ଝାରପଡ଼ା ଜେଲ୍ରେ ସାଂଘାତିକ ଅନିୟମିତତା: ଜାମିନ ପାଇଲା ଠକେଇ ଅଭିଯୁକ୍ତ, ମୁକୁଳିଲା ଦୁଷ୍କର୍ମକାରୀ – Utkal Mail
ଡିଆଇଜିଙ୍କ ଖୋଳତାଡ଼, ଛୁଟିଦିନରେ ହେଲା ମୁଲାକାତ୍
ଭୁବନେଶ୍ବର: ରାଜ୍ୟର ସବୁଠୁ ହାଇପ୍ରୋଫାଇଲ ଓ ହାଇ ସିକ୍ୟୁରିଟି ଜେଲ୍ କୁହା ଯାଉଥିବା ଭୁବନେଶ୍ବରସ୍ଥିତ ଝାରପଡ଼ା ସ୍ବତନ୍ତ୍ର ଜେଲ ପୁଣି ଚର୍ଚ୍ଚାରେ। ଜାମିନ ପାଇଥିବା ଜଣେ କଏଦୀଙ୍କୁ ଛାଡ଼ିବା ବଦଳରେ ଆଉ ଜଣେ କଏଦୀଙ୍କୁ କର୍ମଚାରୀ ଖଲାସ କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାରେ ଜେଲ୍ କର୍ତ୍ତୃପକ୍ଷଙ୍କ ସାଂଘାତିକ ତ୍ରୁଟି ପଦାକୁ ଆସିଛି। ଝାରପଡ଼ା ଜେଲରେ ଆରମ୍ଭ ହୋଇଛି ଖୋଳତାଡ଼। ଆଜି ଜେଲ୍ ଡିଆଇଜି ଗରିବ ସାହୁ ଝାରପଡ଼ା ଜେଲକୁ ଯାଇ ରିଲିଜ୍ ରେଜିଷ୍ଟର୍ ଓ ଅନ୍ୟ କାଗଜପତ୍ର ଯାଞ୍ଚ କରିଛନ୍ତି। ତଦନ୍ତ ସାରି ଫେରିବା ପରେ ଡିଆଇଜି ଶ୍ରୀ ସାହୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, କେମିତି ଓ କେଉଁ ପରିସ୍ଥିତିରେ ଏତେ ବଡ଼ ତ୍ରୁଟି ହେଲା ସେ ନେଇ ଯାଞ୍ଚ କରାଯାଉଛି। ସୁପରିଣ୍ଟେଣ୍ଡେଣ୍ଟ, ଜେଲର, ଆସିଷ୍ଟାଣ୍ଟ ଜେଲର, ମୁଖ୍ୟ ଵାର୍ଡର ଓ ଦାୟିତ୍ବରେ ଥିବା ଵାର୍ଡରଙ୍କୁ ତଦନ୍ତ ପରିସରକୁ ନିଆଯାଇଛି। ସେମାନଙ୍କ ବୟାନ ରେକର୍ଡ କରାଯାଇଛି। ତଦନ୍ତ ଶେଷ ହେବା ପରେ ଜେଲ ଡିଜିଙ୍କ ପାଖରେ ରିପୋର୍ଟ ଦାଖଲ କରାଯିବ। ଯିଏ ଦୋଷୀ ପ୍ରମାଣିତ ହେବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ମିଳିଥିବା ସୂଚନା ଅନୁସାରେ, ଏକ ଠକେଇ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲରେ ବନ୍ଦୀ ଥିବା ରମେଶ ଚନ୍ଦ୍ର ଜେନା (ପିତା-ପୂର୍ଣ୍ଣଚନ୍ଦ୍ର ଜେନା) ଗତ ସପ୍ତାହରେ ଜାମିନ ପାଇଥିଲେ। ଗତ ୨୦ ତାରିଖରେ ତାଙ୍କର