ଘୋଷଣା ହେଲା ସତ ହେଲେ ତୈଳ କମ୍ପାନୀ ଦେବେ କି ସବସିଡି? – Utkal Mail
ନୂଆଦିଲ୍ଲୀ: ଆଗକୁ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ଓ ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ସରକାର ଏଲ୍ପିଜି ଉପରେ ସବ୍ସିଡି ଦେବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। କେନ୍ଦ୍ର ସରକାର ଗତକାଲି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ରନ୍ଧନ ଗ୍ୟାସ୍ (ଏଲ୍ପିଜି) ସିଲିଣ୍ଡର ଦାମ୍ରେ ୨୦୦ ଟଙ୍କା ହ୍ରାସ କରିବାକୁ ଘୋଷଣା କରିଥିଲେ । ଏହି ସୁବିଧା ସମସ୍ତ ଖାଉଟିଙ୍କୁ ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । କ୍ୟାବିନେଟ୍ ବୈଠକ ପରେ ଏହି ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ ଯେ ଗ୍ରାହକମାନଙ୍କୁ ଏହି ରିହାତି ସବସିଡି ଆକାରରେ ଦିଆଯିବ। ସବ୍ସିଡି ରାଶି ଗ୍ରାହକମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ। ତେବେ ଉଜ୍ଜ୍ବଳା ସ୍କିମ୍ର ହିତାଧିକାରୀମାନଙ୍କୁ ୪୦୦ ଟଙ୍କାର ସବ୍ସିଡି ମିଳିବ।
ଏବେ ସେମାନେ ୨୦୦ ଟଙ୍କାର ସବ୍ସିଡି ପାଉଛନ୍ତି। ତେବେ ଏହାରି ଭିତରେ ସୂତ୍ରରୁ ଖବର ଆସୁଛି ଯେ କେନ୍ଦ୍ର ସରକାର କେବଳ ଉଜ୍ଜ୍ବଳା ଯୋଜନାର ହିତାଧିକାରୀଙ୍କୁ ଦିଆଯାଇଥିବା ୨୦୦ ଟଙ୍କା ଅତିରିକ୍ତ ସବସିଡି ଭାର ବହନ କରିବେ। ପେଟ୍ରୋଲିୟମ ମନ୍ତ୍ରଣାଳୟ ସରକାରୀ ତୈଳ କମ୍ପାନୀମାନଙ୍କୁ କହିଛି ଯେ ସରକାରୀ ତୈଳ କମ୍ପାନୀଗୁଡିକ ନିଜେ ସାଧାରଣ ଗ୍ରାହକଙ୍କୁ ୨୦୦ ଟଙ୍କାର ସବସିଡି ଭାର ଦିଅନ୍ତୁ | ଉଜ୍ଜ୍ବଳା ଯୋଜନାରେ ସରକାର ସବସିଡି ଦେବାକୁ ରାଜି ଥିବାବେଳେ ସାଧାରଣ ଗ୍ରାହକଙ୍କୁ ସବସିଡି ଦେବାକୁ ମନ୍ତ୍ରଣାଳୟ ସରକାରୀ ତୈଳ କମ୍ପାନୀମାନଙ୍କୁ କହିଛି |