କ୍ରୀଡା

ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମି ଅତ୍ୟନ୍ତ ଦୟନୀୟ: ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି – Utkal Mail


ବା‌ଲେଶ୍ବର: କୀଡ଼ାର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିବର୍ଷ ରାଜ୍ୟ ରାଜକୋଷରୁ ୨୫ ଶହ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ରାଜ୍ୟରେ କ୍ରୀଡ଼ା ବିଭାଗର ହଷ୍ଟେଲ, ପ୍ରଶିକ୍ଷଣ କ୍ୟାମ୍ପ, କ୍ରୀଡ଼ାବିତ୍‌ମାନଙ୍କ ସ୍ଥିତି ସେଭଳି ଆଖିଦୃଶିଆ ହୋଇପାରିନାହିଁ ଏବଂ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରାଜ୍ୟର କ୍ରୀଡ଼ା ଭିତ୍ତିଭୂମି ରହିଥିବା ଅଭିଯୋଗ କରିଛନ୍ତି ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା। ଶ୍ରୀ ପଣ୍ଡା ନୂତନ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଏବେ ବିଭିନ୍ନ ଜିଲ୍ଲା ଗସ୍ତ କରି ସଂଗଠନକୁ କିପରି ଅଧିକରୁ ଅଧିକ ମଜବୁତ କରିହେବ ସେନେଇ ପ୍ରୟାସ ଆରମ୍ଭ କରିଛନ୍ତି।

ଗତକାଲି ମଧ୍ୟାହ୍ନରେ ସେ ବାଲେଶ୍ବରରେ ପହଞ୍ଚିବା ପରେ ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ କୁରୁଡ଼ା ଛକଠାରୁ ତାଙ୍କ ସ୍ବାଗତ କରାଯାଇ ଶୋଭାଯାତ୍ରା କରି ଜିଲ୍ଲା କାର୍ଯ୍ୟାଳୟକୁ ଅଣାଯାଇଥିଲା। ଅପରାହ୍‌ଣ​ରେ ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ରଖାଯାଇଥିବା ବେଳେ ସେଥିରେ ଯୋଗଦେଇ ଶ୍ରୀ ପଣ୍ଡା କହିଥିଲେ, ଭାରତ ଇତିହାସରେ ‘ଏସିଆନ ଗେମ୍‌ସ-୨୦୨୩’ ଏକ ଇତିହାସ ସୃଷ୍ଟି କରିଛି। ମୋଟ ୧୦୭ ପଦକରୁ ଭାରତ ୨୮ଟି ସ୍ୱର୍ଣ୍ଣ, ୩୮ଟି ରୋପ୍ୟ ଓ ୪୧ଟି ବ୍ରୋଞ୍ଜ ପଦକ ହାସଲ କରିଛି। ଦେଶ ଆମ ଖେଳାଳିଙ୍କ ପାଇଁ ଗର୍ବିତ। ଭାରତୀୟ କ୍ରୀଡ଼ାବିତ୍‌ଙ୍କର ଅପାର ଶକ୍ତି ଅଛି। ଯେଉଁମାନେ ସଠିକ ସମର୍ଥନ ସହ କ୍ରୀଡ଼ା ମାଧ୍ୟମରେ ବିଶ୍ୱସ୍ତରରେ ଭାରତର ପରିଚୟ ପହଞ୍ଚାଇ ପାରିବେ। ୨୦୧୪ ଏସିଆନ ଗେମ୍‌ସରେ ଭାରତ ୫୭ ପଦକ ଜିତିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଦେଶ କ୍ରୀଡାକ୍ଷେତ୍ରରେ ଆଗକୁ ଯାଉଥିବା ବେଳେ ଓଡ଼ିଶା ସରକାର ରାଜ୍ୟର କ୍ରୀଡ଼ା, କ୍ରୀଡ଼ାବିତ୍‌ ଓ କ୍ରୀଡ଼ାଭୂମିକୁ ସେତିକି ଗୁରୁତ୍ବ ଦେଉନଥିବା ସେ ଅଭିଯୋଗ କରିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଚଣ୍ଡୀ ପ୍ରସାଦ ବେହେରା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ତଥା ‘ଖେଳ ଇଣ୍ଡିଆ’ ରାଜ୍ୟ ସଂଯୋଜକ ରାଜେଶ ମହାପାତ୍ର, ରାଜ୍ୟ ଯୁବମୋର୍ଚ୍ଚା କୋଷାଧକ୍ଷ ରାଜେଶ ମହାକୁଡ଼, ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକ ଆଶୁତୋଷ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶଶୀକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।




Related Articles

Leave a Reply

Your email address will not be published. Required fields are marked *

Back to top button