ରିଲିଜ୍ ଅର୍ଡର ଜେଲକୁ ଆସିଥିଲା। କିନ୍ତୁ ଏକ ଦୁଷ୍କର୍ମ ମାମଲାର ଅଭିଯୁକ୍ତ ଥିବା ରମେଶ ଜେନା (ପିତା-ଲକ୍ଷ୍ମୀଧର ଜେନା)ଙ୍କୁ ଏହି ରିଲିଜ୍ ଅର୍ଡର ବଳରେ ଜେଲରୁ ମୁକୁଳା ଯାଇଥିଲା। ଗତକାଲି ଯେତେବେଳେ କୋର୍ଟକୁ ଯିବା ପାଇଁ ଗାଡ଼ି ଆସିଥିଲା, ସେତେବେଳେ ଦୁଷ୍କର୍ମ ମାମଲାର ଅଭିଯୁକ୍ତ ରମେଶ ଜେନାଙ୍କର ତାରିଖ ଥିଲା। କିନ୍ତୁ ଠକେଇ ମାମଲାର ଅଭିଯୁକ୍ତ ରମେଶ ଚନ୍ଦ୍ର ଜେନାଙ୍କୁ କୋର୍ଟକୁ ଯିବା ପାଇଁ ଡକା ଯାଇଥିଲା। ତାଙ୍କର ତାରିଖ ନ ଥିବା ସେ କହିବାରୁ ଆଉ ଥରେ ଯାଞ୍ଚ କରା ଯାଇଥିଲା। ସେତେବେଳେ ଏହି ସାଂଘାତିକ ତ୍ରୁଟି କଥା ଜଣା ପଡ଼ିଥିଲା। ଠକେଇ ମାମଲାର ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ପୁଅ ରମେଶ ଜେନା ବଦଳରେ ଦୁଷ୍କର୍ମ ମାମଲାର ଅଭିଯୁକ୍ତ ଲକ୍ଷ୍ମୀଧର ଜେନାଙ୍କ ପୁଅ ରମେଶ ଜେନାଙ୍କୁ ଜେଲରୁ ମୁକୁଳା ଯାଇଥିବା ଜଣା ପଡ଼ିଥିଲା।
ଯେତେବେଳେ ଏହି କଥା ସାମନାକୁ ଆସିଲା, ସେତେବେଳେ ଜେଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଭାଳେଣି ପଡ଼ିଥିଲା। ତୁରନ୍ତ ପୁଲିସ କର୍ମଚାରୀଙ୍କ ସହାୟତାରେ ମୁକୁଳିଥିବା ଦୁଷ୍କର୍ମ ମାମଲାର ଅଭିଯୁକ୍ତ ରମେଶଙ୍କୁ ଧରି ଜେଲକୁ ଅଣା ଯାଇଥିଲା। ଠକେଇ ମାମଲାର ଅଭିଯୁକ୍ତ ରମେଶକୁ ଜେଲରୁ ମୁକୁଳା ଯାଇଥିଲା। ତେବେ ଏଠାରେ ପ୍ରଶ୍ନ ଉଠୁଛି, ଏଭଳି ସାଂଘାତିକ ତ୍ରୁଟି ହେଲା କେମିତି? ଜାମିନ ରିଲିଜ୍ ଅର୍ଡରରେ ନିଶ୍ଚିତ ଭାବରେ ଥାନା ଓ କୋର୍ଟରେ ମାମଲା ନମ୍ବର, ଅଭିଯୁକ୍ତଙ୍କ ନାଁ, ବାପାଙ୍କ ନାଁ ଓ ଠିକଣା ଉଲ୍ଲେଖ ରହିଥିବ! ସେହିପରି ଆଇଡେଣ୍ଟିଫିକେସନ୍ ଚିହ୍ନ ମଧ୍ୟ ଅନ୍ୟ ଏକ ଫର୍ମରେ ଉଲ୍ଲେଖ କରାଯାଇଥାଏ। କଏଦୀ ରିଲିଜ୍ ପୂର୍ବରୁ ତାହାକୁ ମଧ୍ୟ କିପରି ଯାଞ୍ଚ କରାଗଲା ନାହିଁ କେମିତି?