ଓଡିଶା

ଖଣି ଖନନ ଓ ପରିବେଶ ସୁରକ୍ଷା ମଧ୍ୟରେ ସମନ୍ବୟ ଆବଶ୍ୟକ: ଅଗସ୍ତି

ଛେଣ୍ଡିପଦା: ଆଗରୁ ଛେଣ୍ଡିପଦା ସବୁଜ ସୁନ୍ଦର ଥିଲା। ହେଲେ ବିଭିନ୍ନ କାରଣ ପାଇଁ ଏବେ ପରିବେଶ ପ୍ରଭାବିତ ହୋଇଛି। ଆଗକୁ ଖଣିଖଦାନ ପାଇଁ ପରିବେଶ ଉପରେ ଅନେକ ପ୍ରଭାବ ପଡ଼ିବାର ବି ଆଶଙ୍କା ଜଳଜଳ। କିନ୍ତୁ ଆମ ପରିବେଶ ସୁରକ୍ଷା ପାଇଁ ଆମକୁ ଅଣ୍ଟା ଭିଡ଼ିବାକୁ ପଡ଼ିବ। ଏହି ଅଞ୍ଚଳର ପରିବେଶ କେମିତି ସୁରକ୍ଷିତ ରହିବ ତା’ ଉତ୍ତରଦାୟିତ୍ବ ମୁଁ ନିଜେ ନେବି ବୋଲି କହିଛନ୍ତି ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା।

‘ସମ୍ବାଦ’ ଗ୍ରୁପ୍ ପକ୍ଷରୁ ଆଜି ଛେଣ୍ଡିପଦା ପୂର୍ତ୍ତ ଡାକବଙ୍ଗଳା ନିକଟରେ ଅନୁଷ୍ଠିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବିଧାୟକ ଶ୍ରୀ ବେହେରା କହିଛନ୍ତି ଯେ, ଖଣି ଖନନ ସହ ପରିବେଶ ସୁରକ୍ଷା ମଧ୍ୟରେ ଉପଯୁକ୍ତ ସମନ୍ବୟ ରଖିବାର ଆବଶ୍ୟକତା ରହିଛି।

ବିଧାୟକ କହିଥିଲେ, ଛେଣ୍ଡିପଦା ଦୀର୍ଘବର୍ଷ ହେଲା ଜଙ୍ଗଲରେ ଭର୍ତ୍ତି ହୋଇ ରହିଛି। ଏହାର ମାଟିତଳେ ପ୍ରଚୁର ପରିମାଣର କୋଇଲା ରହିଛି। ଏହି କୋଇଲା ଖନନ ପାଇଁ ସରକାରୀସ୍ତରରେ ନିଷ୍ପତ୍ତି ହୋଇଛି। ତେଣୁ ଖଣି ଖୋଳା ହେବା ନିଶ୍ଚିତ। ଏହାର ପ୍ରଭାବ ଲୋକଙ୍କ ଉପରେ ନିଶ୍ଚିତ ପଡ଼ିବ। ତେବେ ପରିବେଶ ଯେମିତି ସବୁଠାରୁ କମ୍ ପ୍ରଭାବିତ ହେବ ସେ ଦିଗରେ ବ୍ୟକ୍ତିଗତସ୍ତରରେ ଉଦ୍ୟମ କରିବି ବୋଲି ବିଧାୟକ କହିଛନ୍ତି। ଏଥିନେଇ ସେ କାମ ଆରମ୍ଭ କରି ଦେଇଛନ୍ତି। ଏହି ପରିବେଶ ପଞ୍ଚାୟତର ବାର୍ତ୍ତାକୁ ଗାଁ ଗାଁରେ ପହଞ୍ଚାଇବା ପାଇଁ ସେ ଲୋକଙ୍କୁ ଆହ୍ବାନ ଦେବା ସହ ସବୁଜ ଛେଣ୍ଡିପଦା ଗଠନରେ ସାରଥୀ ହେବାକୁ ନିବେଦନ କରିଥିଲେ।

