ନୀତି

ପରିବାରର ୬ଜଣଙ୍କୁ ହତ୍ୟା କରି ସୈତାନ ପାଲଟିଯାଇଥିଲେ ଜଲି – Utkal Mail


ତିରୁବନନ୍ତପୁରମ: ପ୍ରଛଦ ଫଟୋରେ ଆପଣ ଦେଖୁଥିବା ମହିଳାଙ୍କ ହସ କେତେ ସୁନ୍ଦର କହିଲେ | କିନ୍ତୁ ଜାଣିଛନ୍ତି କି ଏହି ହସୁଥିବା ମଣିଷ ଭିତରେ ଏମିତି ଏକ ସୈତାନ ଲୁଚି ରହିଥିଲା | ଏହି ମହିଳାଜଣକ ସମ୍ପତ୍ତି ପାଇଁ ତାଙ୍କ ପରିବାରର ୬ ଜଣ ସଦସ୍ୟଙ୍କୁ ହତ୍ୟା କରିଥିଲେ | ତେବେ ତାଙ୍କ ହତ୍ୟାକାଣ୍ଡର କାହାଣୀ ଦୀର୍ଘ ୧୪ ବର୍ଷ ପରେ ହିଁ ଜଣାପଡିଥିଲା | କବର ଖୋଳାଯାଇ ଯେତେବେଳେ ମୃତଦେହର ବ୍ୟବଛେଦ କରାଯାଇଥିଲା ସେତେବେଳେ ହିଁ ସୁନ୍ଦରୀଙ୍କ ଅସୁନ୍ଦର କାହାଣୀ ବାବଦରେ ଜଣାପଡିଥିଲା | ୨୦୧୯ ମସିହାରେ ଏହି ଘଟଣା ବାବଦରେ ଯେତେବେଳେ ଜଣାପଡିଥିଲା ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା | ମହିଳାଜଣକ ୨୦୦୨ ମସିହାରୁ ଆରମ୍ଭ କରି ୨୦୧୬ ମସିହା ପର୍ଯ୍ୟନ୍ତ ହତ୍ୟା କରିଚାଲିଥିଲେ | ୧୪ ବର୍ଷ ମଧ୍ୟରେ, ଏହି ମହିଳା ଜଣକ ତାଙ୍କ ଶାଶୁ, ଶ୍ୱଶୁର, ସ୍ୱାମୀ, ମଉସା, ଦିଅରଙ୍କ ପତ୍ନୀ ଓ ତାଙ୍କ କୁନି ଝିଅଙ୍କୁ ପୋଟାସିୟମ ସିଆନାଇଡ୍ ଦେଇ ହତ୍ୟା କରିଥିଲେ | କେରଳର କୋଝିକୋଡ, କୁଡଥାଇରେ ରହୁଥିବା ଏହି ଅଭିଯୁକ୍ତ ମହିଳାଙ୍କ ନାମ ଜଲି ଥୋମାସ୍। ତାଙ୍କୁ ୨୦୧୯ରେ ଗିରଫ କରାଯାଇଥିଲା। ଜଲି ୧୯୯୭ରେ ରୟ ଥୋମାସଙ୍କୁ ବିବାହ କରିଥିଲେ।

