ଓଡିଶା

ପୁଣି ଆଲାଏନ୍ସ ଏୟାର୍‌ର ମନମାନି: ବିମାନ ବାତିଲ୍‌କୁ ନେଇ ତେଜୁଛି ଅସନ୍ତୋଷ

ଝାରସୁଗୁଡ଼ା: ପ୍ରତିବର୍ଷ ଭଳି ଏଥର ବି ଶୀତଋତୁ ସମୟରେ ଆଲାଏନ୍ସ ଏୟାରଲାଇନ୍ସର ଉଡ଼ାଣ ବାରମ୍ବାର ବାତିଲ ହେବା ନେଇ ଯାତ୍ରୀଙ୍କ ମଧ୍ୟରେ ଅସ‌ନ୍ତୋଷ ବଢ଼ିବାରେ ଲାଗିଛି। କେବଳ ଚଳିତ ମାସ ହିସାବକୁ ନେଲେ ବର୍ତ୍ତମାନ ସୁଦ୍ଧା ୩ ଦିନ ବାତିଲ୍‌ ହୋ‌ଇଥିବାବେଳେ ଫେବ୍ରୁଆରି ୨୬ ଯାଏ ଏହି ଧାରା ଜାରି ରହିବ ବୋଲି ସୂଚନା ମିଳିଛି। ଏହି ବିମାନ ସପ୍ତାହକୁ ୪ ଦିନ ଚଳାଚଳ କରୁଥିବା ବେଳେ ସେଥିରୁ ପୁଣି ୨ ଦିନ ବାତିଲ୍‌ ହୋଇଯିବା ଫଳରେ ବିମାନ ଉପରୁ ଯାତ୍ରୀଙ୍କ ଭରସା ତୁଟିବାରେ ଲାଗିଛି। ‌ତେବେ ମହାକୁମ୍ଭ ପାଇଁ ଉକ୍ତ ବିମାନଟି ଭୁବନେଶ୍ବରରୁ ପ୍ରୟାଗରାଜକୁ ଚଳାଚଳ କରୁଥିବାରୁ ଗତ ୨୦ ତାରିଖରୁ ପ୍ରତି ସପ୍ତାହର ବୁଧବାର ଓ ଶୁକ୍ରବାର ହିଁ ବୁକିଂ ନିଆଯାଉନଥିବା ଉକ୍ତ ଏୟାରଲାଇନ୍ସ ପକ୍ଷରୁ ସୂଚନା ମିଳିଛି।

ଗତବର୍ଷଠାରୁ ଆଲାଏନ୍ସ ଏୟାର ବିମାନ ନିଜ ସେବାକୁ ସଙ୍କୁଚିତ କରି ସପ୍ତାହକୁ ୭ ଦିନ ବଦଳରେ ୪ ଦିନ ଚଳାଚଳ କରୁଛି। ବର୍ଷର ଅନ୍ୟ ସମୟ ଏହି ବିମାନ ଚଳାଚଳ ସ୍ବାଭାବିକ ରହୁଥିବା ବେଳେ ଶୀତଦିନରେ ସମସ୍ୟା ଦେଖାଦେଉଛି। ଗତବର୍ଷ ଭିଜିଏଫ୍‌ ଚୁକ୍ତି ନାଁରେ ବାରମ୍ବାର ବିମାନ ବାତିଲ୍‌ ଘଟଣା ସାମନାକୁ ଆସିଥିଲା। ଚଳିତ ବର୍ଷ ପୁଣି ଏକ ନୂଆ କାରଣ ଦେଖାଇ ବିମାନ ଚଳାଚଳ ବାତିଲ୍‌ କରାଯାଇଛି। ଏୟାରଲାଇନ୍ସ ନିକଟରେ ଥିବା ସୀମିତ ବିମାନରେ ଅଧିକ ରୁଟ୍‌ରେ ଚଳାଚଳ କରାଯାଉଥିବାରୁ ଏହି ସମସ୍ୟା ସୃଷ୍ଟି ହେଉଥିବା ଜଣାପଡ଼ିଛି। ଝାରସୁଗୁଡ଼ାରୁ ଭୁବନେଶ୍ବରକୁ ଚଳାଚଳ କରୁଥିବା ବିମାନକୁ ଏବେ କୁମ୍ଭ‌ମେଳା ପାଇଁ ଭୁବନେଶ୍ବରରୁ ପ୍ରୟାଗରାଜ୍‌ ରୁଟ୍‌ରେ ଚଳାଚଳ କରାଯାଉଛି।

ସପ୍ତାହକୁ ୨ ଦିନ ଅର୍ଥାତ୍‌ ବୁଧବାର ଓ ଶୁକ୍ରବାର ଉକ୍ତ ବିମାନ ଭୁବନେଶ୍ବରରୁ ପ୍ରୟାଗରାଜକୁ ଚଳାଚଳ କରୁଥିବାରୁ ଗତ ୨୦ ତାରିଖ ପରଠାରୁ ରବିବାର ଓ ସୋମବାର କେବଳ ଭୁବନେଶ୍ବର-ଝାରସୁଗୁଡ଼ା ରୁଟ୍‌ରେ ଏହି ବିମାନ ଚଳାଚଳ କରୁଛି। ସେପଟେ, ଗତ ୫ ତାରିଖରେ ଯାନ୍ତ୍ରିକ ତ୍ରୁଟି ଦର୍ଶାଇ ଏହି ବିମାନକୁ ବାତିଲ୍‌ କରାଯାଇଥିଲା। ୨୦୧୯ ମସିହା ଅଗଷ୍ଟ ମାସରେ ଆଲାଏନ୍ସ ଏୟାର ଝାରସୁଗୁଡ଼ାରୁ ଭୁବନେଶ୍ବରକୁ ବିମାନ ଚଳାଚଳ ଆରମ୍ଭ କରିଥିଲା। ୩ ବର୍ଷ ଯାଏ ‘ଉଡ଼ାନ୍‌’ ଯୋଜନାରେ ବିମାନ ଚଳାଚଳ କରିଥିବା ‌ବେଳେ ଏହା ପରଠାରୁ ଉକ୍ତ ଏୟାରଲାଇନ୍ସ କମର୍ସିଆଲ ସେବା ଆରମ୍ଭ କରିଥିଲା। ଯେଉଁଥିରେ ଟିକେଟ ଦର ଅଧିକ ରହିବା କାରଣରୁ ଯାତ୍ରୀ ସଂଖ୍ୟା ହ୍ରାସ ହୋଇଥିଲା। ଏହାକୁ ଆଖି ଆଗରେ ରଖି ୨୦୨୩ ମସିହା ଶୀତକାଳୀନ ତାଲିକାରୁ ଏୟାରଲାଇନ୍ସ ଏହି ରୁଟ୍‌କୁ ବାଦ୍‌ ଦେଇଥିଲା। ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ଉଦ୍ୟମ କ୍ରମେ ରାଜ୍ୟ ସରକାର ୬ ମାସ ପାଇଁ ଏୟାରଲାଇନ୍ସକୁ ଭିଜିଏଫ୍‌ (ଭାୟାବିଲିଟି ଗ୍ୟାପ୍‌ ଫଣ୍ଡ) ଦେବାକୁ ଚୁକ୍ତି କରିଥିଲେ। ପରେ ଏହି ଭିଜିଏଫ୍‌ ସମ୍ପ୍ରସାରିତ ହୋଇଥିଲେ ହେଁ ବିମାନ ସେବାରେ ଆଖିଦୃଶିଆ ପରିବର୍ତ୍ତନ ଦେଖିବାକୁ ମିଳିନି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button