ଓଡିଶାରେ ପୁଣି 26 କରୋନା ଆକ୍ରାନ୍ତଙ୍କ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତୋଟି

ରାଜ୍ୟରେ ଆଉ ୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଂଜାମର ୧୯, କେନ୍ଦ୍ରାପଡାରୁ ୫ ଓ ଭଦ୍ରକରୁ ୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟରେ ଏବେ ୧୮୧ଟି ଆକ୍ଟିଭ ମାମଲା ରହିଛି । ୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଗଞ୍ଜାମ ଜିଲ୍ଲାର ସମସ୍ତ ୧୯ ସଂକ୍ରମିତ ପୁରୁଷ ଅଟନ୍ତି । ସେମାନଙ୍କ ବୟସ ଯଥାକ୍ରମେ ୨୬, ୪୫, ୨୧, ୩୮, ୪୦, ୩୩, ୪୫, ୩୧, ୨୩, ୪୭, ୩୫, ୨୪, ୩୦, ୧୮, ୨୯, ୫୭, ୩୮, ୩୧ ଏବଂ ୫୮ ବର୍ଷ । ସମସ୍ତ ଆକ୍ରାନ୍ତ ସୁରଟରୁ ଫେରିଥିବା ସୂଚନା ଓ ଲୋକ ସଂପର୍କ ବିଭାଗ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରିଛି ।
ସେହିଭଳି କେନ୍ଦ୍ରାପଡା ଜିଲ୍ଲାର ୫ଜଣ ପୁରୁଷ ରହିଛନ୍ତି । ସେମାନଙ୍କ ବୟସ ଯଥାକ୍ରମେ ୩୨, ୩୩, ୨୭, ୩୫ ଏବଂ ୩୧ ବର୍ଷ । ଏମାନେ ସମସ୍ତେ ମଧ୍ୟ ସୁରଟରୁ ଫେରିଥିବା ସୂଚନା ମିଳିଛି । ସେହିଭଳି ଭଦ୍ରକ ଜିଲ୍ଲାର ଦୁଇ ଜଣ ସଂକ୍ରମିତ ପୁରୁଷ ଅଟନ୍ତି । ସେମାନଙ୍କ ବୟସ ଯଥାକ୍ରମେ ୨୧ ଏବଂ ୪୧ ବର୍ଷ ।
ସୂଚନାଯୋଗ୍ୟ, ଗତକାଲି୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ଏହି ୩୪ ଜଣଙ୍କ ମଧ୍ୟରୁ କେବଳ ଗଞ୍ଜାମରୁ ୨୪ ଜଣ ଚିହ୍ନଟ ହୋଇଥିଲେ ଏବଂ ଏମାନେ ସମସ୍ତେ ସୁରତ ଫେରନ୍ତା ବୋଲି ଜଣାପଡ଼ିଥିଲା। ଅନ୍ୟପକ୍ଷରେ ଏଯାଏ ଗ୍ରିନ୍ ଜୋନ୍ରେ ରହି ଆସିଥିବା ମୟୂରଭଞ୍ଜରେ ଗତକାଲି କରୋନା ଖାତା ଖୋଲିଥିଲା ଏବଂ ଏକାଥରେ ୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ।
ଏହା ବ୍ୟତୀତ ରାଜଧାନୀରେ ୩, ବାଲେଶ୍ବରରେ ୨ ଓ ଜଗତସିଂହପୁର ଜିଲ୍ଲାରେ ଜଣେ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ରେ ପହଞ୍ଚିଥିଲା।ରାଜ୍ୟର ୧୮ଟି ଜିଲ୍ଲାକୁ କରୋନା କବଳିତ କରିଥିବାବେଳେ ସୁରତ ଫେରାନ୍ତଙ୍କ ମଧ୍ୟରେ କରୋନା ପଜିଟିଭ୍ ସଂଖ୍ୟା ଉଦ୍ବେଗଜନକ ଭାବେ ବଢ଼ିଥିଲା।


