ବନ୍ୟଜନ୍ତୁଙ୍କୁ ଜଗିବ ୱାଚ୍ ଟାୱାର, ପ୍ରହରା ଦେବେ ବନକର୍ମଚାରୀ

ବୌଦ୍ଧ: ରେଳ ଧାରଣାକୁ ଆସି ଚାଲିଯାଉଛି ବନ୍ୟଜନ୍ତୁଙ୍କ ଜୀବନ । ରୋକିବା ବି ହୋଇ ପଡୁଛି ଅସମ୍ଭବ । ଏପଟେ ଖୋର୍ଦ୍ଧା-ବଲାଙ୍ଗିର ରେଳ ରାସ୍ତାର ନୟାଗଡ ଜିଲା ଦଶପଲ୍ଲା ଠାରୁ ଯେ ବୌଦ୍ଧ ଜିଲ୍ଲାର ପୁରୁଣାକଟକ ମଧ୍ୟରେ ରହିଛି ଘଞ୍ଚ ଜଙ୍ଗଲ । ଯେଉଁ ଜଙ୍ଗଲରେ ରହୁଛନ୍ତି ହାତୀ, ବାଘ ଠାରୁ ଆରମ୍ଭ କରି ବହୁ ପ୍ରଜାତିର ବନ୍ୟଜନ୍ତୁ । ସେମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ରେଳ ବିଭାଗ ୫ କିମି ଦୂରତା ବିଶିଷ୍ଟ ୨ ଟି ଭାୟାଡକ୍ଟ ଏବଂ ୭ ଟି ଟନେଲ ନିର୍ମାଣ କରିଛି ।
ସେଥିମଧ୍ୟରୁ ବୌଦ୍ଧ ଜିଲ୍ଲାରେ ଗୋଟିଏ ଭାୟାଡକ୍ଟ ଏବଂ ୪ ଟି ଟନେଲ ରହିଥିବାବେଳେ ସବୁଠାରୁ ଓଡିଶାର ସୁଦୀର୍ଘ ଟନେଲ ଆଡେଣୀଗଡରେ ରହିଛି । ଯାହାର ଦୂରତା ପାଖାପାଖି ୫ କିମି । ନିର୍ମାଣ ହୋଇଥିବା ସମସ୍ତ ଟନେଲ ଅଞ୍ଚଳ ଗୁଡିକ ହାତୀ ଚଲାପଥ ରହିଛି । କେତେବେଳେ ବି ଟନେଲ ଭିତରକୁ ପଶିଯାଇ ସେମାନଙ୍କ ଜୀବନ ଯାଇପାରେ ଯାହାକୁ ରୋକିବା ପାଇଁ ରେଳ ପଥ ବିଭାଗ ଓ ବୌଦ୍ଧ ବନ ବିଭାଗ ମଧ୍ୟରେ ସମନ୍ୱୟରେ ଚାଲିଛି କାମ ।
ମାଧପୁର ରେଞ୍ଜ ଅନ୍ତର୍ଗତ ଆଡେଣୀଗଡ, କରଡାକୋଠା, ମାର୍ଦ୍ଦିଙ୍ଗଠାରେ ନିର୍ମାଣ ହୋଇଥିବା ଟନେଲର ଉଭୟ ପାର୍ଶ୍ୱରେ ନିର୍ମାଣ ହେବ ୭ ଟି ୱାଚ୍ ଟାୱାର । ୱାଚ୍ ଟାୱାରରେ ପ୍ରହରା ଦେବେ ବନକର୍ମଚାରୀ । ଟନେଲ ଭିତରକୁ ଯେଉଁଭଳି ଭାବେ ବନ୍ୟଜନ୍ତୁ ପଶି ନ ଆସିବେ ସେଥିପାଇଁ ନିର୍ମାଣ ହେବ ୱାଚ୍ ଟାୱାର । ଏଥିପାଇଁ ସରକାରଙ୍କ ଅନୁଦାନ ବି ଆସିଛି । ଟନେଲ କାମ ସରିଲାପରେ ୱାଚ୍ ଟାୱାର ନିର୍ମାଣ ହେବ । ଏଥିରେ ନିୟୋଜିତ ହେବେ ବନକର୍ମଚାରୀ ।
ବୌଦ୍ଧ ବନ ବିଭାଗ ଓ ରେଳ ବିଭାଗର ମିଳିତ ଉଦ୍ୟମରେ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପକୁ ପରିବେଶବିତ୍ତ ସ୍ୱାଗତ କରିଥିବାବେଳେ ଏହା ଦ୍ୱାରା ବନ୍ୟଜନ୍ତୁଙ୍କ ଗତିବିଧି ଉପରେ ନଜର ରଖାଯାଇ ପାରିବ । ରେଳ ଧାରଣାରେ ବନ୍ୟଜନ୍ତୁଙ୍କ ଜୀବନ ଯେପରି ନ ଯିବ ସେଦିଗରେ ୱାଚ୍ ଟାୱାରରେ କର୍ମଚାରୀ ମଧ୍ୟ କାମ କରିବେ । ଅନ୍ୟପଟେ ୱାଚ୍ ଟାୱାର ନିର୍ମାଣ କରିଦେଲେ ହେବନାହିଁ ନିଷ୍ଠାର ସହିତ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବନକର୍ମଚାରୀ ଓ ଅଧିକାରୀମାନେ କାମ କରିବା ନିହାତି ଜରୁରୀ ବୋଲି କହିଛନ୍ତି ସାଧାରଣ ଲୋକେ ।
ବୌଦ୍ଧ ଜିଲ୍ଲା ଆଡେଣୀଗଡରେ ରହିଥିବା ସବୁଠାରୁ ସୁଦୀର୍ଘ ରେଳ ଟନେଲ ଗୁଡିକର ଉଭୟ ପାଶ୍ୱର୍ରେ ରେଳ ଓ ବନ ବିଭାଗ ପକ୍ଷରୁ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ଏହି ପଦକ୍ଷେପ କେତେ ସଫଳ ହେଉଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।