କ୍ରାଇମ

ନିଦ ହଜାଇଲାଣି ଓଟିପିସିଏଲ୍ କେଳେଙ୍କାରୀ: ରାଜ୍ୟରୁ ପୋଛି ନେଇଛନ୍ତି ୧୦ କୋଟି! – Utkal Mail


କଟକ: ଢେଙ୍କାନାଳ କାମାକ୍ଷାନଗରରେ ଥିବା ଓଡ଼ିଶା ଥର୍ମାଲ୍‌ ପାଵାର୍‌ କର୍ପୋରେସନ୍ ଲିମିଟେଡ୍ (ଓଟିପିସିଏଲ୍) ନାଁରେ ନିଯୁକ୍ତି କେଳେଙ୍କାରୀ କଟକ କମିସନରେଟ୍ ପୁଲିସର ନିଦ ହଜାଇ ଦେଲାଣି। ବର୍ତ୍ତମାନ ସୁଦ୍ଧା ହୋଇଥିବା ଆକଳନ ଅନୁଯାୟୀ, ଠକ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ୍‌ ତଥା ଶ୍ରମିକ ସୁପରଭାଇଜର୍ ସଞ୍ଜୟ ନାୟକ ୧୫୪ ଆଶାୟୀଙ୍କୁ ଲୁଟିଛି। ଗୋଟିଏ ପଦବି ପିଛା ସେ ଆଶାୟୀଙ୍କଠଶରୁ ୮ରୁ ୧୦ଲକ୍ଷ ଟଙ୍କା ଆଦାୟ କରୁଥିଲା। ସେହି ଆଧାରରେ ଠକେଇ ପରିମାଣ ୧୦ କୋଟି ଟଙ୍କା ପାର୍ ହୋଇଯିବ ବୋଲି ପୁଲିସ ଆକଳନ କରୁଛି।

ସୂଚନା ଅନୁଯାୟୀ, ଦିନମଜୁରିଆ କାମ କରୁଥିବା କଟକ ବଡ଼ମ୍ବା ନୌତାଲିର ସଞ୍ଜୟ ନାୟକ ଭୂଷଣ ଷ୍ଟିଲ୍ ପ୍ଲାଣ୍ଟରେ ଶ୍ରମିକ ସୁପରଭାଇଜର୍ ଭାବେ ୨୦୧୦ରେ କାର୍ଯ୍ୟରତ ଥିବା ବେଳେ ରାଜ୍ୟରେ ଠକେଇ ନେଟ୍‌ଵାର୍କ ବିଛାଇଥିଲା। ସଞ୍ଜୟ ସମେତ ୬ ଜଣଙ୍କୁ ଗିରଫ ପରେ କେଳେଙ୍କାରୀ ପେଡ଼ି ଖୋଲିବାରେ ଲାଗିଛି। ଦରଘାବଜାର ଥାନା ପୁଲିସ ହାତରେ ସଞ୍ଜୟର ଯେଉଁ ଡାଏରି ଲାଗିଛି, ସେଥିରେ ୧୫୪ ଆଶାୟୀଙ୍କ ନାଁ, ଠିକଣା ଓ ଯୋଗାଯୋଗ ନମ୍ବର ରହିଛି। କେଉଁ ପଦବି ପାଇଁ ଆଶାୟୀ ଟଙ୍କା ଦେଇଛନ୍ତି, ସେ ସଂକ୍ରାନ୍ତରେ ବି ଉଲ୍ଲେଖ ରହିଛି। ପ୍ରାଥମିକ ଭାବେ ସୋମବାର ସୁଦ୍ଧା ପୁଲିସ ୫୨ ଆଶାୟୀଙ୍କୁ ଯୋଗାଯୋଗ କରିସାରିଛି। ଏମାନଙ୍କ ମଧ୍ୟରେ ସର୍ବାଧିକ କଟକ ଜିଲ୍ଲାର ରହିଛନ୍ତି। କଟକରୁ କେବଳ ୧୫ ଆଶାୟୀ ଫସିଛନ୍ତି। ସେହିପରି କେନ୍ଦ୍ରାପଡ଼ାରେ ୧୧, ଜଗତସିଂହପୁରରେ ୯, ଢେଙ୍କାନାଳରେ ୮, ପୁରୀ ଓ ଗଞ୍ଜାମରେ ୨ ଜଣ ଲେଖାଏଁ, ଅନୁଗୁଳ ଜିଲ୍ଲା ସମେତ ସମ୍ବଲପୁର, ଖୋର୍ଧା, ଯାଜପୁର, ମୟୂରଭଞ୍ଜରେ ଜଣେ ଲେଖାଏଁ ଆଶାୟୀ ଠକେଇର ଶିକାର ହୋଇଛନ୍ତି। ସଞ୍ଜୟ ଓ ତା’ ପ୍ରେମିକା ଦୀପାଳିକା ମହାନ୍ତି ବିଭିନ୍ନ ଜିଲ୍ଲାରେ ନିଜ ନେଟ୍‌ଵାର୍କ ବଢ଼ାଇଥିଲେ। ସେମାନେ କଟକ ସମେତ ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ରାଉରକେଲା, ଗଞ୍ଜାମ, ପୁରୀ, ମୟୂରଭଞ୍ଜ, ବାଲେଶ୍ବର ଜିଲ୍ଲାରେ ଆଶାୟୀଙ୍କୁ ଠକିଛନ୍ତି। ଉକ୍ତ ଜିଲ୍ଲାରେ ଏଜେଣ୍ଟ ରଖିଥିଲେ। ଏହି ଏଜେଣ୍ଟ ଆଶାୟୀଙ୍କ ତଥ୍ୟ ସଂଗ୍ରହ କରି ସଞ୍ଜୟକୁ ଦେଉଥିଲେ। ଏବେ ସେମାନେ ଫେରାର୍‌ ଅଛନ୍ତି। ଏହି ତାଲିକାରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଚିରାଳର ସଂଗ୍ରାମ ବାରିକ ଓ ଆଶିଷ ସାହୁ ଥିବା କୁହାଯାଉଛି। ପୁଲିସ ସେମାନଙ୍କୁ ଗିରଫ କରିବାକୁ ଯୋଜନା କରୁଛି।

