ଦେଶ ବିଦେଶ

ୟୁକ୍ରେନ ସହ ଯୁଦ୍ଧ ବନ୍ଦ ପାଇଁ ରୁଷ୍‌-ଆମେରିକା ଉଚ୍ଚସ୍ତରୀୟ କଥାବାର୍ତ୍ତା, ଅସନ୍ତୋଷ ପ୍ରକାଶ କଲେ ଜେଲେନ୍‌ସ୍କି

ରିୟାଦ୍‌: ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ଦୀର୍ଘ ତିନି ବର୍ଷ ହେଲା ଚାଲିଥିବା ଯୁଦ୍ଧକୁ ବନ୍ଦ କରିବା ଲାଗି ମଙ୍ଗଳବାର ଆମେରିକା ଓ ରୁଷ୍‌ର ଉଚ୍ଚସ୍ତରୀୟ ଅଧିକାରୀଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଛି। ସାଉଦି ଆରବର ରିୟାଦରେ ହୋଇଥିବା ଏହି କଥାବାର୍ତ୍ତା ଯୁଦ୍ଧକୁ ନେଇ ବିଶ୍ବର ଦୁଇ ପ୍ରମୁଖ ମହାଶକ୍ତି ମଧ୍ୟରେ ପ୍ରଥମ ପ୍ରତ୍ୟକ୍ଷ କଥାବାର୍ତ୍ତା। ପ୍ରାୟ ସାଢେ ଚାରି ଘଣ୍ଟା ଧରି ହୋଇଥିବା କଥାବାର୍ତ୍ତାରେ କୌଣସି ନିଷ୍କର୍ଷ ବାହାରି ପାରି ନାହିଁ। ଆଗାମୀ ଦିନରେ ଏହି ଉଦ୍ୟମ ଜାରି ରହିବ ବୋଲି ଉଭୟ ଦେଶ କହିଛନ୍ତି। ବୈଠକରେ ଯୁଦ୍ଧ ବନ୍ଦ ସହିତ ରୁଷ୍-ଆମେରିକା ସମ୍ପର୍କରେ ସୁଧାର ଆଣିବା ଲାଗି କଥାବାର୍ତ୍ତା ହୋଇଛି। ଏପରିକି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଆସନ୍ତା ସପ୍ତାହରେ ଶିଖର ସମ୍ମିଳନୀ ଆୟୋଜନ ପାଇଁ ଏହା ବାଟ ଖୋଲିବ ବୋଲି କୁହାଯାଉଛି। ୟୁକ୍ରେନ-ରୁଷ୍‌ ଯୁଦ୍ଧର ଅନ୍ତ ହେଉ ନଥିବାବେଳେ ସାଉଦି ଆରବ ଭଳି ଦେଶ ଏଥିରେ ମଧ୍ୟସ୍ଥତା କରିବା ଦେଶର କୂଟନୀତି ପାଇଁ ବଡ ବିଜୟ ହୋଇଛି। ସାଉଦି ଆରବ ସରକାରଙ୍କ ପରାମର୍ଶଦାତା ଅଲି ସିହାବି କହିଛନ୍ତି ଯେ ବିଶ୍ବର ଦୁଇ ମହାଶକ୍ତି ସେମାନଙ୍କ ଅବୁଝାମଣାକୁ ଦୂର କରିବା ଲାଗି ରିୟାଦ ଆସିବା ଆମ ପାଇଁ ବଡ ସମ୍ମାନର ବିଷୟ। ଏହା ସାଉଦି ଆରବକୁ ବିଶ୍ବର ଏକ ପ୍ରଭାବଶାଳୀ ଶକ୍ତି ଭାବେ ପ୍ରମାଣିତ କରୁଛି। ଆଜିର ବୈଠକରେ ରୁଷ୍‌ର ପ୍ରତିନିଧି ଦଳରେ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ, ରୁଷ୍‌ ରାଷ୍ଟ୍ରପତିଙ୍କ ବୈଦେଶିକ ପରାମର୍ଶଦାତା ୟୁରି ଉଷାକୋଭ ଉପସ୍ଥିତ ଥିଲେ। ଆମେରିକାର ପ୍ରତିନିଧି ଦଳରେ ଜାତୀୟ ସୁରକ୍ଷା ପରାମର୍ଶଦାତା ମାଇକ ୱାଲଜ୍‌, ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଓ ମଧ୍ୟପ୍ରାଚ୍ୟ ରାଷ୍ଟ୍ର ପାଇଁ ସ୍ବତନ୍ତ୍ର ପ୍ରତିନିଧି ଷ୍ଟିଭ୍ ୱିକୋଫ୍ ସାମିଲ ଥିଲେ। ବୈଠକରେ ମଧ୍ୟସ୍ଥତା ରାଷ୍ଟ୍ରର ପ୍ରତିନିଧି ଭାବେ ସାଉଦି ଆରବ ବୈଦେଶିକ ମନ୍ତ୍ରୀ ଫୈଜଲ ବିନ୍ ଫରହାନ ଅଲ୍‌ ସୌଦ, ସାଉଦି ଆରବ ଜାତୀୟ ସୁରକ୍ଷା ପରାମର୍ଶଦାତା ମୋସାଦ୍ ବିନ୍ ମହମ୍ମଦ ଅଲ୍ ଏବାନ ଉପସ୍ଥିତ ରହିଥିଲେ।
ରୁଷ୍‌-ୟୁକ୍ରେନ ଯୁଦ୍ଧ ବନ୍ଦ କଥାବାର୍ତ୍ତାରେ ୟୁକ୍ରେନକୁ ସାମିଲ କରାଯାଇ ନଥିବାରୁ କିଭ୍‌ ଅସନ୍ତୋଷ ବ୍ୟକ୍ତ କରିଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲଡମିରି ଜେଲେନସ୍କି କହିଛନ୍ତି ଯେ କିଭ୍‌କୁ ପଛରେ ରଖି ଯୁଦ୍ଧ ବନ୍ଦ କରିବା ଲାଗି କୌଣସି ନିଷ୍ପତ୍ତି ନିଆଯାଇପାରିବ ନାହିଁ। ସେ କହିଛନ୍ତି ଯେ ଆମକୁ ଏହି ବୈଠକକୁ ଡକାଯାଇ ନାହିଁ କି ଆମେ ଏ ସମ୍ପର୍କରେ ଅବଗତ ନାହୁଁ। ଜେଲେନସ୍କି ଏପରି କହିବା ସହିତ ବୁଧବାର (ଫେବୃଆରୀ ୧୯)ରେ ତାଙ୍କର ପ୍ରସ୍ତାବିତ ସାଉଦି ଆରବ ଗସ୍ତକୁ ସ୍ଥଗିତ ରଖିଛନ୍ତି। ମାର୍ଚ୍ଚ ୧୦ ପର‌୍ୟ୍ୟନ୍ତ ସେ ସାଉଦି ଆରବ ଯିବେ ନାହିଁ ବୋଲି ମଙ୍ଗଳବାର କହିଛନ୍ତି। ଯୁଦ୍ଧ ବନ୍ଦ କଥାବାର୍ତ୍ତାରେ ଆମେରିକା ସହିତ ୟୁକ୍ରେନ ଓ ୟୁରୋପ ଯୋଗଦାନ ଜରୁରୀ। ଆମେ ଚାହୁଁ ନାହୁଁ ଯେ ଆମକୁ ପଛରେ ରଖି କେହି ଆମ ସମ୍ପର୍କରେ କିଛି ନିଷ୍ପତ୍ତି ନେଉ। ଯୁଦ୍ଧ ବନ୍ଦ ପାଇଁ ଦୁଇଦେଶ କୌଣସି ନିଷ୍ପତ୍ତି ନେଲେ ଆମେ ତାକୁ ଗ୍ରହଣ କରିବୁ ନାହିଁ। ତେବେ ରୁଷ୍ ଓ ଆମେରିକା ଯୁଦ୍ଧ ବନ୍ଦ ଲାଗି କୌଣସି ଏକ ବୁଝାମଣା କରି ୟୁକ୍ରେନ ଉପରେ ଏହାକୁ ବଳପୂର୍ବକ ଲଦି ଦେବାକୁ ଚେଷ୍ଟା କରୁଥିବାର ଆଶଙ୍କା ପ୍ରକାଶ ପାଇଛି। ୨୦୨୨ ଫେବୃୃଆରୀ ୨୪ରୁ ରୁଷ୍ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button