୧୦ ଦିନର ଶିଶୁକୁ ଦେଇଥିଲେ ୬୦ ଚେଙ୍କ, ଏବେ ବନ୍ଧା ହେଲା ଆଈ

ଉମରକୋଟ : ଶିଶୁକୁ ୬୦ ଚେଙ୍କ ଦେଇ ବନ୍ଧା ହେଲା ଆଈ । ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ ଫୁଣ୍ଡେଲପଡ଼ା ଗାଁରେ ଗତ ୩ ତାରିଖରେ ଘଟିଥିଲା ହୃଦୟବିଦାରକ ଘଟଣା । କୁନ୍ତଳା ମଶ୍ରାଙ୍କୁ ବିଏନଏସର ଧାରା ୧୧୮(୨)/୩(୫) ଏବଂ ୨୩ ଜୁଭେ ନାଇଲ ଜଷ୍ଟିସ ଆକ୍ଟରେ ଗିରଫ କରାଯାଇଛି । ତେବେ ଜାମିନ ଆବେଦନ ଖାରଜ ହେବା ପରେ ଜେଲ ହାଜତକୁ ପଠାଇ ଦିଆଯାଇଥିବା ପୋଲିସ ସୂତ୍ରରୁ ଜଣା ପଡିଛି ।
ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଅଧିନସ୍ଥ ଫୁଣ୍ଡେଲପଡା ଗ୍ରାମର ଏକ ଦଶ ଦିନର ଶିଶୁ ଅସୁସ୍ଥ ହେବାରୁ ତାକୁ ଚିକିତ୍ସା ପରିବର୍ତ୍ତେ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଶିଶୁ ଦେହରେ ୬୦ରୁ ଅଧିକ ଚେଙ୍କ ଦିଆଯାଇଥିଲା । ଏହି ଘଟଣାକୁ ନେଇ ଚନ୍ଦାହାଣ୍ଡି ଥାନାରେ ଶିଶୁର ବାପା ସରୋଜ ନାୟକ, ମା ପୂର୍ଣମୀ ନାୟକ ଏବଂ ଆଈ କୁନ୍ତଳା ମଶ୍ରାଙ୍କ ନାଁରେ ଏକ ମାମଲା ରୁଜୁ କରି ନିଜେ ଆଇଆଇସି ଏହାର ତଦନ୍ତ ଦାୟିତ୍ୱ ନେଇଥିଲେ । ତେବେ ଶିଶୁର ଆଈ କୁନ୍ତଳା ମଶ୍ରାଙ୍କୁ ଗିରଫ କରି ଝରୀଗାଁ ପ୍ରଥମ ଶ୍ରେଣୀ ବିଚରାପତିଙ୍କ ଅଦାଲତକୁ ପଠାଯାଇଛି । ଜାମିନ ଆବେଦନ ଖାରଜ ହେବା ପରେ ଜେଲ ହାଜତକୁ ପଠେଇ ଦିଆଯାଇଛି ।
ଶିଶୁ ଜନ୍ମ ହେବାର ଦଶ ଦିନ ପରେ ବହୁତ କାନ୍ଦୁ ଥିବାରୁ ଶିଶୁକୁ ଚେଙ୍କ ଦେଲେ ସୁସ୍ଥ ହେବ ବୋଲି ଲୋକଙ୍କ ପାଖରୁ ଶୁଣି ଶିଶୁର ବାପା, ମା ଓ ଆଈ ଶିଶୁର ମୁଣ୍ଡ ଓ ପେଟରେ ୬୦ରୁ ଅଧିକ ଚେଙ୍କ ଦେଇଥିଲେ । ଶିଶୁ ଗୁରୁତର ହେବାରୁ ଉମରକୋଟ ଡିଏନକେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସା ପରେ ଶିଶୁ ସୁସ୍ଥ ହୋଇଥିବା ଜଣାପଡ଼ିଛି ।