ସଞ୍ଜୟ ଓଟିପିସିଏଲରେ ଜୁନିୟର ସିଭିଲ୍ ଇଞ୍ଜିନିୟର, ଜୁନିୟର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର, ଜୁନିୟର ମେକାନିକାଲ୍ ଇଞ୍ଜିନିୟର, ଅପର୍ ଆସିଷ୍ଟାଣ୍ଟ ଜୁନିୟର୍ କ୍ଲର୍କ, ଅପର କ୍ଲର୍କ, ମେକାନିକାଲ୍ ଫିଟର, ଆସିଷ୍ଟାଣ୍ଟ ଷ୍ଟୋର୍‌ କିପର୍, ଅଫିସ ବଏ, ପିଅନ ପଦବିରେ ଚାକିରି କରାଇଦେବାକୁ କହି ସର୍ବନିମ୍ନ ୮ଲକ୍ଷ ଟଙ୍କା ନେଉଥିଲା। ଏଥିପାଇଁ ବିଧିବଦ୍ଧ ଭାବେ ଓଟିପିସିଏଲର ନିଯୁକ୍ତିପତ୍ର ଦେଉଥିଲା। ଏଥିରେ ଓଟିପିସିଏଲର ଏମ୍ପ୍ଲୟ କୋଡ, ଷ୍ଟାମ୍ପ୍ ଇତ୍ୟାଦି ରହିଥିବା ପୁଲିସ ଜାଣିବାକୁ ପାଇଛି। ବଡ଼ମ୍ବା ଥାନା ଗୋପମଥୁରାର ବିଭୂତି ଜେନା ଏହି ନିଯୁକ୍ତି ପତ୍ରଗୁଡ଼ିକ ଇଂରାଜୀ ଭାଷାରେ ପ୍ରସ୍ତୁତ ଲେଖୁଥିବାରୁ ଏଥିପାଇଁ ତାକୁ ଆଉ କିଏ ସହଯୋଗ କରୁଥିଲା, ସେ ନେଇ ତଦନ୍ତ ଆରମ୍ଭ ହୋଇଛି। ଅନ୍ୟପଟେ, ଜେଏମଏଫସି କୋର୍ଟ-୨ ଅପଡେଟ୍ ସିଡି(କେସ୍ ଡାଏରି) ଦରଘାବଜାର ଥାନା ପୁଲିସକୁ ମାଗିଥିଲା। ସେହି ଆଧାରରେ ସୋମବାର ପୁଲିସ କିଛି ସିଡି କୋର୍ଟରେ ଦାଖଲ କରିଛି। ସଞ୍ଜୟକୁ ୪ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିବାକୁ ପୁଲିସ୍‌ ଯୋଜନା କରୁଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button