ଜନ୍ମରୁ ଦୃଷ୍ଟି ବାଧିତ ଲକ୍ଷ୍ମଣ ଶବରଙ୍କୁ ବିବାହ କରି ଚର୍ଚ୍ଚାରେ ଚନ୍ଦ୍ରମା, ଚାରିଆଡୁ ଛୁଟୁଛି ପ୍ରଶଂସା

ଗୁଣୁପୁର: ସେ ସରଳ କିନ୍ତୁ ନିରୀହ ନୁହେଁ, ସେ କୋମଳ କିନ୍ତୁ କମଜୋର ନୁହେଁ ସେ ଚଞ୍ଚଳ କିନ୍ତୁ ନିଜ ପ୍ରତିଜ୍ଞାରେ ହୋଇପାରେ ଦୃଢ ପରିକର । ତା ପାଖରେ ଅଛି ପରକୁ ଆପଣ କରିବାର କୌଶଳ, ସବୁ ବାଧା ବିଘ୍ନକୁ ଅଣଦେଖା କରି ଆଗକୁ ବଢିବାର ଅପରିସୀମ ଶକ୍ତି । ସେ ହେଉଛି ନାରୀ ସୃଷ୍ଟି କର୍ତ୍ତାଙ୍କର ଅନନ୍ୟ ସୃଷ୍ଟି । ସେହିଭଳି ଜଣେ ମହାନ ନାରୀ ହେଉଛନ୍ତି କୋରାପୁଟ ଜିଲ୍ଲା ଜୟପୁର ସହରର ଏକ ମଧ୍ୟମିତ ଶ୍ରେଣୀ ପରିବାରରେ ଜନ୍ମିତ ଚନ୍ଦ୍ରମା ସାହୁ । ନାଁ ଯେମିତି କାମ ବି ସେମିତି ।
ପିଲାଟି ଦିନରୁ ଶିକ୍ଷା, ସଂସ୍କାର, ତ୍ୟାଗ ଓ ସମ୍ପର୍ପଣ ଭାବନାକୁ ପାଥେୟ କରି ନିଜ ଜୀବନ ଗଢି ତୋଳିବାର ସ୍ବପ୍ନ ଦେଖିଥିଲେ । ପଢା ସାରିବା ପରେ ଅନ୍ୟ ଝିଅମାନଙ୍କ ପରି ସୁଖ ଓ ବିଳାସମୟ ଜୀବନକୁ ଗ୍ରହଣ ନକରି ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକର ଖିଲାପଦର ଗାଁର ଭିନ୍ନକ୍ଷମ ଲକ୍ଷ୍ମଣ ଶବରଙ୍କୁ ବିବାହ କରି ସମାଜ ପାଇଁ ଏକ ଅନନ୍ୟ ଉଦାହରଣ ପାଲଟିଛନ୍ତି ସେ । ପିତାମାତା ଓ ଦୁଇ ବଡ଼ ଭାଇଙ୍କ ଅଲିଅଳି ଚନ୍ଦ୍ରମା ସ୍ବପ୍ନ ଓ ବିଳାସର ଜୀବନକୁ କଦାଚିତ ଗ୍ରହଣ କରିନାହାନ୍ତି ।
ପାଠ ପଢିବା ସମୟରୁ ଭିନ୍ନକ୍ଷମମାନଙ୍କ ପ୍ରତି ତାଙ୍କ ଦୃଷ୍ଟିକୋଣ ସବୁବେଳେ ଅଲଗା । ତେଣୁ ଚନ୍ଦ୍ରମାର ଶୀତଳତା ଓ ଆଲୋକ ଭଳି ଅନ୍ଧାରରେ ଜୀବନ ବିତାଉଥିବା ଲକ୍ଷ୍ମଣ ଶବରଙ୍କ ଜୀବନରେ ଆସିଲେ । ଆଜିର ସ୍ୱାର୍ଥପର ସମାଜରେ ଚନ୍ଦ୍ରମାଙ୍କ ଏଭଳି ନିଷ୍ପତି ଦେଖି ବୁଦ୍ଧିଜୀବୀ ମହଲରେ ତାଙ୍କର ଖୁବ ପ୍ରଶଂସା କରାଯାଉଛି । ଏହା ଆମ ସମାଜ ପାଇଁ ଆଦର୍ଶ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ନିଜ ଜୀବନରେ ଉଚ୍ଚ ଆକାଂକ୍ଷା ନ ରଖି ଜନ୍ମରୁ ଦୃଷ୍ଟି ବାଧିତ ଲକ୍ଷ୍ମଣ ଶବରଙ୍କ ଜୀବନରେ ଚନ୍ଦ୍ରମାଙ୍କ ଆଗମନ କେବଳ ତାଙ୍କୁ ସାହସ ଦେଇନି ସମାଜରେ ଏକ ଉଚ୍ଚକୋଟୀର ପରିଚୟ ମଧ୍ୟ ଦେଇପାରିଛି ।
ପିଲାଟି ଦିନରୁ ସଂଗୀତ ପ୍ରତି ଆଗ୍ରହ ରଖୁଥିବା ଲକ୍ଷ୍ମଣ ଶବରଙ୍କୁ ଚନ୍ଦ୍ରମାଙ୍କ ମାଧ୍ୟମରେ ମିଳୁଛି ବଡ ଧରଣର ମଞ୍ଚ କାର୍ଯ୍ୟକ୍ରମରେ ଗୀତ ଗାଇବାର ସୁଯୋଗ । ନିଜେ ଉଚ୍ଚ ଶିକ୍ଷିତ ଓ ବୈଷୟିକ ଶିକ୍ଷ୍ୟା ଗ୍ରହଣ କରିଥିଲେ ମଧ୍ୟ ପାରମ୍ପରିକ ବିବାହ ବନ୍ଧନରେ ବାନ୍ଧି ହେବା ପରେ ଏବେ ଲକ୍ଷ୍ମଣକୁ ମିଳିଛି ସ୍ୱତନ୍ତ୍ର ପରିଚୟ । ଯାହାପରେ ନାରୀ ଜାତି ପ୍ରତି ତାଙ୍କର ସମ୍ମାନ ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଳାସମୟ ଜୀବନକୁ ଆଦରି ନେଉଥିବା ଯୁବ ସମାଜ ନିମନ୍ତେ ଚନ୍ଦ୍ରମା ନିଶ୍ଚୟ ଏକ ଆଦର୍ଶ ହେବେ ଏଥିରେ କୌଣସି ଦ୍ବିମତ ନାହିଁ ।