ରାଜ୍ୟରେ ବୈଷୟିକ ଶିକ୍ଷାଦାନ ଠପ୍: ୩୨ ପଲିଟେକ୍ନିକ୍ରେ ୬୮୪ ଅଧ୍ୟାପକ ଓ ଟେକ୍ନିସିଆନ୍ଙ୍କ ଚୁକ୍ତି ରଦ୍ଦ

ଯାଜପୁର/ରଗଡ଼ି: ନୂତନ ସରକାରଙ୍କ ବଜେଟ୍ରେ ବୈଷୟିକ ଶିକ୍ଷାକୁ ଅନେକ ଗୁରୁତ୍ବ ଦିଆଯାଇଛି। ହେଲେ ତୃଣମୂଳରେ ବିପରୀତ ପଦକ୍ଷେପ ନିଆଯାଇଥିବା ଦେଖିବାକୁ ମିଳୁଛି। ଆଜିକୁ ଏକ ମାସ ହେଲା ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ (ପଲିଟେକ୍ନିକ୍)ଗୁଡ଼ିକରେ ପାଠପଢ଼ା ଏକପ୍ରକାର ଠପ୍ ହୋଇଯାଇଛି। ରାଜ୍ୟର ୩୨ଟି ବୈଷୟିକ ଶିକ୍ଷାନୁଷ୍ଠାନ (ସରକାରୀ ପଲିଟେକ୍ନିକ ଓ ଇଂଜିନିୟରି କଲେଜ)ରେ ୬୮୪ ଅଧ୍ୟାପକ, ଟେକ୍ନିସିଆନ୍ ନଥିବାରୁ ପାଠପଢ଼ା ହୋଇ ପାରୁନାହିଁ।
୧୦ ବର୍ଷ ହେଲା ଶିକ୍ଷାଦାନ କରିଆସୁଥିବା ଅସ୍ଥାୟୀ ଏମ୍ଟେକ୍, ବିଟେକ୍ ଅଧ୍ୟାପକ ଓ ଡିପ୍ଲୋମା ଟେକ୍ନିସିଆନଙ୍କ ଚୁକ୍ତି ଚଳିତବର୍ଷ ନବୀକରଣ କରାଯାଇନାହିଁ। ଶିକ୍ଷାଦାନ ହୋଇ ପାରୁନଥିବାରୁ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମ ଲେଖାଇଥିବା ପ୍ରାୟ ୨୫ ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଇଛି।
ବୈଷୟିକ ଶିକ୍ଷାଦାନ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ବ ଦେଉଥିବା ବେଳେ ଏଥିପାଇଁ ପ୍ରତି ଜିଲ୍ଲାରେ ବୈଷୟିକ ଶିକ୍ଷାନୁଷ୍ଠାନ (ପଲିଟେକ୍ନିକ୍) ରହିଛି। ୧୦ ବର୍ଷ ହେଲା ରାଜ୍ୟର ୩୨ଟି ବୈଷୟିକ ଶିକ୍ଷାନୁଷ୍ଠାନରେ ନିୟମିତ ଅଧ୍ୟାପକ ଓ ଟେକ୍ନିସିଆନ୍ ନିଯୁକ୍ତି କରାଯାଇନାହିଁ। ଅସ୍ଥାୟୀ ଅଧ୍ୟାପକ ଓ ଟେକ୍ନିସିଆନଙ୍କୁ ସ୍ବଳ୍ପ ପାରିତୋଷିକ ଦେଇ ଶିକ୍ଷାଦାନ ଚାଲିଛି। ଯାଜପୁର ଜିଲ୍ଲାର ରଗଡ଼ିସ୍ଥିତ ପଲିଟେକ୍ନିକ୍ ଏହାର ଜ୍ବଳନ୍ତ ଦୃଷ୍ଟାନ୍ତ। ଏଠାରେ ମେକାନିକାଲ୍, ଇଲେକ୍ଟ୍ରିକାଲ, ସିଭିଲ୍, ମାଇନିଂ ଓ ମେଟାଲୋଜି ଆଦି ୫ଟି ବିଭାଗରେ ୧ ହଜାର ଛାତ୍ରଛାତ୍ରୀ ପଢ଼ୁଛନ୍ତି। ସେମାନଙ୍କ ପାଇଁ ୩୪ ଜଣ ଅଧ୍ୟାପକ ଓ ଟେକ୍ନିସିଆନ୍ ନିଯୁକ୍ତି ପାଇବା ବଦଳରେ ମାତ୍ର ୧୭ ଜଣ ଅଛନ୍ତି। ଅବଶିଷ୍ଟ ଅସ୍ଥାୟୀ କର୍ମଚାରୀଙ୍କ ଦ୍ବାରା ଏହି ସଂସ୍ଥାର ପରିଚାଳନା କରାଯାଉଥିଲା। ଚଳିତବର୍ଷ ତାହା ମଧ୍ୟ ବନ୍ଦ କରିଦିଆଯାଇଛି। ବାରମ୍ବାର ଦାବି ସତ୍ତ୍ବେ ସ୍ଥାୟୀ ନିଯୁକ୍ତି ଦିଆଯାଉନାହିଁ। ସମଗ୍ର ରାଜ୍ୟରେ ମୋଟ ୩୨ଟି ଶିକ୍ଷାନୁଷ୍ଠାନରେ ୫୧୦ ଅଧ୍ୟାପକ ଓ ୧୭୪ ଲ୍ୟାବ୍ ଆସିଷ୍ଟାଣ୍ଟ, ଡିପ୍ଲୋମା ଲ୍ୟାବ୍ ଟେକ୍ନିସିଆନ୍ ଶିକ୍ଷାଦାନ କରୁଥିଲେ।
ଅନ୍ୟପକ୍ଷରେ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏକମାସ ହେଲା ଶିକ୍ଷାଦାନ କାର୍ଯ୍ୟକ୍ରମ ଆରମ୍ଭ ହେଲାଣି। ଅଥଚ ଗତବର୍ଷ ଭଳି ଏଥର ଅସ୍ଥାୟୀ କର୍ମଚାରୀଙ୍କ ସହ ଚୁକ୍ତି କରାନଯାଇ ସେମାନଙ୍କୁ ଶିକ୍ଷାଦାନରୁ ଦୂରେଇ ରଖାଯାଇଛି। ଫଳରେ ଶିକ୍ଷାନୁଷ୍ଠାନରେ ଥିବା ସ୍ବଳ୍ପସଂଖ୍ୟକ ସ୍ଥାୟୀ ଅଧ୍ୟାପକ ନାମକୁ ମାତ୍ର କ୍ଲାସ୍ କରୁଥିବାବେଳେ ଏବେ ୨ଟି କ୍ଲାସ୍ ବଦଳରେ ୩ଟି କ୍ଲାସ୍ କରିବାକୁ ବିଭାଗୀୟ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ଏମିତିକି ଲ୍ୟାବ୍ ଟେକ୍ନିସିଆନ୍ଙ୍କୁ କ୍ଲାସ୍ କରିବାକୁ କୁହାଯାଇଛି। ଫଳରେ ପାଠପଢ଼ା ଏକପ୍ରକାର ଠପ୍ ହୋଇଯାଇଛି। ଛାତ୍ରଛାତ୍ରୀ କଲେଜ ଆସିବା ବନ୍ଦ କରିବାକୁ ବସିଲେଣି। ସରକାରୀ ସ୍କୁଲ, କଲେଜରେ ଯେପରି ଶିକ୍ଷକ, ଅଧ୍ୟାପକ ନଥିବାରୁ ବହୁବର୍ଷ ହେଲା ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିଲା। ଏବେ ବୈଷୟିକ ଶିକ୍ଷାନୁଷ୍ଠାନରେ ସେହିଭଳି ଅବସ୍ଥା ସୃ୍ଷ୍ଟି ହୋଇଛି। ଯାହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।