ଦେଶ ବିଦେଶ

ମୁମ୍ବାଇ ସମୁଦ୍ରରେ ବୋଟ୍‌ ବୁଡ଼ି ୧୩ ମୃତ

ମୁମ୍ବାଇ: ମୁମ୍ବାଇ ଗେଟ୍‌ୱେ ଅଫ୍‌ ଇଣ୍ଡିଆ ଠାରୁ ଏଲିଫାଣ୍ଟା ଦ୍ବୀପକୁ ପ୍ରାୟ ୧୧୦ ଯାତ୍ରୀଙ୍କୁ ନେଇ ଆରବ ସାଗରରେ ଯାଉଥିବା ଏକ ଯାତ୍ରୀବାହୀ ବୋଟ୍‌ ବୁଡ଼ିଯାଇଛି। ନୌସେନାର ଏକ ସ୍ପିଡ୍ ବୋଟ୍‌ ଇଞ୍ଜିନ ପରୀକ୍ଷଣ ବେଳେ ତାହା ନିୟନ୍ତ୍ରଣ ହରାଇ ଯାତ୍ରୀବାହୀ ବୋଟ୍‌ ସହ ପିଟି ହୋଇ ବୁଡ଼ିଯାଇଥିଲା। ଏହି ଦୁର୍ଘଟଣାରେ ୩ ‌ନୌସେନା କର୍ମଚାରୀଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ୧୦୧ ଜଣଙ୍କୁ ଉଦ୍ଧାର କରାଯାଇଛି। ଅପରାହ୍ଣ ପ୍ରାୟ ୪ଟା ବେଳେ ହୋଇଥିଲା। ଏହି ଦୁର୍ଘଟଣାରେ ମୃତକଙ୍କ ପିଛା ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଏହି ଘଟଣାରେ ଶୋକବ୍ୟକ୍ତ କରିଛନ୍ତି। ଏହି ଦ୍ବୀପଟି ମୁମ୍ବାଇର ଦକ୍ଷିଣ ପୂର୍ବ ତଟରୁ ପ୍ରାୟ ୧୦ କିମି ଦୂରରେ ଅବସ୍ଥିତ।

୧୩ ମୃତ, ୧୦୧ ଜଣ ଉଦ୍ଧାର
୫ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ଫଡ଼ନାବିସ

ମୁମ୍ବାଇ: ମୁମ୍ବାଇ ନିକଟ ଆରବ ସାଗରରେ ଆଜି ଏକ ବଡ଼ଧରଣର ଦୁର୍ଘଟଣା ହୋଇଛି। ଗେଟ୍‌ୱେ ଅଫ୍‌ ଇଣ୍ଡିଆ ଠାରୁ ଏଲିଫାଣ୍ଟା ଦ୍ବୀପକୁ ପ୍ରାୟ ୧୧୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବୋଟ୍‌ ଆରବସାଗରରେ ଡୁବିଯାଇଛି। ଏଥିରେ ୩ ‌ନୌସେନା କର୍ମଚାରୀଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ନୌସେନା, ଭାରତୀୟ ତଟରକ୍ଷୀ ବାହିନୀ, ମୁମ୍ବାଇ ପୁଲିସ, ଜବାହରଲାଲ ‌ନେହରୁ ବନ୍ଦର କର୍ତ୍ତୃପକ୍ଷଙ୍କ ମିଳିତ ଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୧୦୧ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ଦୁର୍ଘଟଣା ସମୟର ଭିଡ଼ିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।

ବ୍ରିହନ୍‌ମୁମ୍ବାଇ ପୌର ନିଗମ ପକ୍ଷରୁ ଜାରି ସୂଚନାନୁସାରେ, ଅପରାହ୍‌ଣ ୩ଟା୧୫ ମିନିଟ୍‌ରେ ନୀଳକମଳ ନାମକ ବୋଟ୍‌ରେ ଯାତ୍ରୀମାନେ ଏଲିଫାଣ୍ଟା ଦ୍ବୀପକୁ ଯାତ୍ରା ଆରମ୍ଭ କରିଥିଲେ। ପ୍ରାୟ ୪ଟା ବେଳେ ଦ୍ବୀପ ଠାରୁ ଅନତି ଦୂର କରଞ୍ଜା ନିକଟରେ ବୋଟ୍‌ଟିକୁ ନୌସେନାର ଏକ ‘ସ୍ପିଡ୍‌ ବୋଟ୍‌’ ଧକ୍କା ଦେଇଥିଲା। ସ୍ପିଡ୍‌ବୋଟ୍‌ରେ ୪ ଜଣ ‌ନୌସେନା କର୍ମଚାରୀ ଥିଲେ। ଧକ୍କା ଯୋଗୁଁ ଯାତ୍ରୀବାହୀ ବୋଟ୍‌ ପାଣିରେ ଡୁବିଯାଇଥିଲା। ଉଦ୍ଧାର କାର୍ଯ୍ୟରେ ୧୧ ନୌସେନା ବୋଟ୍‌, ୩ଟି ସାମୁଦ୍ରିକ ପୁଲିସ ବୋଟ୍‌, ତଟରକ୍ଷୀ ବାହିନୀର ଗୋଟିଏ ବୋଟ୍‌, ୪ଟି ‌ହେଲିକପ୍ଟର ନିୟୋଜିତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ମତ୍ସଜୀବୀମାନେ ମଧ୍ୟ ସାମିଲ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୧୦୧ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ଜେଏନ୍‌ପିଟି, ନାଭାଲ୍‌ ଡକ୍‌ୟାର୍ଡ, ଅଶ୍ବିନୀ ଓ ସେଣ୍ଟ୍‌ ଜଜ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ୧୩ଜଣଙ୍କ ମୃତ୍ୟୁ ଘଟିଛି। ୫ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ନିଖୋଜ ଥିବା ୯ଜଣଙ୍କୁ ଉଦ୍ଧାର ପାଇଁ ଅଭିଯାନ ଜାରି ରହିଛି। ଏନେଇ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ବିଧାନସଭାରେ ତଥ୍ୟ ରଖିଛନ୍ତି। ବୋଟ୍‌ଟି ଏଲିଫାଣ୍ଟା ଦ୍ବୀପ ନିକଟରେ ନୌସେନାର ଏକ ବୋଟ୍‌ ସହ ଧକ୍କ ହେବା ପରେ ବୁଡ଼ିଯାଇଛି। ନୌସେନା ବୋଟ୍‌ଟି ‘ଇଂଜିନ୍‌ ପରୀକ୍ଷଣ’ କରୁଥିବା ବେଳେ ନିୟନ୍ତ୍ରଣ ହରାଇ ଯାତ୍ରୀବାହୀ ବୋଟ୍‌କୁ ଧକ୍କା ଦେଇଥିଲା। ଆସନ୍ତାକାଲି ସୁଦ୍ଧା ନିଖୋଜ ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ରଖିବି ବୋଲି ଫଡନାବିସ୍‌ କହିଛନ୍ତି। ମୁଖ୍ୟମନ୍ତ୍ରୀ ଫଡ଼ନାବିସ ମୃତକମାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ ନେଇ ଘୋଷଣା କରିଛନ୍ତି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଏହି ଘଟଣାରେ ଶୋକବ୍ୟକ୍ତ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button