ଏନ୍ସିଆର୍ବି ରିପୋର୍ଟରେ ଓଡ଼ିଶା: ଶିଶୁ, ଅର୍ଥନୈତିକ ଅପରାଧ ଉପରମୁହଁା – Utkal Mail
ଲକ୍ଷେରେ ୩ ଜଣ ହତ୍ୟାର ଶିକାର
ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଅପରାଧିକ ମାମଲା ବଢ଼ିବାରେ ଲାଗିଛି। ଜାତୀୟ ଅପରାଧ ନଥି ସଂସ୍ଥା (ଏନ୍ସିଆର୍ବି)ର ତଥ୍ୟ ମୁତାବକ ୨୦୨୧ରେ ୧ ଲକ୍ଷ ୫୫ ହଜାର ୪୨୦ଟି ଅପରାଧିକ ମାମଲା ରୁଜୁ ହୋଇଥିବା ବେଳେ ୨୦୨୨ରେ ଏହା ବୃଦ୍ଧି ପାଇ ୧ ଲକ୍ଷ ୭୮ ହଜାର ୧୯୦ରେ ପହଞ୍ଚିଛି। ଅର୍ଥାତ୍ ଅପରାଧ ପାଖାପାଖି ୧୫ ପ୍ରତିଶତ ବଢ଼ିଛି। ତେବେ ଏ ହିସାବରେ ଥିବା ଭଲଚିତ୍ରଟି ହେଉଛି, ପୂର୍ବ ବର୍ଷ ତୁଳନାରେ ରାଜ୍ୟରେ ମହିଳା ବିରୋଧୀ ଅପରାଧ କମିଛି। ୨୦୨୧ରେ ରାଜ୍ୟରେ ୩୧ ହଜାର ୩୫୨ଟି ମହିଳା ବିରୋଧୀ ଅପରାଧ ଘଟିଥିବା ବେଳେ ୨୦୨୨ରେ ଏହା ୨୩ ହଜାର ୬୪୮କୁ ଖସି ଆସିଛି। ତଥାପି ମହିଳା ବିରୋଧୀ ଅପରାଧ ମାମଲାରେ ଓଡ଼ିଶା ଦେଶରେ ସପ୍ତମ ସ୍ଥାନରେ ରହିଛି। ଆହୁରି ଉଦ୍ବେଗର ବିଷୟ ହେଉଛି, ଅସଦାଚରଣ ଓ ଦୁଷ୍କର୍ମ ସହ ହତ୍ୟା ମାମଲା ଓଡ଼ିଶା ଦେଶରେ ଚତୁର୍ଥ ସ୍ଥାନରେ ରହିଛି। ୨୦୨୨ରେ ରାଜ୍ୟରେ ୭ ହଜାର ୩୩୭ଟି ଅସଦାଚରଣ ମାମଲା ରୁଜୁ ହୋଇଛି। ସେହିପରି ୧୪୬୪ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ୧୪ଟି ଦୁଷ୍କର୍ମ ସହ ହତ୍ୟା ମାମଲା ଦୃଷ୍ଟିକୁ ଆସିଛି। ଏ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଦେଶରେ ଚତୁର୍ଥ। ଏହି ସମୟରେ ରାଜ୍ୟରେ ୨୬୩ଟି ଯୌତୁକଜନିତ ମାମଲା ରୁଜୁ ହୋଇଛି।
ଆଉ ଗୋଟିଏ ଭଲ ଖବର ହେଉଛି, ରାଜ୍ୟରେ ହତ୍ୟା ମାମଲା କମିଛି। ୨୦୧୦ରେ ୧୪୭୦ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ୨୦୨୧ରେ ଏହା କମି ୧୩୯୪ରେ ପହଞ୍ଚିଥିଲା। ୨୦୨୨ରେ ଏହା ୧୩୭୯କୁ କମି ଆସିଛି। ଜନସଂଖ୍ୟାକୁ ହିସାବକୁ ନେଲେ, ଏହି ତଥ୍ୟ ମୁତାବକ ରାଜ୍ୟରେ ବାର୍ଷିକ ପ୍ରତି ଲକ୍ଷେ ଲୋକରୁ ୩ ଜଣ ହତ୍ୟାର ଶିକାର ହେଉଛନ୍ତି। ଶିଶୁ ବିରୋଧୀ ଅପରାଧ ମାମଲାରେ ସାମ୍ନାକୁ ଆସିଥିବା ଚିତ୍ରଟି ବେଶ୍ ଚିନ୍ତାଜନକ। ୨୦୨୦ ମସିହାରେ ଏହି ସଂକ୍ରାନ୍ତ ୬୩୩୦ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୨୧ରେ ତାହା ୭୮୯୯କୁ ବଢ଼ି ୨୦୨୨ରେ ୮୨୪୦ରେ ପହଞ୍ଚି ଯାଇଥିବା ଏନ୍ସିଆର୍ବି ତଥ୍ୟ କହୁଛି। ଏହାଛଡ଼ା ପୂର୍ବବର୍ଷ ଅପେକ୍ଷା ଅର୍ଥନୈତିକ ଅପରାଧ ବଢ଼ିଛି। ୨୦୨୧ରେ ୬୧୧୫ଟି ଅର୍ଥନୈତିକ ଅପରାଧ ମାମଲା ରୁଜୁ ହୋଇଥିବା ବେଳେ ୨୦୨୨ରେ ୬୨୨୯ଟି ମାମଲା ରୁଜୁ ହୋଇଛି। ତେବେ ସାଧାରଣ ଧାରଣାର ବିପରୀତ ସାଇବର ଅପରାଧ ୨୦୨୧ ତୁଳନାରେ ୨୦୨୨ରେ ଆଶ୍ଚର୍ଯ୍ୟଜନକ ଭାବେ କମିଛି। ୨୦୨୧ରେ ୨୦୩୭ଟି ଏପରି ମାମଲା ରୁଜୁ ହୋଇଥିବା ବେଳେ ୨୦୨୨ରେ ୧୯୮୩ଟି ମାମଲା ରୁଜୁ ହୋଇଛି।