ଉଭୟଙ୍କର ମଧ୍ୟ ଦୁଇଟି ସନ୍ତାନ ଥିଲେ। ଜଲି ତାଙ୍କ ଶାଶୁ, ସ୍ୱାମୀ ଏବଂ ଦୁଇ ପିଲାଙ୍କ ସହ ଅତ୍ୟନ୍ତ ଆରାମରେ ରହୁଥିଲେ | କିନ୍ତୁ ତାଙ୍କ ମନରେ ଏକ ଭୟଙ୍କର ଯୋଜନା ଚାଲିଥିଲା ​​| ପୁଲିସର ସୂଚନାନୁସାରେ, ସେ ସବୁ ସମ୍ପତ୍ତି ନିଜ ନାମରେ କରିବାକୁ ଚାହୁଁଥିଲେ ଏବଂ ପରେ ଆରାମଦାୟକ ଜୀବନଯାପନ କରିବାକୁ ଚାହୁଁଥିଲେ। ୨୦୦୨ରେ ଦିନେ ସନ୍ଧ୍ୟାରେ ଜଲି ତାଙ୍କ ଶାଶୁ ଅନାମା ଥୋମାସଙ୍କୁ ମଟନ୍ ସୁପ୍ ପିଇବାକୁ ଦେଇଥିଲେ। ସୁପ୍ ପିଇବା ପରେ ତୁରନ୍ତ ତାଙ୍କର ମୃତ୍ୟୁ ହୋଇଥିଲା। ଜଲିଙ୍କ ଶାଶୁ ଜଣେ ଅବସରପ୍ରାପ୍ତ ଶିକ୍ଷକ ଥିଲେ। ସମସ୍ତେ ଭାବୁଥିଲେ ଯେ ହୃଦଘାତ ଯୋଗୁଁ ଏହା ଘଟିଛି | ଏହି ମୃତ୍ୟୁର ଛଅ ବର୍ଷ ପରେ, ୨୦୦୮ରେ, ଜଲିଙ୍କ ଶ୍ୱଶୁର ଖାଦ୍ୟ ଖାଇବା ପରେ ଚେତା ହରାଇଥିଲେ | ସେ ବାନ୍ତି କରିବା ପରେ ତାଙ୍କର ମୃତ୍ୟୁ ହେଲା। ସମସ୍ତେ ମଧ୍ୟ ଏହାକୁ ବୟସାଧିକ୍ୟ ଯୋଗୁଁ ମୃତ୍ୟୁ ବୋଲି ବିବେଚନା କଲେ | ତା’ପରେ ୨୦୧୧ରେ ଜଲିଙ୍କ ସ୍ୱାମୀ ରୟ ଥୋମାସଙ୍କ ବାଥରୁମରୁ ମୃତଦେହ ମିଳିଥିଲା । ସମସ୍ତେ ଭାବିଲେ ବାଥରୁମରେ ତାଙ୍କର ମୃତ୍ୟୁ ହୋଇଯାଇଛି | ଥୋମାସ ପରିବାରରେ ସନ୍ଦେହଜନକ ପରିସ୍ଥିତିରେ ତିନି ଜଣଙ୍କ ମୃତ୍ୟୁ ପରେ, ରୟଙ୍କ ମାମୁ ଏମ.ଏମ ମାଥ୍ୟୁ ପୁଲିସ ତଦନ୍ତ ପ୍ରସଙ୍ଗ ଉଠାଇଥିଲେ। ମାମୁ ମାଥ୍ୟୁଙ୍କ ସନ୍ଦେହ ପରେ ରୟ ଥୋମାସଙ୍କ ପୋଷ୍ଟମର୍ଟମ କରାଯାଇଥିଲା ଏବଂ ରିପୋର୍ଟରେ ଜଣାପଡିଥିଲା ଯେ ବିଷଜନିତ କ୍ରିୟାରୁ ତାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ହତ୍ୟାକାରୀକୁ ପୁଲିସ ଖୋଜି ପାଇ ନଥିଲା। ପଡ଼ୋଶୀଙ୍କ ବିବୃତ୍ତି ଆଧାରରେ ପୁଲିସ କହିଥିଲା ଯେ ପରିବାରରେ କାହାର ବି ମୃତ୍ୟୁ ପରେ ଜଲି ଏମିତି କାନ୍ଦୁଥିଲେ ଯେ ତାଙ୍କୁ କେହି ସନ୍ଦେହ କଲେ ନାହିଁ |

କିନ୍ତୁ ଗୋଟିଏ ବିଶେଷ କଥା ହେଲା ପ୍ରତ୍ୟେକଙ୍କ ମୃତ୍ୟୁ ସମୟରେ ସେ ଘରେ ଏକୁଟିଆ ରହିଥିଲେ। ଏହି କଥାଟି ମାମୁଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା ​​| ତେବେ ୨୦୧୪ ମସିହାରେ ଜଲି ପାଟି କରି ସମସ୍ତଙ୍କୁ ଜଣାଇଲେ ଯେ ମାମୁ ମାଥ୍ୟୁ ଚେତାଶୂନ୍ୟ ହୋଇଯାଇଛନ୍ତି। ପଡୋଶୀମାନେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଲେ, କିନ୍ତୁ ତାଙ୍କୁ ବଞ୍ଚାଯାଇ ପାରି ନଥିଲା। ଏହି ପରିବାରର ପଞ୍ଚମ ମୃତ୍ୟୁ ମଧ୍ୟ ୨୦୧୪ରେ ଘଟିଥିଲା। ସେହିପରି ୨୦୧୬ ମସିହାରେ ଜଲିଙ୍କ ଦିଅରଙ୍କ ସ୍ତ୍ରୀ ଓ ତାଙ୍କ କୁନି ଝିଅର ମୃତଦେହ ମିଳିଥିଲା | ତେବେ ଏସବୁ ମୃତ୍ୟୁକୁ ନେଇ ଆମେରିକାରେ ରହୁଥିବା ଅନ୍ୟ ଏକ ଦିଅରଙ୍କର ସନ୍ଦେହ ହୋଇଥିଲା | ସେ ପୁଲିସ ନିକଟରେ ଏକ ମାମଲା ଦାୟର କରିଥିଲେ ଏବଂ ମାମଲାର ଫାଇଲ ଖୋଲାଯାଇଥିଲା। ଏହାପରେ ୬ ଜଣଙ୍କ କବର ଖନନ କରାଯାଇଥିଲା ଏବଂ ମୃତଦେହର ସିଏଫଏଲ ପରୀକ୍ଷା କରାଯାଇଥିଲା। ଏଥର ଏହା ସ୍ପଷ୍ଟ ହୋଇଗଲା ଯେ ଥୋମାସ ପରିବାରର ସମସ୍ତ ୬ଜଣଙ୍କୁ ସିଆନାଇଡ୍ ଦେଇ ହତ୍ୟା କରାଯାଇଥିଲା। ୨୦୧୯ରେ ପୁଲିସ ଜଲିଙ୍କୁ ସନ୍ଦେହରେ ଅଟକାଇ ପଚରାଉଚରା କରିଥିଲା। ଜଲି ସବୁ ଓଗାଳିଦେଇଥିଲେ | ଏହାପରେ ତାଙ୍କୁ ଗିରଫ କରାଯାଇଥିଲା |




Related Articles

Leave a Reply

Your email address will not be published. Required fields are marked *

Back to top button