ଓଡିଶା

୧ ନଂ ହାଟ ସାମ୍ନା ରାସ୍ତାକୁ ଫେରିବ ପାର୍କିଂ, ଅସମ୍ଭାଳ ହେବ ଟ୍ରାଫିକ୍ ଭିଡ଼

ଭୁବନେଶ୍ୱର: ରାଜମହଲରୁ ଏଜି ଯିବା ରାସ୍ତାର ବାମପାର୍ଶ୍ବରେ ଅର୍ଥାତ୍ ଏକ ନଂ ହାଟ ସାମ୍ନାରେ ବାଇକ୍ ପାର୍କିଂ ପାଇଁ ନିଷ୍ପତ୍ତି ନେଇଛି ବିଏମ୍ସି। ଖୁବ୍ଶୀଘ୍ର ନିଲାମ୍ ଜରିଆରେ ଠିକା ସଂସ୍ଥା ଚୟନ କରାଯିବ। ପ୍ରବଳ ଟ୍ରାଫିକ୍ ସମସ୍ୟା ଯୋଗୁ ରାସ୍ତାର ଅପରପାର୍ଶ୍ବରେ ବହୁତଳ କାର୍ ପାର୍କିଂ(ଏମ୍ଏଲ୍ସିପି) ନିର୍ମାଣ କରାଯିବା ପରେ ଏହି ପାର୍କିଂ ବନ୍ଦ କରାଯାଇଥିଲା।

ଦୁଇ ବର୍ଷ ବନ୍ଦ ରହିବା ପରେ ପୁଣି ଥରେ ବିଧିବଦ୍ଧ ଭାବରେ ଏଠାରେ ପାର୍କିଂ ଆରମ୍ଭ ହେବ। ଅନ୍ୟପଟେ ଏଠାରେ ପାର୍କିଂ ବନ୍ଦ କରିବା ପରେ ମଧ୍ୟ ଲୋକମାନେ ଏମ୍ଏଲ୍ସିପିକୁ ଯାଉ ନଥିବାରୁ ସ୍ମାର୍ଟ ସିଟି ଚିନ୍ତାରେ ପଡ଼ିଥିଲା। କେବଳ ଚିନ୍ତାରେ ପଡ଼ିନଥିଲା ବରଂ ବେପାର ନ ହେବାରୁ ଦୁଇଟି ଠିକା ସଂସ୍ଥା ଛାଡ଼ି ଚାଲି ଯାଇଥିଲେ। ଏଠାରେ ପାର୍କିଂ ବଢ଼ାଇବା ପାଇଁ ରାସ୍ତାକଡ଼ ବେଆଇନ ପାର୍କିଂ ଉପରେ ସ୍ମାର୍ଟ ସିଟି ଚଢ଼ଉ ଜାରି ରଖିଥିଲା। ହେଲେ ବିଏମ୍ସିର ଏଭଳି ନିଷ୍ପତ୍ତି ପରେ ଏବେ ଚିନ୍ତା ବଢ଼ିଛି। ଏ ନେଇ ସ୍ମାର୍ଟ ସିଟିକୁ ମଧ୍ୟ ଅବଗତ କରାଯାଇ ନାହିଁ। ଏଭଳି ଏକ ନିଷ୍ପତ୍ତି ଏବେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି।

ଅସମ୍ଭାଳ ହେବ ଟ୍ରାଫିକ୍ ଭିଡ଼
ବରବାଦ ହେବ ଏମ୍ଏଲ୍ସିପି

୧ ନମ୍ବର ହାଟ ଦୈନିକ ହାଟ ହୋଇଥିବାରୁ ପ୍ରତିଦିନ ଏଠାରେ ପ୍ରବଳ ଭିଡ଼ ହୁଏ। ଗ୍ରାହକଙ୍କ ସହ ବେପାରୀଙ୍କର ସାରା ଦିନ ଯିବାଆସିବା ଲାଗି ରହିଥାଏ। ରାସ୍ତାକୁ ଲାଗି ରହିଥିବା ନାଳ ପରେ ପରେ ଏଠାରେ ଏକ ବଡ଼ ପାର୍କିଂ ଜାଗା ରହିଛି। ବଏମ୍ସି ଏହାକୁ ନିଲାମ ଦେଇଥିବାରୁ ଏଠାରେ ବିଧିବଦ୍ଧ ଭାବରେ ପାର୍କିଂ ହେଉଛି। ଏଠାରେ ପ୍ରାୟ ୪ଶହରୁ ୫ଶହ ଗାଡ଼ି ରହିବା ଭଳି ବ୍ୟବସ୍ଥା ରହିଛି। ତଥାପି ରାସ୍ତା ଉପରେ ପାର୍କିଂ ଆରମ୍ଭ କରିବାକୁ ଯୋଜନା ହୋଇଛି। କ୍ୟାପିଟାଲ୍ ଥାନା ପାଚେରୀକୁ ଲାଗି ଯେଉଁ ରାସ୍ତା ରହିଛି ସେହି ରାସ୍ତା ଦେଇ ବାଇକ୍ ଯାଇ ସେଠାରେ ପାର୍କିଂ ହୁଏ ଓ ସେହି ରାସ୍ତା ଦେଇ ଫେରେ। ଏହି ପାର୍କିଂରୁ ବାହାରିବା ପରେ ସମସ୍ତ ଗାଡ଼ି ଏଜି ଛକ ଆଡ଼କୁ ହିଁ ଯାଏ। ହାଟ ପରେ ପରେ ଏକ ପେଟ୍ରୋଲ ଟାଙ୍କି ରହିଛି। ପ୍ରତ୍ୟହ ଶହଶହ ଗାଡ଼ି ଏହି ଭିତରକୁ ପଶୁଥାଏ ଓ ବାହାରୁଥାଏ। କ୍ୟାପିଟାଲ ଥାନା ଓ ପେଟ୍ରୋଲ୍ ଟାଙ୍କି ମଝିରେ ଯେଉଁ ଜାଗା ରହିଲା ସେଥିରେ ଶହ ଶହ ବୁଲା ବିକାଳି ଫୁଟ୍ପାଥ ସହ ରାସ୍ତାର ଅଧା ପର୍ଯ୍ୟନ୍ତ ମାଡ଼ି ବସିଥାନ୍ତି। ଏବେ ଏହି ଜାଗାରେ ହିଁ ପାର୍କିଂ ହେବ। ବୁଲା ବିକାଳିଙ୍କୁ ମଧ୍ୟ ହଟାଯାଇ ପାରିବ ନାହିଁ। ଫଳରେ ଭୟଙ୍କର ପରିସ୍ଥିତି ଉପୁଜିବ। ରାଜମହଲରୁ ଏଜି ପର୍ଯ୍ୟନ୍ତ ପହଞ୍ଚିବାକୁ ଗାଡ଼ି ଚାଳକ ସଂଘର୍ଷ କରିବେ।

