ଭଦ୍ରକରେ ଗୋଷ୍ଠୀ ସଂଘର୍ଷ, ପୁଣି ୧୨ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ

ଭଦ୍ରକ: ଭଦ୍ରକରେ ଗୋଷ୍ଠୀ ସଂଘର୍ଷରେ ଗୁରୁତର ଜଣେ ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁକୁ ନେଇ ଭଦ୍ରକରେ ଚାପା ଉତ୍ତେଜନା ଲାଗିରହିଛି । ପୁଣି ଭଦ୍ରକରେ ୧୨ ଘଣ୍ଟା ଇଣ୍ଟରନେଟ୍ ବନ୍ଦ । ଭଦ୍ରକ ବ୍ଲକ୍ ଓ ପୌରାଞ୍ଚଳ,ତିହିଡ଼ି ବ୍ଲକ୍ ଅଞ୍ଚଳରେ ସେବା ବନ୍ଦ ରହିଛି । ଧାମନଗର ବ୍ଲକ୍ ଓ NAC ଅଞ୍ଚଳରେ ମଧ୍ୟ ଇଣ୍ଟରନେଟ୍ ସେବା ବନ୍ଦ ରହିଛି । ଆଇନ ଶୃଙ୍ଖଳା ପରିସ୍ଥିତି ମୁକାବିଲା ପାଇଁ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ୨୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।
ଏଥିସହ ୪୫ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ଭଦ୍ରକ ଗସ୍ତ କରି ଜିଲ୍ଲାପାଳ ଓ ଏସପି ଙ୍କ ସହିତ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ଆକ୍ରମଣ ଘଟଣାରେ ଏଯାଏ ୧୨ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି । ଏଥିପାଇଁ ପୋଲିସର ସ୍ୱତନ୍ତ୍ର ୩ଟି ଟିମ ଗଠନ କରାଯାଇଛି । ଜିଲ୍ଲାବାସୀ କୌଣସି ଗୁଜବକୁ ବିଶ୍ୱାସ ନକରିବା ଓ ସାମାଜିକ ଗଣମାଧ୍ୟମରେ କେହି ବିଭ୍ରାନ୍ତିକର ପୋଷ୍ଟ ନ କରିବାକୁ ଅନୁରୋଧ କରାଯାଇଛି । ଗତ ୩୦ ତାରିଖରେ ତିହିଡି ଥାନା କଷଟି ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରେ ସନ୍ତୋଷ ପରିଡା ନାମକ ଯୁବକ ଗୁରୁତର ଆହତ ହୋଇଥିଲେ । ବୁଧବାର ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା ।