ଡାଙ୍ଗୁ ବିରୋଧରେ ଲାଗିବ ୧୧୦: ବିରିୟାନି ଖାଇଲା, ବଟି ମାଗିଲା, ବନ୍ଧାହେଲା – Utkal Mail
ଭୁବନେଶ୍ବର: ପାର୍ବଣ ପୂର୍ବରୁ କମିସନେରଟ୍ ପୁଲିସ ଦାଗୀଙ୍କୁ ଖୋଜୁଥିବା ବେଳେ କିଛି କୁଖ୍ୟାତ ଅପରାଧୀ ଆପେ ଆପେ ପୁଲିସ ଜାଲରେ ପଡ଼ୁଛନ୍ତି। ଗତକାଲି ଏମିତି ଏକ ଘଟଣାକ୍ରମେ କୁଖ୍ୟାତ ଅପରାଧୀ ଡାଙ୍ଗୁ ଗିରଫ ହୋଇଛି। ମାଷ୍ଟରକ୍ୟାଣ୍ଟିନ୍ ଛକସ୍ଥିତ ଏକ ବିରିୟାନି ଦୋକାନରେ ଖାଇବା ପରେ ବଟି ମାଗିବା ସହ ଦୋକାନୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ତାକୁ କୋର୍ଟ ଚାଲାଣ କରିଛି।
ପୁଲିସ ସୂଚନାନୁସାରେ ବାଲିପାଟଣା ଅଞ୍ଚଳର ସନ୍ତୋଷ ସେଠୀ ଓରଫ୍ ଡାଙ୍ଗୁ(୩୦) ଜଣେ ଅଭ୍ୟାସଗତ ଅପରାଧୀ। ତା’ ନାଁରେ ଖାରବେଳନଗର ଓ ବାଲିପାଟଣା ଥାନାରେ ୧୦ରୁ ଅଧିକ ମାମଲା ରହିଛି। ଗତକାଲି ସେ ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ବିଭୁପ୍ରସାଦ ପଣ୍ଡାଙ୍କ ଦୋକାନରେ ବିରିୟାନି ଖାଇବା ପରେ ଟଙ୍କା ଦେବ କ’ଣ ଓଲଟା ୫ ଶହ ଟଙ୍କା ବଟି ମାଗିଥିଲା। ବିଭୁ ବଟି ଦେବାକୁ ମନାକରିବାରୁ ଡାଙ୍ଗୁ ତାଙ୍କୁ ମାଡ଼ ମାରିବା ସହ ଦୋକାନରେ ଭଙ୍ଗାରୁଜା କରିଥିଲା। ଏଥର କିନ୍ତୁ ଆଖପାଖ ଦୋକାନୀମାନେ ମିଶିଯାଇ ଡାଙ୍ଗୁକୁ କାବୁ କରି ପୁଲିସ ଜିମା ଦେଇଥିଲେ। ପୁଲିସ ଆହତ ବିଭୁକୁ କ୍ୟାପିଟାଲ୍ ହସ୍ପିଟାଲକୁ ପଠାଇବା ସହ ତାଙ୍କ ଅଭିଯୋଗ ଆଧାରରେ ଡାଙ୍ଗୁକୁ ଗିରଫ କରିଛି। ତା’ ବିରୋଧରେ ୧୧୦ ଦଫା ଲାଗୁକରାଯିବାକୁ ପଦକ୍ଷେପ ନିଆଯାଉଛି ବୋଲି ପୁଲିସ ସୂଚନା ଦେଇଛି।