ଓଡିଶା

ମିସନ୍‌ ଶକ୍ତିକୁ ଅଣଦେଖା ପ୍ରତିବାଦରେ ରଣହୁଙ୍କାର: ବାରିପଦାରେ ୬ ହଜାର ମହିଳାଙ୍କ ଆନ୍ଦୋଳନ

ବାରିପଦା: ବିଭିନ୍ନ କ୍ଷେତ୍ରରେ ସକ୍ରିୟ ଥିବା ମିସନ୍‌ ଶକ୍ତିକୁ ବିଜେପି ସରକାର ଅଣଦେଖା କରୁଛନ୍ତି। ଏହାର ପ୍ରତିବାଦରେ ମୟୂରଭଞ୍ଜର ହଜାର ହଜାର ମହିଳା ଆଜି ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି। ମିସନ୍‌ ଶକ୍ତିର ପୁନର୍ଗଠନକୁ ବିରୋଧ ତଥା ସ୍ଥାୟୀ ନିଯୁକ୍ତି ଦାବିରେ ୬ ହଜାର ମହିଳା ବାରିପଦାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପଶିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ୨୬ ବ୍ଲକ୍‌ରେ ମିସନ୍‌ ଶକ୍ତିର ୬ ହଜାରରୁ ଅଧିକ କାର୍ଯ୍ୟକାରୀ କମିଟି (ଇସି) ସଦସ୍ୟା କାର୍ଯ୍ୟ କରୁଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବାରେ ସେମାନେ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି। କିନ୍ତୁ ରାଜ୍ୟ ସରକାର ସେମାନଙ୍କ ପ୍ରତି ଦରଦ ଦେଖାଉ ନାହାନ୍ତି।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ

ସେଥିପାଇଁ ପୂର୍ବରୁ ୫୦୦ ମହିଳା ଏକାଠି ହୋଇ ଦାବିପତ୍ର ଦେବେ ବୋଲି ସ୍ଥିର ହୋଇଥିଲା। ସେତେବେଳେ ସମୟ ୧୧ଟା ସମୟ। ଏହିସମୟରେ ପୂର୍ବ ନିର୍ଦ୍ଧାରିତ ମହିଳାଙ୍କ ତୁଳନାରେ ଯଥେଷ୍ଟ ଅଧିକ ଅର୍ଥାତ୍‌ ସବୁ ବ୍ଲକ୍‌ରୁ ପ୍ରାୟ ୬୦୦୦ ମହିଳା ଏକାଠି ହୋଇ ଦାବିପତ୍ର ଦେବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ଥିବା ପୁଲିସ ପ୍ରତିରୋଧ କରିବାରୁ ସେମାନେ ଧସେଇ ପଶିଥିଲେ। ଘଟଣା ସମୟରେ ଜିଲ୍ଲାପାଳ ହେମକାନ୍ତ ସୟ ଉପସ୍ଥିତ ଥିଲେ। ଆନ୍ଦୋଳନକାରୀ ମିସନ୍‌ ଶକ୍ତି ମହିଳା ତାଙ୍କୁ ୬ ଦଫା ଦାବିପତ୍ର ପ୍ରଦାନ କରିଥିଲେ। ମିସନ୍‌ ଶକ୍ତି ସଦସ୍ୟାମାନଙ୍କୁ ସ୍ଥାୟୀ ନିଯୁକ୍ତି, ମାସିକ ବେତନ ପ୍ରଦାନ, ମୁଣ୍ଡପିଛା ହାରରେ ଭତ୍ତା ପ୍ରଦାନ, ବରିଷ୍ଠତା ଭିତ୍ତିରେ ପଦୋନ୍ନତି, ସାମାଜିକ ନିରାପତ୍ତା, ବୀମା ସୁବିଧା, ୬୫ ବର୍ଷ ପରେ ପେନ୍‌ସନ୍‌, ଦୁର୍ଘଟଣା ବୀମା ୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ଦାବିପତ୍ରରେ ଉଲ୍ଲେଖ ରହିଛି। ଏ ସମ୍ପର୍କରେ ମିସନ୍‌ ଶକ୍ତି ଜିଲ୍ଲା ସଭାପତି ସୁଦୀପ୍ତା ବାରିକ କହିଛନ୍ତି, ଦୀର୍ଘଦିନ ହେଲା ଆମେ କାମ କରୁଛୁ। ହେଲେ, ସାମାନ୍ୟତମ ସୁବିଧା ପାଉନୁ। ଯାହା ପାଉଛୁ ତାହା ସଂଗଠିତ ଭାବେ ମିଳୁନି। ଆଉ ଏବେ ମିସନ୍‌ ଶକ୍ତିକୁ ଭାଙ୍ଗିବାକୁ ଯୋଜନା କରୁଛନ୍ତି। ତେଣୁ ଏହି ସଂସ୍ଥାକୁ ବଞ୍ଚାଇବା ସହ ଆମେ ଆମ ପରିଚୟ ପାଇଁ ବିକ୍ଷୋଭ କରିଛୁ ବୋଲି ସେ କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button