ନ୍ୟାୟପାଳିକା ବିରୋଧୀ ମନ୍ତବ୍ୟ: ବିରୋଧୀଙ୍କ ନିଶାଣରେ ବିଜେପି ନେତା

ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟ ବିରୋଧରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ଦିନେଶ ଶର୍ମା ଦେଇଥିବା ବିବାଦୀୟ ମନ୍ତବ୍ୟ ନେଇ ତମ୍ବିତୋଫାନ ସୃଷ୍ଟି ହୋଇଛି। ବିଜେପି ଏହି ବୟାନରୁ ନିଜକୁ ଦୂରେଇ ରଖିଥିବା ବେଳେ ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତାମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନ୍ୟାୟପାଳିକା ଓ ପ୍ରଧାନ ବିଚାରପତିଙ୍କୁ ନେଇ ସାଂସଦ ଦୁବେ ଓ ଶର୍ମାଙ୍କ ମନ୍ତବ୍ୟ ସହ ବିଜେପିର କୌଣସି ସମ୍ପର୍କ ନାହିଁ। ଏହା ସେମାନଙ୍କର ବ୍ୟକ୍ତିଗତ ମନ୍ତବ୍ୟ ବୋଲି ବିଜେପି ସଭାପତି ଜେପି ନଡ୍ଡା ସ୍ପଷ୍ଟ କରିଛନ୍ତି। ବିଜେପି ଏଭଳି ବୟାନକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରୁଛି ଏବଂ ଭବିଷ୍ୟତରେ ଏଭଳି ମନ୍ତବ୍ୟ ନଦେବାକୁ ସେ ଉଭୟ ନେତା ଓ ଦଳର ଅନ୍ୟ ସଦସ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ନଡ୍ଡା କହିଛନ୍ତି। ଅନ୍ୟପକ୍ଷରେ ବିରୋଧୀ ଦଳମାନେ ଦୁବେ ଓ ଶର୍ମାଙ୍କ ବୟାନ ନ୍ୟାୟପାଳିକା ଉପରେ ଆକ୍ରମଣ ଏବଂ ଏହା ସୁପ୍ରିମ୍କୋର୍ଟକୁ ଦୁର୍ବଳ କରିବାକୁ ପ୍ରୟାସ ବୋଲି କହିଛନ୍ତି। ବିଜେପି ସାଂସଦ ନିଶିକାନ୍ତ ଦୁବେ ଶନିବାର କହିଥିଲେ ଯେ ସୁପ୍ରିମ୍କୋର୍ଟ ଏବେ ଯେଭଳି ଭାବେ ଦେଶର ଆଇନ ପ୍ରଣୟନ କରିବାକୁ ଚାହୁଛି ଏବଂ ସଂସଦ ତିଆରି କରୁଥିବା ଆଇନକୁ ରୋକୁଛି ତାହା ବିପଜ୍ଜନକ ଏବଂ ଏଭଳି ସ୍ଥିତି ଲାଗି ରହିଲେ ସଂସଦର ଅସ୍ତିତ୍ୱ ଅପ୍ରାସଙ୍ଗିକ ହୋଇଯିବ। ଦେଶରେ ଗୃହଯୁଦ୍ଧ ପାଇଁ ପ୍ରଧାନ ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନା ଦାୟୀ ବୋଲି ଦୁବେ ଅଭିଯୋଗ କରିଥିଲେ। ଦୁବେଙ୍କ ବୟାନ ପରିତାପର ବିଷୟ ବୋଲି କହି କଂଗ୍ରେସ ନେତା ସଲମାନ ଖୁର୍ସିଦ କହିଛନ୍ତି, ଯଦି କୌଣସି ସାଂସଦ ସୁପ୍ରିମ୍କୋର୍ଟ କିମ୍ବା କୌଣସି ଅଦାଲତଙ୍କୁ ଏଭଳି ପ୍ରଶ୍ନ କରନ୍ତି ତେବେ ଏହା ଅତ୍ୟନ୍ତ ଉଦ୍ବେଗର ବିଷୟ। ଆମ ଆଇନ ବ୍ୟବସ୍ଥାରେ ଚୂଡ଼ାନ୍ତ ଶବ୍ଦ ସୁପ୍ରିମ୍ କୋର୍ଟଙ୍କର ବୋଲି ସେ କହିଛନ୍ତି।
ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା କହିଛନ୍ତି, ବିଜେପି ନ୍ୟାୟପାଳିକା ଉପରେ ଆକ୍ରମଣ କରୁଛି ଏବଂ ସୁପ୍ରିମ୍କୋର୍ଟଙ୍କୁ ଡରାଇବାକୁ ଏହା ଏକ ଖୋଲା ପ୍ରୟାସ। ନିଶିକାନ୍ତ ଦୁବେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆପ୍ ମୁଖପାତ୍ର ପ୍ରିୟଙ୍କା କକ୍କର କହିଛନ୍ତି, ବିଜେପି ସାଂସଦ ଅତ୍ୟନ୍ତ ଖରାପ ବୟାନ ଦେଇଛନ୍ତି। ମୁଁ ଆଶା କରୁଛି ଯେ ସୁପ୍ରିମକୋର୍ଟ ଦୁବେଙ୍କ ବିରୋଧରେ ଅବମାନନା ମାମଲା ଆରମ୍ଭ କରି ତାଙ୍କୁ ଜେଲ୍ ପଠାଇବେ। ଏଆଇଏମ୍ଆଇଏମ୍ ମୁଖ୍ୟ ଅସଉଦ୍ଦିନ ଅୱେସି କହିଛନ୍ତି ଯେ ସୁପ୍ରିମ୍ କୋର୍ଟଙ୍କ ରାୟ ହେଉଛି ଆଇନ ଏବଂ ବିଜେପି ଏହାକୁ ବିକୃତ କରିପାରିବ ନାହିଁ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ‘ଆପଣଙ୍କ ଲୋକମାନେ ଏତେ ଉଗ୍ରବାଦୀ ଯେ ସେମାନେ ଅଦାଲତକୁ ଧମକ ଦେଉଛନ୍ତି। ଧମକ ଦେଉଥିବା ଏହି ଲୋକଙ୍କୁ ନ ଅଟକାଇଲେ ଦେଶ ଦୁର୍ବଳ ହୋଇଯିବ’ ବୋଲି ଅୱେସୀ କହିଛନ୍ତି।
କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ବିଜେପି ନେତାମାନେ ସୁପ୍ରିମ୍ କୋର୍ଟକୁ ଦୁର୍ବଳ କରିବା ପାଇଁ ଏଭଳି ବୟାନ ଦେଉଛନ୍ତି ଏବଂ ଆମେ ଏହାକୁ ଗ୍ରହଣ କରିବୁ ନାହିଁ। ଇଲେକ୍ଟୋରାଲ ବଣ୍ଡ ଭଳି ଅନେକ ପ୍ରସଙ୍ଗରେ ସରକାର ଯାହା କରିଛନ୍ତି ତାହା ଅସାମ୍ବିଧାନିକ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି। ବିଜେପି ଏହାକୁ ମାନିବାକୁ ବାଧ୍ୟ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ନିକଟରେ ପ୍ରଣୟନ ହୋଇଥିବା ୱକଫ୍ (ସଂଶୋଧନ) ଆଇନ, ୨୦୨୫ ଉପରେ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ମଧ୍ୟରେ ଉପରାଷ୍ଟ୍ରପତି ଏବଂ ଅନ୍ୟ ବିଜେପି ନେତାମାନେ ନ୍ୟାୟପାଳିକାର ସୀମା ଉଲ୍ଲଂଘନ ପ୍ରଶ୍ନ ଉଠାଇଛନ୍ତି। ଶୁଣାଣି ସମୟରେ ଅଦାଲତ ‘ଵାକଫ୍ ବାଇ ୟୁଜର’ ଧାରା ସମେତ ଆଇନର କେତେକ ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଏହାର ଜବାବରେ ସରକାର ସର୍ବୋଚ୍ଚ ଅଦାଲତଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ମେ ୫ ତାରିଖରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏହି ଆଇନର ନିର୍ଦ୍ଦିଷ୍ଟ ଧାରାଗୁଡ଼ିକୁ କାର୍ଯ୍ୟକାରୀ କରିବାରୁ ଦୂରେଇ ରହିବେ। ନିକଟରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଥିଲେ ଯେ ଏହା ଏକ ଚିନ୍ତାଜନକ ଘଟଣା ଏବଂ ବିଚାରପତିମାନେ ଏବେ ‘ସୁପର ପାର୍ଲାମେଣ୍ଟ’ ଭାବରେ କାର୍ଯ୍ୟ କରୁଛନ୍ତି।
‘ସୁପ୍ରିମ୍କୋର୍ଟକୁ ଦୁର୍ବଳ କରିବାକୁ ପ୍ରୟାସ’
ନିଶିକାନ୍ତ ଦୁବେଙ୍କ ଅଡ଼ୁଆ ବଢ଼ୁଛି, ଅବମାନନା ମାମଲା ପାଇଁ ଚିଠି ଲେଖିଲେ ଓକିଲ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଓ ପ୍ରଧାନବିଚାରପତି ସଞ୍ଜୀବ ଖାନ୍ନାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ପାଇଁ ସମସ୍ୟା ବଢ଼ିଯାଇଛି। ଵକଫ୍ ଆଇନ ମାମଲାରେ ଅଭିଯୋଗକାରୀଙ୍କ ପକ୍ଷରୁ ସୁପ୍ରିମ୍କୋର୍ଟର ଜଣେ ଓକିଲ ଆଟର୍ଣ୍ଣି ଜେନେରାଲ ଆର୍ ଭେଙ୍କଟରମଣିଙ୍କୁ ଚିଠି ଲେଖି ନିଶିକାନ୍ତ ଦୁବେଙ୍କ ବିରୋଧରେ ଅବମାନନା ମାମଲା ଆରମ୍ଭ କରିବାକୁ ଅନୁମତି ମାଗିଛନ୍ତି। ସିଜେଆଇ ସଞ୍ଜୀବ ଖାନ୍ନା ଏହି ଦେଶରେ ଗୃହଯୁଦ୍ଧ ପାଇଁ ଦାୟୀ ବୋଲି ଦୁବେଙ୍କ ବୟାନକୁ ବିରୋଧ କରି ଆଇନଜୀବୀ ଅନସ୍ ତନବୀର କହିଛନ୍ତି ଯେ ଏହା ଅତ୍ୟନ୍ତ ଆପତ୍ତିଜନକ ଏବଂ ଉତ୍ତେଜନାମୂଳକ। ଚିଠିରେ କୁହାଯାଇଛି- ‘ଝାଡ଼ଖଣ୍ଡର ଗୋଡ୍ଡା ସଂସଦୀୟ ନିର୍ବାଚନ ମଣ୍ଡଳୀର ଲୋକସଭା ସଦସ୍ୟ ନିଶିକାନ୍ତ ଦୁବେଙ୍କ ବିରୋଧରେ ଅଦାଲତ ଅବମାନନା ଆଇନ, ୧୯୭୧ର ଧାରା ୧୫(୧)(ବି) ଏବଂ ସର୍ବୋଚ୍ଚ ନ୍ୟାୟାଳୟ ଅବମାନନା ନିୟମ, ୧୯୭୫ର ନିୟମ ୩(ସି) ଅନୁଯାୟୀ ଆପରାଧିକ ଅବମାନନା ମାମଲା ଆରମ୍ଭ କରିବାକୁ ମୁଁ ଆପଣଙ୍କ ବିନମ୍ର ସମ୍ମତି ଲୋଡ଼ିଛି। କାରଣ ସେ ସର୍ବସାଧାରଣରେ ଏପରି ବୟାନ ଦେଇଛନ୍ତି ଯାହା ଅତ୍ୟନ୍ତ ନିନ୍ଦନୀୟ, ବିଭ୍ରାନ୍ତିକର ଏବଂ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ମର୍ଯ୍ୟାଦା ଏବଂ ଅଧିକାରକୁ ହ୍ରାସ କରିବା ଉଦ୍ଦେଶ୍ୟରେ ତାହା ଦିଆଯାଇଛି।’