ସାମାଜିକ କର୍ମୀ ଚୌଧୁରୀ ପ୍ରଧାନ ଯୋଗ ଦେଇ କହିଥିଲେ, ପ୍ରକୃତିକ ପରିବେଶକୁ ଆମେ ନିଜ ସୁବିଧା ପାଇଁ ନଷ୍ଟ କରିଚାଲିଛେ। ତେଣୁ ଏହାର କୁପ୍ରଭାବ ଆମକୁ ହିଁ ଭୋଗିବାକୁ ପଡ଼ିବ। ଏବେ କୋଇଲା ଖଣି ପାଇଁ ଅନେକ ଜଙ୍ଗଲ ନଷ୍ଟ ହେବ। ନୂଆ ଜଙ୍ଗଲ ସୃଷ୍ଟି ପାଇଁ କଂପାନିମାନେ ଚୁକ୍ତି କରିବେ। ହେଲେ ଏହା କେବଳ କାଗଜପତ୍ରରେ ଅଟକି ନ ଯାଉ। ସତସତିକା ଜଙ୍ଗଲ ସୃଷ୍ଟି କରାଯାଇ ଜଙ୍ଗଲ କ୍ଷୟକୁ ଭରଣା କରିବାକୁ ସେ ଦାବି କରିଥିଲେ। ଛେଣ୍ଡିପଦା ‘ସମ୍ବାଦ ସାହିତ୍ୟଘର’ ସଭାପତି ତଥା ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ଚନ୍ଦନ କହିଥିଲେ, ପରିବେଶ ନଷ୍ଟ ହେବା ପରେ ଏବେ ଗାଁରେ ଗାଁରେ ହାତୀ ବୁଲିଲେଣି। କେବଳ ହାତୀ ନୁହେଁ, ମାଙ୍କଡ଼ ଓ ବାର୍ହା ପରି ବନ୍ୟପ୍ରାଣୀ ଏବେ ଗାଁକୁ ଆସି ଲୋକଙ୍କ ଫସଲ ନଷ୍ଟ କରୁଛନ୍ତି। ଏବେ କୋଇଲା ପାଇଁ ଜଙ୍ଗଲ କଟା ହେଲେ ଏହି ସମସ୍ୟା ଆହୁରି ଉତ୍କଟ ହେବ। ତେଣୁ ବିଭିନ୍ନ ସ୍ଥାନରେ ଥିବା ଲଣ୍ଡା ପାହାଡ଼କୁ ସବୁଜିମାମୟ କରିବାର ଆବଶ୍ୟକତା ରହିଛି।

ଉତ୍କଳ ସମ୍ମିଳନୀର ଜିଲ୍ଲା ସଭାପତି ଅଧ୍ୟାପକ ବିଶ୍ବରଂଜନ ପ୍ରଧାନ କହିଥିଲେ, ଜଳବାୟୁ ପରିବର୍ତ୍ତନ ପ୍ରଭାବରେ କିଛି ବର୍ଷ ହେଲା ଛେଣ୍ଡିପଦା ଅଞ୍ଚଳରେ ଅନେକ ବିଲକ୍ଷଣ ଦେଖା ଯାଉଛି। ଚିରସ୍ରୋତା ସିଙ୍ଗଡ଼ା ନାଳ ଖରା ଦିନେ ଶୁଖିଲା ପଡ଼ୁଛି। ଏବେ ୧୦ରୁ ଅଧିକ କୋଇଲା ଖଣି ହେଲେ ପରିସ୍ଥିତି ଆହୁରି ବିଗିଡ଼ିବ। ଏଣୁ ଖଣି ଖନନ ପୂର୍ବରୁ ବାସ୍ତବ ଚିତ୍ର ନେଇ ସର୍ଭେ ହେବା ଦରକାର। କେତେ ଲୋକ ଉପକୃତ ହେବେ ଓ ବିସ୍ଥାପିତ ଲୋକଙ୍କୁ କେମିତି ଥଇଥାନ କରାଯିବ ସେ ସଂପର୍କରେ ଉପଯୁକ୍ତ ଅନୁଧ୍ୟାନ ହେବା ଦରକାର ବୋଲି ସେ କହିଥିଲେ। ଏହି ପଞ୍ଚାୟତରେ ଛେଣ୍ଡିପଦା ନିର୍ବାଚନମଣ୍ଡଳୀରୁ ଶତାଧିକ ଲୋକ ଯୋଗ ଦେଇ ପରିବେଶ ଜନିତ ସମସ୍ୟା ଉପରେ ମତ ରଖିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button