ଓଡିଶା

ସ୍ୱାମୀଙ୍କ ମୃତ୍ୟୁର ୧୦ମାସ ପରେ ବି ମିଳୁନି ପୋଷ୍ଟମର୍ଟମ ରିପୋର୍ଟ କି ଡେଥ୍ ସାର୍ଟିଫିକେଟ

ଦିନ ପରେ ଦିନ ବିତି ଚାଲିଛି । ସ୍ବାମୀ ମୃତ୍ୟୁକୁ ୧୦ ମାସ ହୋଇଗଲାଣି । କିନ୍ତୁ ସ୍ବାମୀଙ୍କ ମୃତ୍ୟୁ କେମିତି ହେଲା ତାହା ଜାଣି ନାହାନ୍ତି ସ୍ତ୍ରୀ । ବିଚାରାଧୀନ ବନ୍ଦୀଭାବେ ସ୍ବାମୀ ରଞ୍ଜନ ମଳିକ କେନ୍ଦ୍ରାପଡା ଜିଲ୍ଲା ଉପ-କାରାଗାରରେ ଥିଲେ । କିନ୍ତୁ ହଠାତ ରଞ୍ଜନ ମଳିକଙ୍କ ପତ୍ନୀ ଗେଲ୍ଲେଇ ମଳିକଙ୍କୁ ଖବର ଆସିଲା ତାଙ୍କ ସ୍ବାମୀ ଆଉ ଏ ଦୁନିଆରେ ନାହାନ୍ତି । ସ୍ବାମୀ ମୃତ୍ୟୁ ଖବର ଶୁଣି ଗେଲ୍ଲେଇ ମଲିକଙ୍କ ପାଦ ତଳୁ ଯେମିତି ମାଟି ଖସିଗଲା । ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଲେ । କିନ୍ତୁ ସେତେବେଳକୁ ଆଉ କିଛି ବାକି ନଥିଲା । ରଞ୍ଜନ ନିଜ ସ୍ତ୍ରୀ ପିଲାଙ୍କୁ ଛାଡ଼ି ଏ ଦୁନିଆରୁ ବିଦାୟ ନେଇ ସାରିଥିଲେ । କିନ୍ତୁ ଏବେ ପ୍ରଶ୍ନ ଉଠୁଛି ରଞ୍ଜନଙ୍କ ମୃତ୍ୟୁ କେମିତି ହେଲା । ସେ ଯଦି ଅସୁସ୍ଥ ଥିଲେ ତେବେ ତାଙ୍କ ବ୍ୟବଚ୍ଛେଦ ରିପୋର୍ଟ କାହିଁକି ଗେଲ୍ଲେଇ ମଳିକଙ୍କୁ ଦିଆଯାଇ ନାହିଁ । ଡେଥ୍ ସାର୍ଟିଫିକେଟ ଖଣ୍ଡିକ ପାଇଁ ବାରମ୍ବାର ଘୂରି ହେଉଥିଲେ ବି ଏ ଗରିବ ମହିଳାଙ୍କ କଥାକୁ କେହି ଯେମିତି ଶୁଣୁ ନାହାନ୍ତି ।

ସ୍ବାମୀଙ୍କ ମୃତ୍ୟୁର ୧୦ ମାସ ପରେ ବି ମିଳୁନି ବ୍ୟବଚ୍ଛେଦ ରିପୋର୍ଟ କି ଡେଥ୍ ସାର୍ଟିଫିକେଟ । ଜିଲାପାଳଙ୍କ ମିଳିତ ଜନଶୁଣାଣୀରେ ଗୁହାରି କରିଛନ୍ତି ମୃତକଙ୍କ ପତ୍ନୀ ଗେଲ୍ଲେଇ ମଳିକ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ବରୁଣାଡ଼ିଆ ଗାଁର ରଞ୍ଜନ ମଳିକଙ୍କ ମୃତ୍ୟୁର ୧୦ମାସ ପରେ ତାଙ୍କ ସ୍ତ୍ରୀଙ୍କୁ ବ୍ୟବଚ୍ଛେଦ ରିପୋର୍ଟ କିମ୍ବା ଡେଥ୍ ସାର୍ଟିଫିକେଟ ମିଳୁନଥିବା ଅଭିଯୋଗ ହୋଇଛି । ଏନେଇ ଗେଲ୍ଲେଇ ମଳିକ ଜିଲାପାଳଙ୍କ ମିଳିତ ଜନ ଶୁଣାଣିରେ ଗୁହାରି କରିଛନ୍ତି ।

ରଞ୍ଜନ ମଳିକ କେନ୍ଦ୍ରାପଡା ଜିଲ୍ଲା ଉପ-କାରାଗାରରେ ବିଚାରାଧୀନ ବନ୍ଦୀଭାବେ ଥିବାବେଳେ ଗତ ୧୭/୫/୨୪ରେ ତାଙ୍କର ମୃତ୍ୟୁ ଘଟିଥିଲା । ହେଲେ ସ୍ବାମୀଙ୍କ ମୃତ୍ୟୁ କିପରି ହୋଇଛି ତାହା ସ୍ପଷ୍ଟ କରିବା ପାଇଁ ମୃତ ରଞ୍ଜନ ମଳିକଙ୍କ ପତ୍ନୀ ଗେଲ୍ଲେଇ ମଳିକ ଜିଲାପାଳଙ୍କ ମିଳିତ ଜନଶୁଣାଣୀରେ ନିବେଦନ କରିଛନ୍ତି ।

ପିଏମ୍ ରିପୋର୍ଟ ପାଇଁ ବାରମ୍ବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଥାନାକୁ ଦୌଡ଼ି ଦୌଡ଼ି ନିରାଶ ହୋଇଛନ୍ତି ମୃତକଙ୍କ ପତ୍ନୀ । ଛାଳ ଛପର ଘରେ ଗେଲ୍ଲେଇ ମଳିକଙ୍କ ଜୀବନ କଟେ । ଛୁଆଙ୍କ ମୁହଁରେ ଦାନା ମୁଠେ ଦେବା ପାଇଁ ସଂଘର୍ଷ କରି ଚାଲିଛନ୍ତି ଏ ଗରିବ ମହିଳା । ନିଜ ସ୍ବାମୀଙ୍କ ମୃତ୍ୟୁ କେମିତି ହେଲା ଜାଣିବାକୁ ଚାହୁଁଛନ୍ତି ଗେଲ୍ଲେଇ । ଏପରିସ୍ଥଳେ ତାଙ୍କ ସମସ୍ୟାର ସମାଧାନ କରାଗଲେ ହୁଏତ ରଞ୍ଜନଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ।

Related Articles

Leave a Reply

Your email address will not be published. Required fields are marked *

Back to top button