ଓଡିଶା

ମହିଳାମାନେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପାଇଁ କାର୍ଯ୍ୟ କରୁଛନ୍ତି ରାଜଲକ୍ଷ୍ମୀ

ବିଶ୍ୱ, ଦେଶ ତଥା ରାଜ୍ୟରେ ପାଳିତ ହୋଇଯାଇଛି ଅନ୍ତର୍ଜାତୀୟ ମହିଳା ଦିବସ । ମହିଳା ସଶକ୍ତିକରଣ ବାର୍ତ୍ତା ବିଶ୍ୱର କୋଣ ଅନୁକୋଣରେ ପ୍ରତିଧ୍ୱନିତ ହୋଇଛି । ସମାଜର ପ୍ରତିକ୍ଷେତ୍ରରେ ନାରୀର ଉପସ୍ଥାପନା ପୂର୍ବ ଅପେକ୍ଷା ବଢି ଚାଲିଛି । ଦୁନିଆର ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ପ୍ରତି ସମ୍ମାନ, ପ୍ରଶଂସା ଏବଂ ଭଲପାଇବାକୁ ପ୍ରକାଶ କରିବା ଉଦ୍ଦେଶ୍ୟରେ ପାଳନ କରାଯାଇଛି ଏହି ମହିଳା ଦିବସ ।

ଦିନଥିଲା ମହିଳାମାନେ ଘର କୋଣରେ ରହୁଥିଲେ । ଆଜି ସମୟ ବଦଳିଛି ,ମହିଳା ମାନେ ଘର କୋଣରୁ ବାହାରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି । ବିଭିନ୍ନ ସରକାରୀ ଏବଂ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରି ମହିଳାମାନେ ନିଜର ଦକ୍ଷତାକୁ ପ୍ରକାଶ କରିପାରିଛନ୍ତି । ଆଜିର ସାମାଜିକ କ୍ଷେତ୍ରରେ ପୁରୁଷ ମାନଙ୍କ ସହିତ ମହିଳାମାନେ ନିଜକୁ ସାମିଲ କରିଛନ୍ତି । ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବାରେ ସରକାରଙ୍କ ପ୍ରମୁଖ ଭୂମିକା ରହିଛି । ଜଣେ ସଫଳ ମହିଳାଙ୍କ ସଂଘର୍ଷମୟ କାହାଣୀ ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।

ଅସ୍ତରଙ୍ଗ ବ୍ଲକର ମାନ୍ଦୁକି ପଞ୍ଚାୟତର ସାୟଙ୍ଗ ଗାଁର ରାଜଲକ୍ଷ୍ମୀ ଜେନା । ରାଜଲକ୍ଷ୍ମୀ ମାନ୍ଦୁକି ପଞ୍ଚାୟତର MBK ଭାବରେ କାର୍ଯ୍ୟ କରୁଛନ୍ତି । ଏହି ପଞ୍ଚାୟତର ୧୬୦ ଗୋଟି ମହିଳା ଗୋଷ୍ଠିଙ୍କ ନେତୃତ୍ବ ନେଇଛନ୍ତି ରାଜଲକ୍ଷ୍ମୀ । ୧୧୦୦ରୁ ଅଧିକ ମହିଳାମାନଙ୍କ ପାଇଁ ସେ ସଦାସର୍ବଦା କାର୍ଯ୍ୟ କରିଥାନ୍ତି । ଏହି ପଞ୍ଚାୟତର ୨୦୦ ମହିଳାଙ୍କୁ ସରକାରଙ୍କ ଲକ୍ଷପତି ଦିଦି ଯୋଜନାରେ ସାମିଲ କରି ସେମାନଙ୍କୁ ଆର୍ଥିକ ଭାବେ ସ୍ବାବଲମ୍ବୀ କରାଇ ପାରିଛନ୍ତି । ଏହି ପଞ୍ଚାୟତର ପ୍ରତ୍ୟେକ ମହିଳା କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପାଇଁ ସେ କାର୍ଯ୍ୟ କରୁଛନ୍ତି । ମହିଳା ସଶକ୍ତିକରଣ ଯୋଜନାରେ MBK ବିଏଚଏବିଇ କାର୍ଯ୍ୟ କରିବା ସହିତ ଗ୍ରାମ୍ୟ ପାନୀୟଜଳ ଏବଂ ପରିମଳ ବିଭାଗ ପକ୍ଷରୁ ରାଜଲକ୍ଷ୍ମୀଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଗ୍ରାମାଞ୍ଚଳରେ ରହିଥିବା ନଳକୂପଗୁଡ଼ିକର ପାଣିର ମାନ ଯାଞ୍ଚ କରିବା ପାଇଁ ତାଙ୍କୁ ଦାୟିତ୍ବ ଦିଆଯାଇଛି ।

