଲା। ଆଜି ପୂର୍ଣ୍ଣଚନ୍ଦ୍ର ପୁଣି ଆସି ଦେଖିବା ବେଳକୁ ଭଡ଼ାଘର ସାମ୍ନାରେ ଜଗନ୍ନାଥଙ୍କ ବାଇକ୍ ରଖାଯାଇଥିବା ବେଳେ ମୁଖ୍ୟଫାଟକରେ ତାଲା ପଡ଼ିଥିଲା। ଝରକା ଫାଙ୍କରୁ ଦୁର୍ଗନ୍ଧ ବାହାରୁଥିବାରୁ ଗୋପାଳପୁର ଥାନାରେ ତୁରନ୍ତ ଅଭିଯୋଗ କରାଯାଇଥିଲା। କନିଷି ଆସିଷ୍ଟାଣ୍ଟ୍ ତହସିଲଦାର ସୋମେଶ ରଣବୁଜିଙ୍କ ଉପସ୍ଥିତିଲେ ଗୋପାଳପୁର ଥାନା ଭାରପ୍ରାପ୍ତ ଆଇଆଇସି ବିବେକାନନ୍ଦ ମହନ୍ତ ସଦଳବଳେ ପହଞ୍ଚି ତାଲାକୁ ଭାଙ୍ଗିଥିଲେ। ପରେ ଘରର ଦ୍ବିତୀୟ କବାଟର ଫାଟକ ବାହାର କରି ଦେଖିବା ବେଳକୁ ଜଗନ୍ନାଥଙ୍କ ରକ୍ତଜୁଡ଼ୁବୁଡ଼ୁ ଶବ ମିଳିଥିଲା। ଶବ ନିକଟରେ ବଡ଼ପଥର, ବାଡ଼ି ଓ ଲୁହାରଡ୍ ପଡ଼ିଥିବା ବେଳେ ଶବକୁ ଘୋଡ଼ାଇ ଦିଆଯାଇଥିଲା। ଏହାସହ ଜଗନ୍ନାଥଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ତାଙ୍କ ମୋବାଇଲ୍ ବି ମିଳିଥିଲା।

ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ୍ କରିଛି। ଜଗନ୍ନାଥଙ୍କ ସୁନାମୁଦି ଓ ଚେନ୍ ନଥିବା ବେଳେ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପୂର୍ଣ୍ଣଚନ୍ଦ୍ର ଏତଲା‌ରେ ଦର୍ଶାଇଛନ୍ତି। ଏନେଇ ଗୋପାଳପୁର ଥାନାରେ କେସ୍ ନମ୍ବର ୪୯୬ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ତେବେ ଜଗନ୍ନାଥଙ୍କ ସହ ରହୁଥିବା ଆଉ ଦୁଇଜଣ ସହଯୋଗୀ ଫେରାର ହୋଇଯାଇଥିବାରୁ ସେମାନଙ୍କ ଭୂମିକା ଏବେ ସ‌ନ୍ଦେହ ଘେରକୁ ଆସିଛି। ଆଜି ସନ୍ଧ୍ୟାରେ ବ୍ରହ୍ମପୁର ଏସ୍‌ପି ଶରବଣା ବିବେକ ଏମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button