ପେଟ୍ରୋଲ୍ ଦାମ୍ ବି କମିବ: ୨୦୨୨ ଏପ୍ରିଲ୍ରୁ ଦାମ୍ କମିନି – Utkal Mail
ନୂଆଦିଲ୍ଲୀ: ଆସନ୍ତା ବର୍ଷ ନିର୍ବାଚନ ହେବାକୁ ଯାଉଥିବାରୁ ଦରଦାମ୍କୁ ନେଇ ଅସନ୍ତୁଷ୍ଟ ଥିବା ଭୋଟରଙ୍କୁ ମନାଇବା ଲାଗି କେନ୍ଦ୍ର ସରକାର ଗତକାଲି ୧୪.୨ କେଜି ଏଲ୍ପିଜି ସିଲିଣ୍ଡର ଦାମ୍ ୨୦୦ ଟଙ୍କା ହ୍ରାସ କରିଥିଲେ। ଏହି ନିଷ୍ପତ୍ତିର ପ୍ରଭାବରେ ଦରଦାମ୍ ସ୍ଥିତିରେ କିଛିଟା ସୁଧାର ହେବ ବୋଲି ସିଟି ଗ୍ରୁପ୍ ଆକଳନ କରିଛି। ଆଗାମୀ ଦିନରେ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ କମିବାର ସମ୍ଭାବନା ରହିଛି ବୋଲି ସିଟି ଗ୍ରୁପ୍ କହିଛି। ଅନ୍ୟ ପକ୍ଷରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ମଧ୍ୟ କହିଛନ୍ତି ଯେ ପେଟ୍ରୋଲ ଓ ଡିଜେଲ୍ ଦାମ୍ କମିବ। ସେଥିପାଇଁ ସେ ଉଦ୍ୟମ କରିବେ ବୋଲି ଭରସା ଦେଇଛନ୍ତି।
ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି ଯେ ତେଲ ଦାମ୍ କମାଇବା ଲାଗି ମିଳିତ ଉଦ୍ୟମ କରିବାକୁ ହେବ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ଏହି ବାଟରେ ୨୦୨୧ ଓ ୨୦୨୨ରେ ସଫଳତାର ସହ ତେଲ ଦର କମ୍ କରାଯାଇଥିଲା। ଗ୍ରାହକଙ୍କ ଉପରେ ଥିବା ଆର୍ଥିକ ବୋଝ ହାଲୁକା କରିବା ଲାଗି କେନ୍ଦ୍ର ସରକାର ପେଟ୍ରୋଲ୍ ଓ ଡିଜେଲ ଉପରୁ ଉତ୍ପାଦ ଟିକସ କମ୍ କରିଥିଲେ। ୨୦୨୧ ନଭେମ୍ବର ୪ରେ ପେଟ୍ରୋଲ୍ ଉପରୁ ୫ ଟଙ୍କା ଓ ଡିଜେଲ୍ରୁ ୧୦ ଟଙ୍କାର ଟିକସ ହ୍ରାସ କରାଯାଇଥିଲା। ୨୦୨୨ ମେ’ ୨୨ରେ ପେଟ୍ରୋଲ୍ରୁ ଆଉ ୮ ଟଙ୍କା ଓ ଡିଜେଲ୍ରୁ ୬ ଟଙ୍କାର ଟିକସ କମ୍ କରାଯାଇଥିଲା। କେନ୍ଦ୍ରକୁ ଦେଖି ବିଜେପି ଶାସିତ ରାଜ୍ୟଗୁଡ଼ିକ ଭାଟ୍ କମ୍ କରିଥିଲେ। ରୁଷ୍-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରେ ବିଶ୍ବ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୧୪୦ ଡଲାରକୁ ବୃଦ୍ଧି ପାଇବା ପରେ ଭାରତରେ ପେଟ୍ରୋଲ ଓ ଡିଜେଲ୍ ଦାମ୍ ମଧ୍ୟ ବଢ଼ିଥିଲା। ୨୦୨୨ ଏପ୍ରିଲ୍ ପ୍ରଥମ ସପ୍ତାହରୁ ଉଭୟ ତେଲର ଦାମ୍ ଅପରିବର୍ତ୍ତିତ ରହିଛି। ଅଧିକାଂଶ ରାଜ୍ୟରେ ପେଟ୍ରୋଲ୍ ୧୦୦ ଟଙ୍କାରୁ ଅଧିକ ଦାମ୍ରେ ବିକ୍ରି ହେଉଛି। ଏବେ ଅଶୋଧିତ ତୈଳ ଦର ୮୦ ଡଲାର ପାଖାପାଖି ଖସିଆସିଥିଲେ ମଧ୍ୟ ପେଟ୍ରୋଲ ଓ ଡିଜେଲ୍ ଦରରେ କୌଣସି ହ୍ରାସ ହେଉନାହିଁ। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପାଳି ଆରମ୍ଭ ହେବା ବେଳକୁ ପେଟ୍ରୋଲ୍ ଦାମ୍ ୮୧ ଟଙ୍କା ପାଖାପାଖି ଥିଲା। ଏବେ ତା’ଠାରୁ ୨୫ ଟଙ୍କା ଅଧିକ ଦାମ୍ରେ ପେଟ୍ରୋଲ୍ ବିକ୍ରି ହେଉଛି।
ଅନ୍ୟ ପକ୍ଷରେ ଏଲ୍ପିଜି ଦାମ୍ରେ ହୋଇଥିବା ହ୍ରାସର ପ୍ରଭାବ ସମ୍ପର୍କରେ ସିଟି ଗ୍ରୁପ୍ର ଅର୍ଥନୀତିଜ୍ଞ ସମୀରନ୍ ଚକ୍ରବର୍ତ୍ତୀ ଓ ବକାର ଏମ୍ ଜାଇଦି କହିଛନ୍ତି ଯେ ଏଲ୍ପିଜି ଦାମ୍ ୨୦୦ ଟଙ୍କା କମିଥିବାରୁ ମୁଦ୍ରାସ୍ଫୀତିରେ ୦.୩୦ ପ୍ରତିଶତ ହ୍ରାସ ହେବ। ସେମାନେ ଜଣାଇଛନ୍ତି ଯେ ଆଗକୁ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ନିର୍ବାଚନ ହେବାକୁ ଥିବା ବେଳେ ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ହେବ। ତେଣୁ ଦରଦାମ୍କୁ କମ୍ କରିବା ଏବଂ ଗ୍ରାମାଞ୍ଚଳ ଲୋକମାନଙ୍କ ଆୟ ବଢ଼ାଇବା ଲାଗି ପଦକ୍ଷେପ ଗ୍ରହଣ କରିବା ବିଷୟରେ କେନ୍ଦ୍ର ସରକାର ନିଶ୍ଚିତ ଚିନ୍ତା କରିବେ। ପେଟ୍ରୋଲ ଓ ଡିଜେଲ୍ ଟିକସରେ ହ୍ରାସ ସମ୍ଭାବନାକୁ ଅସ୍ବୀକାର କରାଯାଇପାରିବନି ବୋଲି ଦୁଇ ଅର୍ଥନୀତିଜ୍ଞ କହିଛନ୍ତି। ଟମାଟୋ, ଚାଉଳ, ଗହମ, ଡାଲି ଓ ପନିପରିବା ଆଦି ମହଙ୍ଗା ହେବାରୁ ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ହାର ୧୫ ମାସର ସର୍ବୋଚ୍ଚ ସ୍ତର ୭.୪୪ ପ୍ରତିଶତକୁ ବୃଦ୍ଧି ପାଇଛି। ଟମାଟୋ ଦାମ୍ କମିଥିବା ବେଳେ ବିଭିନ୍ନ ପନିପରିବା ଦରରେ ମଧ୍ୟ ସୁଧାର ହେଉଛି। ଏହା ବ୍ୟତୀତ ଏଲ୍ପିଜି ମୂଲ୍ୟରେ ହ୍ରାସ କରାଯାଇଥିବାରୁ ଅଗଷ୍ଟରେ ମୁଦ୍ରାସ୍ଫୀତି ହାର କମ୍ ହେବ ବୋଲି ଆଶା କରାଯାଉଛି।