ବାଂଲାଦେଶୀଙ୍କ ପ୍ରତି ନଜର ଅଛି, ପାଟ୍ରୋଲିଂ ବଢ଼ାଇବାକୁ ସାମୁଦ୍ରିକ ଥାନାକୁ ଜାରି ହୋଇଛି ନିର୍ଦ୍ଦେଶ

ଭୁବନେଶ୍ବର: ବାଂଲାଦେଶରେ ହିଂସା ପରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଦେଶ ଛାଡି ଭାରତରେ ଆଶ୍ରୟ ନେଇଛନ୍ତି। ସେଠାରେ ଭୟଙ୍କର ସ୍ଥିତି ଲାଗି ରହିଥିବାରୁ ଭାରତକୁ ଅନୁପ୍ରବେଶ ଆଶଙ୍କା ରହିଛି। ବାଂଲା ଅନୁପ୍ରବେଶକାରୀଙ୍କ ଆବାସସ୍ଥଳୀ କେନ୍ଦ୍ରାପଡ଼ା ଉପକୂଳ ଅଞ୍ଚଳରେ ଏବେ ଅନୁପ୍ରବେଶ ଆଶଙ୍କା ବଢ଼ିଛି। ବାଂଲାଦେଶ ହିଂସା ପରେ ସାମୁଦ୍ରିକ ଥାନାକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବାଂଲାଦେଶୀଙ୍କ ପ୍ରତି ନଜର ରଖାଯାଇଥିବା କହିଛନ୍ତି ପୁଲିସ ଡିଜି। ସମୁଦ୍ର ପଥରେ ବୋଟ୍ ଯୋଗେ ଆସିବା ସମ୍ଭାବନା ଥିବାରୁ ନଜର ରହିଛି। ପାଟ୍ରୋଲିଂ ବଢ଼ାଇବାକୁ ୧୮ଟି ସାମୁଦ୍ରିକ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ାକୁ ବିଶେଷ ଭାବେ ଆଲର୍ଟ କରାଯାଇଛି । ସମୁଦ୍ରରେ ୫ ନଟିକାଲ ମାଇଲ୍ ପର୍ଯ୍ୟନ୍ତ ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ସବୁ ସାମୁଦ୍ରିକ ଥାନାକୁ ଅଧିକ ଷ୍ଟାଫ୍ ଓ ସହଯୋଗ ଯୋଗାଇ ଦିଆଯାଇଛି । ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ହୋଇଛି, କଡ଼ା ନଜର ରଖାଯାଇଛି ବୋଲି ଡିଜିପି କହିଛନ୍ତି।