ଶିକ୍ଷା

ବେକାର ଯୁବକ ଯୁବତୀଙ୍କୁ ଆତ୍ମନିଯୁକ୍ତିର ସୁଯୋଗ ଦେବା ଉଦ୍ଦେଶ୍ୟରେ ଆଶାୟୀମାନଙ୍କୁ କରାଗଲା ନିରାଶ

ବେକାର ଯୁବକ ଯୁବତୀଙ୍କୁ ଆତ୍ମନିଯୁକ୍ତିର ସୁଯୋଗ ଦେବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଜିଲ୍ଲାରେ ଆୟୋଜିତ ହେଉଛି ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା । ଶିଳ୍ପ ପ୍ରତିଷ୍ଠା ହେଲେ ନିଯୁକ୍ତିର ସୁଯୋଗ ସୃଷ୍ଠି ହେବ । ବେକାରୀ ସମସ୍ୟା ଦୂର ହେବ । ଏଭଳି କିଛି ପ୍ରଚାର କରି ଯାଜପୁର ଜିଲ୍ଲାରେ ୧୦ରୁ ଉର୍ଦ୍ଧ୍ବ ଶିଳ୍ପ ସଂସ୍ଥା ପ୍ରତିଷ୍ଠା ହୋଇଛି । ହେଲେ ନିଯୁକ୍ତି ବେଳକୁ ସେହି କମ୍ପାନୀମାନଙ୍କର ଦେଖା ନାହିଁ ।

ଏନ୍ ସି କଲେଜ୍ କ୍ୟାମ୍ପସରେ ଆୟୋଜିତ ହୋଇଛି ଜିଲା ସ୍ତରୀୟ ନିଯୁକ୍ତି ମେଳା । ଯେଉଁଠି କେବଳ ସିକ୍ୟୁରିଟି ସଂସ୍ଥା ଓ ଅନ୍ୟାନ୍ୟ ଛୋଟ ଛୋଟ ଅନାମଧେୟ କମ୍ପାନୀମାନଙ୍କୁ ଦେଖିବାକୁ ମିଳିଛି । ଏହି କମ୍ପାନୀମାନେ କେତେ ସ୍ଥାନୀୟ ବେକାରମାନଙ୍କୁ ନିଯୁକ୍ତି ଦେବେ ତାକୁ ନେଇ ସନ୍ଦେହ ଦେଖାଦେଇଛି । ବଡ ବଡ କମ୍ପାନୀରେ ଚାକିରି ପାଇବା ଆଶାରେ ଆସିଥିବା ଆଶାୟୀମାନେ ନିରାଶ ହୋଇ ଘରକୁ ଫେରିଛନ୍ତି ।

ପ୍ରତିବର୍ଷ ଏଭଳି ନିଯୁକ୍ତି ମେଳା ଆୟୋଜନ କରୁଛି ଜିଲ୍ଲା ପ୍ରଶାସନ । କିନ୍ତୁ କଳିଙ୍ଗନଗରରେ ଥିବା ଶିଳ୍ପ ସଂସ୍ଥାମାନେ ଜିଲ୍ଲା ପ୍ରଶାସନକୁ ଅବଜ୍ଞା କରି ଏହି ନିଯୁକ୍ତି ମେଳାକୁ ଆସୁନାହାନ୍ତି । କେବଳ ନିଯୁକ୍ତି ମେଳା ନାଁରେ ସ୍ଥାନୀୟ ବେକାରମାନଙ୍କୁ ଭଣ୍ଡାଇବା ପାଇଁ ବିଭିନ୍ନ ଛୋଟ ଛୋଟ କମ୍ପାନୀମାନଙ୍କୁ ଡାକି ଆଶାୟୀମାନଙ୍କ ଡାଟା ସଂଗ୍ରହ କରାଯାଉଛି । କେହି କେହି ଆଶାୟୀମାନଙ୍କୁ ତାଲିମ ଯୋଗାଇଦେବାର ପ୍ରତିଶ୍ରୁତି ଦେଉଛନ୍ତି । ତେବେ ବିଭିନ୍ନ କମ୍ପାନୀଙ୍କୁ ଏଠାକୁ ନିମନ୍ତ୍ରଣ ଦିଆଯାଇଥିଲା କିନ୍ତୁ କେହି ଆସିନଥିଲେ ବୋଲି ଜିଲ୍ଲା ନିୟୋଜନ ଅଧିକାରୀ କହିଛନ୍ତି ।

ଏହି ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳାରେ ଯାଜପୁର ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ପ୍ରତିବର୍ଷ ନିଯୁକ୍ତି ମେଳା ନାଁରେ ବେକାର ଯୁବକ ଯୁବତୀମାନଙ୍କୁ ଉପହାସ କରାଯାଉଥିବା ଅଭିଯୋଗ ହୋଇଛି । ଯାଜପୁରରେ ୧୦ରୁ ଉର୍ଦ୍ଧ୍ବ ଶିଳ୍ପ ସଂସ୍ଥା ରହିଥିଲେ ମଧ୍ୟ ଗୋଟିଏ ବି କମ୍ପାନୀ ଏହି ନିଯୁକ୍ତି ମେଳାରେ ସାମିଲ ହୋଇ ନାହାଁନ୍ତି । ଯାହା ଆଶାୟୀମାନଙ୍କୁ ନିରାଶ କରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button