ମାନ୍ଦୁକି ପଞ୍ଚାୟତର ଶତାଧିକ ମହିଳାଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ରାଜଲକ୍ଷ୍ମୀ ଜେନା । ମହିଳାମାନଙ୍କ ସାମାଜିକ ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ ଅନେକ କାର୍ଯ୍ୟ କରିବା ସହିତ ଗାଁ କୁ ଗାଁ ବୁଲି ସଚେତନତାର ବାର୍ତ୍ତା ଦେଉଛନ୍ତି । ମହିଳା ମାନେ କିଭଳି ଗର୍ଭାବସ୍ଥା ସମୟରେ ସୁସ୍ଥ ଏବଂ ସତର୍କ ରହିବେ ସେଥି ପାଇଁ ସେ ଗାଁକୁ ଗାଁ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି । ଏହା ସହିତ କନ୍ୟା ଭୃଣ ହତ୍ୟା ନକରିବା ,ବାଲ୍ୟ ବିବାହ ପ୍ରଥାକୁ ବିରୋଧ କରି କନ୍ୟା ରତ୍ନଙ୍କୁ ସଠିକ ଭାବରେ ଶିକ୍ଷା ପ୍ରଦାନ କରିବା ସହିତ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ଯତ୍ନ ନେବା ଭଳି ଅନେକ ସଚେତନତା କାର୍ଯ୍ୟ ଜାରି ରଖିଛନ୍ତି । ବିଶେଷ ଭାବରେ ଅସ୍ତରଙ୍ଗ ବ୍ଲକର ମାନ୍ଦୁକି ପଞ୍ଚାୟତ ସମୁଦ୍ର ନିକଟବର୍ତ୍ତି ହୋଇଥିବାରୁ ଏଠାକାର ଭୂମଧ୍ୟ ତଳ ଜଳ ପ୍ରାୟତଃ ଲୁଣିଆ ଏବଂ ପାଣିରେ ଆଇରନ ରହିଥାଏ । ଅଧିକାଂଶ ନଳକୂପରୁ ଆସୁଥିବା ପାଣିରେ ଆଇରନ ସହିତ ଫ୍ଲୋରାଇଡର ପରିମାଣ ଅଧିକ ରହିଥାଏ । ଏହି ସବୁ ଦୂଷିତ ଜଳ ପିଇ ଗାଁର ଅଧିକାଂଶ ଲୋକେ ପେଟ ରୋଗ ,କିଡିନୀ ଜନିତ ରୋଗରେ ପଡିଥାନ୍ତି ।

ରାଜଲକ୍ଷ୍ମୀ ଜେନା ନଳକୂପର ଜଳର ମାନକୁ ପରୀକ୍ଷା କରି ସେହି ଜଳରେ ରହିଥିବା ତତ୍ବର ମାନକୁ ଚିହ୍ନଟ କରିଥାନ୍ତି । ତେବେ ଦୂଷିତ ଜଳ ଆସୁଥିବା ନଳକୂପର ଜଳକୁ ନ ପିଇବା ପାଇଁ ଲୋକମାନଙ୍କୁ ସଚେତନ କରିଥାନ୍ତି । ରାଜଲକ୍ଷ୍ମୀ ନିଜେ ଏହି କାର୍ଯ୍ୟ କରିବା ସହିତ ମହିଳା ଗୋଷ୍ଠୀରୁ ଋଣ ନେଇ ସ୍ବାମୀଙ୍କ ପାଇଁ ଏକ ସାଇକେଲ ରିପ୍ୟାରିଙ୍ଗ ଦୋକାନ କରାଇ ସ୍ବାମୀଙ୍କୁ ଆତ୍ମନିର୍ଭରଶୀଳ କରାଇବାରେ ସକ୍ଷମ ହୋଇପାରିଛନ୍ତି । ଯାହା ଅନ୍ୟ ମହିଳାଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚିତ ।

Related Articles

Leave a Reply

Your email address will not be published. Required fields are marked *

Back to top button