ମୋତେ ଗୃହରେ କହିବାକୁ ଅନୁମତି ମିଳୁନି: ରାହୁଲ

ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ଦାବି କରିଛନ୍ତି ଯେ ଲୋକସଭାରେ ତାଙ୍କୁ କିଛି କହିବାକୁ ଦିଆଯାଉନି। ସେ କହିଛନ୍ତି, ଯେବେ ବି ସେ ବେକାରୀ ସମସ୍ୟା ସଂକ୍ରାନ୍ତରେ କିଛି କହିବାକୁ ଚେଷ୍ଟା କରୁଛନ୍ତି ସେ ସମୟରେ ବାଚସ୍ପତି ଉଠି ପଳାଉଛନ୍ତି। ପୂର୍ବରୁ ମଧ୍ୟ ରାହୁଲ ଅନେକ ସମୟରେ ଅଭିଯୋଗ କରିଛନ୍ତି ଯେ ସେ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ କହିବାପାଇଁ ଉଦ୍ୟମ କରିବା ବେଳେ ଲୋକସଭାରେ ତାଙ୍କ ମାଇକ୍ରୋଫୋନ୍ ବନ୍ଦ କରିଦିଆଯାଏ। ରାହୁଲ ଆଜି ସଂସଦ ଭବନ ପରିସରରେ ସାମ୍ବାଦିକମାନଙ୍କୁ ଟିପ୍ପଣୀ ଦେଇ କହିଛନ୍ତି, ବିରୋଧୀ ଦଳ ନେତାଙ୍କୁ ଗୃହରେ କିଛି କହିବାପାଇଁ ଅନୁମତି ଦେବାର ପରମ୍ପରା ରହିଛି । ମୁଁ ବାଚସ୍ପତିଙ୍କୁ ମୋତେ କିଛି କହିବାପାଇଁ ସୁଯୋଗ ଦେବାକୁ ଅନୁରୋଧ ମଧ୍ୟ କରିଛି। । କିନ୍ତୁ ସେ ଏଥିପ୍ରତି କର୍ଣ୍ଣପାତ କରିନାହାନ୍ତି। ଗୃହ ଏମିତି ଢଙ୍ଗରେ ପରିଚାଳନା କରାଯାଏନା ବୋଲି ରାହୁଲ କହିଛନ୍ତି।
ବିରୋଧୀ ଦଳ ନେତାଙ୍କୁ ନିୟମ ମନେପକାଇଲେ ବାଚସ୍ପତି
ବାଚସ୍ପତି ଓମ୍ ବିର୍ଲାଙ୍କୁ ଟାର୍ଗେଟ୍ କରି ରାହୁଲ କହିଛନ୍ତି, ଗଣତନ୍ତ୍ରରେ ଏହା ହେଉଛି ନୂଆ ଉପାୟ ଯେଉଁଠାରେ ବିରୋଧୀଙ୍କର କିଛି ସ୍ଥାନ ନାହିଁ। ଉଲ୍ଲେଖଯୋଗ୍ୟ, ବାଚସ୍ପତି ଓମ୍ ବିର୍ଲା ଆଜି ରାହୁଲଙ୍କୁ ଗୃହର ସମ୍ମାନ ରକ୍ଷା କରିବା ଏବଂ ନିୟମ ପାଳନ କରିବାପାଇଁ ନିର୍ଦ୍ଦେଶ ଦେବାପରେ ରାହୁଲ ତାଙ୍କ ବିରୋଧରେ ବର୍ଷିଛନ୍ତି। ବାଚସ୍ପତି ଆଜି ରାହୁଲଙ୍କ ଉଦ୍ଦେଶ୍ୟରେ କହିଥିଲେ, ସାଂସଦମାନେ ଗୃହର ନିୟମ ନମାନିବା ସଂକ୍ରାନ୍ତରେ ଅନେକ କଥା ମୁଁ ଅବଗତ ଅଛି। ବାପା, ଝିଅ, ମା’, ପତ୍ନୀ ଏବଂ ସ୍ବାମୀ ଏହି ଗୃହର ସଦସ୍ୟ । ତେଣୁ ଏହି ଆଧାରରେ ମୁଁ ଆଶା କରୁଛି ଯେ ବିରୋଧୀ ଦଳ ନେତା ଗୃହର ନିୟମ ମାନି କାମ କରିବେ। ବିର୍ଲାଙ୍କର ଏଭଳି ତାଗିଦ ନେଇ ରାହୁଲ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି।
ରାହୁଲ କହିଛନ୍ତି, ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇବାପାଇଁ ତାଙ୍କ ଦ୍ବାରା ହୋଇଥିବା ଉଦ୍ୟମକୁ ବାଚସ୍ପତି ଅଣଦେଖା କରିଛନ୍ତି। ଗତ ୭-୮ ଦିନ ମଧ୍ୟରେ ସଂସଦରେ କିଛି କହିବାପାଇଁ ସୁଯୋଗ ମିଳିନଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କୁମ୍ଭମେଳା ସଂକ୍ରାନ୍ତରେ କହୁଛନ୍ତି ଏବଂ ମୁଁ ମଧ୍ୟ ବେକାରୀ ସମସ୍ୟା ସଂକ୍ରାନ୍ତରେ କିଛି କହିବାକୁ ଚାହୁଛି। ମୋତେ ଏଥିପାଇଁ ଅନୁମତି ମିଳୁନାହି । ରାହୁଲଙ୍କୁ ଗୃହରେ କହିବାର ଅନୁମତି ନମିଳିବା ଘଟଣାକୁ ବିରୋଧ କରି କଂଗ୍ରେସ ନେତା ଗୌରବ ଗୋଗଇ, କେସି ବେଣୁଗୋପାଳଙ୍କ ସମେତ ୭୦ ଜଣ କଂଗ୍ରେସ ସାଂସଦ ଲୋକସଭା ବାଚସ୍ପତିଙ୍କୁ ଭେଟିଛନ୍ତି ଏବଂ ସେମାନଙ୍କ ଅଭିଯୋଗ ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତବର୍ଷ ଜୁନ୍ରେ ରାହୁଲ ଅଭିଯୋଗ କରିଥିଲେ ଯେ ସେ କହିବାକୁ ଉଠିବା ମାତ୍ରେ ତାଙ୍କ ମାଇକ୍ରୋଫୋନ୍ ଜାଣିଶୁଣି ବନ୍ଦ କରି ଦିଆଯାଇଥିଲା।