ପୂର୍ବରୁ ଏଭଳି ସମସ୍ୟା ଉପୁଜିବାରୁ ପାର୍କିଂ ବନ୍ଦ ହେବା ସହ ରାସ୍ତାର ବିପରୀତ ପାର୍ଶ୍ବରେ ବହୁତଳ ପାର୍କିଂ ପ୍ରସ୍ତୁତ ହୋଇଥିଲା। ଲୋକମାନେ ଏହି ବହୁତଳ ପାର୍କିଂରେ ଗାଡ଼ି ରଖି ୧ ନମ୍ବର ହାଟକୁ ଯିବା ପାଇଁ ଭୂତଳ ରାସ୍ତା ବ୍ୟବହାର କରିବେ। ଭୂତଳ ରାସ୍ତା ସାମ୍ନାରେ ଥିବା ଜବରଦଖଲକୁ ମଧ୍ୟ ହଟା ଯାଇଥିଲା। ଏହାକୁ ନିଶ୍ଚିତ କରିବା ପାଇଁ ଉଭୟ ପଟେ ଅନ୍ଷ୍ଟ୍ରିଟ୍ ପାର୍କିଂ ବନ୍ଦ ହୋଇଥିଲା। ସ୍ମାର୍ଟ ସିଟି ସ୍ବତନ୍ତ୍ର ଟିମ୍ ଜରିଆରେ ବେଆଇନ ଭାବେ ପାର୍କିଂ ହୋଇଥିବା ଗାଡ଼ିକୁ ଜବତ କରୁଥିଲା। କିନ୍ତୁ ହଠାତ୍ ବିଏମ୍ସି ଏଭଳି ନିଷ୍ପତ୍ତି ନେଇଛି। ବ୍ୟବସାୟୀଙ୍କ କହିବା କଥା ହେଉଛି, ପାର୍କିଂ ପାଇଁ ଯେଉଁ ଜାଗା ଅଛି ସେଠାରେ ପ୍ରାୟ ୫ଶହ ଗାଡ଼ି ପାର୍କିଂ ବ୍ୟବସ୍ଥା ଅଛି। ମାର୍କେଟରେ ୧୪୦୦ ବ୍ୟବସାୟୀ ଅଛନ୍ତି। ପ୍ରତିଦିନ ଶହଶହ ଗ୍ରାହକ ଆସନ୍ତି। ଏଣୁ ଏହି ଜାଗା ଯଥେଷ୍ଟ ହେଉ ନାହିଁ। ୟୁନିଟ୍-୧ କଞ୍ଚା ପରିବା ହାଟ ବ୍ୟବସାୟୀ ମହାସଂଘ ସଭାପତି କବିରାଜ ସ୍ୱାଇଁ କହିଛନ୍ତି, ପାର୍କିଂ ପାଇଁ ମଞ୍ଜୁରୀ ମିଳିବା ପରେ ହାଟରେ ଗ୍ରାହକଙ୍କ ସଂଖ୍ୟା ବଢ଼ିଛି। ଗୋଟେ ପଟେ ପାର୍କିଂ ଓ ଅନ୍ୟ ପଟେ ଜବରଦଖଲ ଯୋଗୁଁ ମାର୍କେଟକୁ ରାସ୍ତା ସଙ୍କୁଚିତ ହୋଇଯାଇଛି। ମାର୍କେଟକୁ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଥିବା ୨୦ ଫୁଟିଆ ରାସ୍ତାରେ ବହୁ ବ୍ୟବସାୟୀ ବେଆଇନ ଭାବରେ ପସରା ମେଲାଇଥିବାରୁ ସମସ୍ୟା ହେଉଛି। ଏଣୁ ଏହାକୁ ଜବରଦଖଲ ମୁକ୍ତ କରାଯାଉ।

Related Articles

Leave a Reply

Your email address will not be published. Required fields are marked *

Back to top button