ଆକବରୁଦ୍ଦିନ ଅୱେସିଙ୍କ ଦାବି: ‘ଦଳାଚକଟା ପରେ ଫିଲ୍ମ ହିଟ୍ ହେବ’ କହିଥିଲେ ଅଲ୍ଲୁ ଅର୍ଜୁନ
ହାଇଦ୍ରାବାଦ: ହାଇଦ୍ରାବାଦରେ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବ୍ଲକ୍ବଷ୍ଟର ଫିଲ୍ମ ‘ପୁଷ୍ପା-୨: ଦ ରୁଲ୍’ର ପ୍ରିମିୟରରେ ହୋଇଥିବା ଦଳାଚକଟା ନେଇ ବିବାଦ ଥମୁନି। ଅଲ୍ଲୁଙ୍କ ‘ସମ୍ବେଦନହୀନ ଆଚରଣ ଏବଂ ଦାୟିତ୍ୱହୀନତା’ ନେଇ ଏଆଇଏମ୍ଆଇଏମ୍ ବିଧାୟକ ଆକବରୁଦ୍ଦିନ ଅୱେସି ତାଙ୍କୁ ସମାଲୋଚନା କରିଛନ୍ତି। ତେଲେଙ୍ଗାନା ବିଧାନସଭାରେ ଅୱେସି ଅଭିଯୋଗ କରିଛନ୍ତି ଯେ, ଧସ୍ତାଧସ୍ତିରେ ଜଣେ ମହିଳାଙ୍କ ମୃତ୍ୟୁ ସତ୍ତ୍ୱେ ଅଲ୍ଲୁ ଅର୍ଜୁନ ଫିଲ୍ମ ଦେଖିଥିଲେ ଏବଂ ଯିବା ସମୟରେ ତାଙ୍କ ପ୍ରଶଂସକମାନଙ୍କୁ ହାତ ହଲାଇ ଖୁସି ଜାହିର କରିଥିଲେ। ଅଭିନେତାଙ୍କ ନାମ ନ ନେଇ ଅୱେସି ଦାବି କରିଛନ୍ତି ଯେ ଯେତେବେଳେ ଅଲ୍ଲୁ ଅର୍ଜୁନଙ୍କୁ ଦଳାଚକଟା ଓ ଜଣେ ମହିଳାଙ୍କ ମୃତ୍ୟୁ ବିଷୟରେ ସୂଚନା ଦିଆଯାଇଥିଲା, ସେତେବେଳେ ସେ କହିଥିଲେ ‘ଏବେ ଫିଲ୍ମ ହିଟ୍ ହେବ’।
ଗତ ଡିସେମ୍ବର ୪ ତାରିଖରେ ଅଲ୍ଲୁ ଅର୍ଜୁନ ଓ ତାଙ୍କ ସହଅଭିନେତ୍ରୀ ରଶ୍ମିକାଙ୍କ ଝଲକ ଦେଖିବା ପାଇଁ ବହୁ ସଂଖ୍ୟାରେ ପ୍ରଶଂସକ ‘ସନ୍ଧ୍ୟା ଥିଏଟର’ରେ ଭିଡ଼ ଜମାଇଥିଲେ। ଦଳାଚକଟାରେ ଘଟଣାରେ ଜଣେ ୩୯ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଥିଏଟର ପରିଚାଳକଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନ ଥିବା ପୁଲିସ କହିଛି। ସୂଚନାଯୋଗ୍ୟ, ଏହି ଘଟଣାରେ ଅଲ୍ଲୁ ଅର୍ଜୁନଙ୍କୁ ଡିସେମ୍ବର ୧୩ ତାରିଖରେ ତାଙ୍କ ବାସଭବନରୁ ଗିରଫ କରାଯାଇଥିଲା। ନିମ୍ନ ଅଦାଲତ ଅଭିନେତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ, କିନ୍ତୁ ସେହିଦିନ ତେଲେଙ୍ଗାନା ହାଇକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ।