ଦେଶ ବିଦେଶ

କଂଗ୍ରେସ ସଂଗଠନରେ ବଡ଼ଧରଣର ପରିବର୍ତ୍ତନ ହେବ: ଅହମଦାବାଦରେ ଏଆଇସିସିର ଦୁଇ ଦିନିଆ ବୈଠକ‌

ଅହମଦାବାଦ: କଂଗ୍ରେସ ଦଳରେ ବଡ଼ଧରଣର ସାଂଗଠନିକ ପରିବର୍ତ୍ତନ ହେବାକୁ ଯାଉଛି। ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି।  ଅହମଦାବାଦର ସାବରମତୀ ନଦୀ କୂଳରେ କଂଗ୍ରେସର ୨ ଦିନିଆ ପରିବର୍ଦ୍ଧିତ ସିଡବ୍ଲ୍ୟୁସି (କଂଗ୍ରେସ କାର୍ଯ୍ୟକାରିଣୀ କମିଟି) ବୈଠକ ସହିତ ଏଆଇସିସିର ୮୪ତମ ଅଧିବେଶନ ଚାଲିଛି।  ଅହମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ସ୍ମାରକସ୍ଥଳରେ ଆଜି କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ବୈଠକ ଆରମ୍ଭ ହୋଇଛି। ସମଗ୍ର ଦେଶରୁ କଂଗ୍ରେସ ନେତାମାନେ ବୈଠକରେ ଯୋଗ ଦେଇଛନ୍ତି। ୬୪ ବର୍ଷରେ ପ୍ରଥମ ଥର ପାଇଁ ଗୁଜରାଟରେ ଏଆଇସିସିର ଜାତୀୟ ସମ୍ମିଳନୀ ହେଉଛି। ଦଳର ଭବିଷ୍ୟତ ଯୋଜନା, ପ୍ରମୁଖ ଜାତୀୟ ପ୍ରସଙ୍ଗ, ଆଭ୍ୟନ୍ତରୀଣ ସଂଗଠନ ଏବଂ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ସଂକ୍ରାନ୍ତରେ ବୈଠକରେ ଆଲୋଚନା ହୋଇଛି। ବୈଠକରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା‌ ସୋନିଆ ଗାନ୍ଧୀ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟ ପ୍ରମୁଖ କଂଗ୍ରେସ ନେତାମାନେ ବୈଠକରେ ଯୋଗ ଦେଇଛନ୍ତି। ବେଣୁଗୋପାଳ କହିଛନ୍ତି ଯେ କଂଗ୍ରେସ ଚଳିତ ବର୍ଷକୁ ସମ୍ପୂର୍ଣ୍ଣ ଭାବେ ଦଳର ସାଂଗଠନିକ ପରିବର୍ତ୍ତନ ଦିଗରେ ସମର୍ପଣ କରିଦେଇଛି। ଦଳରେ ଏକ ବଡ଼ଧରଣର ସାଂଗଠନିକ ଅଦଳବଦଳ ହେବ ଏବଂ ଏନେଇ ନିର୍ଦ୍ଦେଶାବଳି ମଧ୍ୟ ଜାରି ହେବ ବୋଲି ସେ କହିଛନ୍ତି।  ସିଡବ୍ଲ୍ୟୁସି ଦ୍ବାରା ଏକ ପ୍ରସ୍ତାବ ମଧ୍ୟ ଗୃହୀତ ହୋଇ ସାରିଛି। ‘ସର୍ଦ୍ଦାର ପଟେଲ୍‌ ଜୀ ଆମକୁ ଦେଖାଇଥିବା ରାସ୍ତାରେ ଦଳ ଆଗକୁ ବଢ଼ିବ’ ବୋଲି ଏହି ପ୍ରସ୍ତାବରେ ରହିଛି।  ବେଣୁଗୋପାଳ କହିଛନ୍ତି, ୨୦୨୫ ବର୍ଷ ଆମ କର୍ମୀଙ୍କୁ ସୁଦୃଢ଼ କରିବାପାଇଁ ଉଦ୍ଦିଷ୍ଟ।

ଗରମରେ ବେହୋସ୍‌ ହୋଇପଡ଼ିଲେ ଚିଦମ୍ବରମ୍‌
ଅହମଦାବାଦ: ଅହମଦାବାଦରେ ଏଆଇସିସିର ୮୪ତମ ସମ୍ମିଳନୀ ଓ ପରିବର୍ଦ୍ଧିତ ସିଡବ୍ଲୁସି ବୈଠକରେ ‌ଦଳର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‌ ‌ଯୋଗ‌ ଦେଇଛନ୍ତି। ବୈଠକ ପରେ ସାବରମତୀ ଆଶ୍ରମରେ କଂଗ୍ରେସ ନେତାମାନଙ୍କ ପ୍ରାର୍ଥନା ସଭାରେ ଯୋଗଦେବା ବେଳେ ପ୍ରବଳ ଗରମ ସହ୍ୟ କରି ନପାରି ଚିଦମ୍ବରମ ବେହୋସ୍‌ ହୋଇ ପଡ଼ିଛନ୍ତି। ତାଙ୍କୁ ଦଳର କର୍ମୀମାନେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତାଙ୍କ ପୁଅ ତଥା ସାଂସଦ କାର୍ତ୍ତି ଚିଦମ୍ବରମ ସାମାଜିକ ଗଣମାଧ୍ୟମରେ ଦେଇଥିବା ସୂଚନା ଅନୁଯାୟୀ, ସେ ଜାଇଡସ୍‌ ହସ୍ପିଟାଲରେ ଅଛନ୍ତି ଏବଂ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି।

Related Articles

Leave a Reply

Your email address will not be published. Required fields are marked *

Back to top button