ଦେଶ ବିଦେଶ

ମ୍ୟାମାର ଛାରଖାର: ବୈଜ୍ଞାନିକ ଆଶ୍ଚର୍ଯ୍ୟ

ନେପିଦା: ମ୍ୟାମାରରେ ୭.୭ ତୀବ୍ରତାର ଭୂମିକମ୍ପ ଯୋଗୁଁ ପ୍ରଳୟଙ୍କରୀ ସ୍ଥିତି ଦେଖିବାକୁ ମିଳିଛି। ବିଶେଷଜ୍ଞଙ୍କ ମତରେ ଭୂମିକମ୍ପ ଦ୍ୱାରା ନିର୍ଗତ ଶକ୍ତି ୩୦୦ରୁ ଅଧିକ ପରମାଣୁ ବୋମା ବିସ୍ଫୋରଣ ସହ ସମାନ ଥିଲା। ଭୂତତ୍ତ୍ୱ ବିଜ୍ଞାନୀ ଜେସ୍ ଫିନିକ୍ସ କହିଛନ୍ତି ଯେ ଏଭଳି ଭୂମିକମ୍ପରୁ ନିର୍ଗତ ହେଉଥିବା ଶକ୍ତି ପ୍ରାୟ ୩୩୪ଟି ପରମାଣୁ ବୋମା ସହ ସମାନ। ଏହାବ୍ୟତୀତ ଭୂମିକମ୍ପ ପରବର୍ତ୍ତୀ କମ୍ପନ ଏହି ଅଞ୍ଚଳକୁ ଦୋହଲାଇ ଦେବ ବୋଲି ସେ ଚେତାବନୀ ଦେଇଛନ୍ତି। ଭାରତୀୟ ଟେକ୍ଟୋନିକ୍ ପ୍ଲେଟ୍ ମ୍ୟାମାର ତଳେ ଥିବା ୟୁରେସିଆନ୍ ପ୍ଲେଟ୍‌କୁ ମାଡ଼ି ଆସୁଥିବାରୁ ପରବର୍ତ୍ତୀ ଝଟକା କିଛି ମାସ ପର୍ଯ୍ୟନ୍ତ ରହିପାରେ। ଗୋଟିଏ ପଟେ ଦେଶରେ ଗୃହଯୁଦ୍ଧ ଯୋଗୁଁ ଅଣାୟତ୍ତ ସ୍ଥିତି ଲାଗି ରହିଥିବା ବେଳେ ଏହା ସହିତ ଏବେ ମହାବିନାଶକାରୀ ଭୂକମ୍ପ ଅତି ଭୟାନକ ସ୍ଥିତି ସୃଷ୍ଟି କରିଛି।

ପରବର୍ତ୍ତୀ କମ୍ପନ: 
୨.୮ରୁ ୭.୫ ତୀବ୍ରତାର ୧୨ ଝଟ୍‌କା

ମ୍ୟାମାରରେ ହୋଇଥିବା ଏହି ଭୂମିକମ୍ପରେ ୧୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ହଜାରରୁ ଅଧିକ ଆହତ ହୋଇଛନ୍ତି ଏବଂ ୨ ହଜାରରୁ ଅଧିକ ନିଖୋଜ ଅଛନ୍ତି। ଗତକାଲି ମ୍ୟାମାରରେ ୭.୭ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହେବା ଫଳରେ ପରିବହନ ଏବଂ ଯୋଗାଯୋଗ ନେଟୱର୍କ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସାଗାୟୋଙ୍ଗ ନିକଟରେ ହୋଇଥିବା ଏହି ଭୂମିକମ୍ପ ପରେ ୨.୮ରୁ ୭.୫ ତୀବ୍ରତାର ୧୨ଟି ଝଟକା ଅନୁଭୂତ ହୋଇଥିବାରୁ ପ୍ରଭାବିତ ଅଞ୍ଚଳରେ ସ୍ଥିତି ଆହୁରି ଖରାପ ହୋଇଛି। ଆଜି ୫.୧ ତୀବ୍ରତାର ଆଉ ଏକ କମ୍ପନ ଆତଙ୍କ ଖେଳାଇ ଦେଇଥିଲା। ନ୍ୟୁଜ୍ ଏଜେନ୍ସି ସିନୁଆ ଅନୁଯାୟୀ, କ୍ଷୟକ୍ଷତି ବହୁତ ଅଧିକ ଏବଂ ସର୍ବାଧିକ ପ୍ରଭାବିତ ଅଞ୍ଚଳ ହେଉଛି ମଣ୍ଡାଲେ, ବାଗୋ, ମ୍ୟାଗୱେ, ଉତ୍ତର-ପୂର୍ବ ଶାନ୍ ରାଜ୍ୟ, ସାଗାଇଙ୍ଗ ଏବଂ ନେପିଦା। ମ୍ୟାମାର ସରକାର ଏକ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ସହ ଅନ୍ତର୍ଜାତୀୟ ସହାୟତା ପାଇଁ ନିବେଦନ କରିଛନ୍ତି। ୟାଙ୍ଗୁନ-ମଣ୍ଡାଲେ ରାଜପଥ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ଏହାକୁ ସଜାଡ଼ିବା ପାଇଁ ଯୁଦ୍ଧସ୍ତରରେ କାମ ଚାଲିଛି। ଏହି ମାର୍ଗ ହିଁ ଏବେ ଅଂଚଳବାସୀଙ୍କ ପାଇଁ ଜୀବନ ରେଖା ବୋଲି  କୁହାଯାଉଛି।

ମଣ୍ଡାଲେ ବିମାନବନ୍ଦର ଏବଂ ରାଜପଥର କିଛି ଅଂଶ ଭୁଶୁଡ଼ି ପଡ଼ିବା କାରଣରୁ ୟାଙ୍ଗୁନ୍ ଏବଂ ମଣ୍ଡାଲେ ମଧ୍ୟରେ ଯାତ୍ରା ଅଧିକ କଷ୍ଟକର ହୋଇପଡ଼ିଛି। ଅଗ୍ନିଶମ କର୍ମଚାରୀଙ୍କ ସମେତ ଉଦ୍ଧାରକାରୀ ଦଳ ପାଇ-ତାଓ ଏବଂ ମଣ୍ଡାଲେ ଭଳି ଗୁରୁତର ପ୍ରଭାବିତ ଅଞ୍ଚଳରେ ପହଞ୍ଚିଛନ୍ତି। ତେବେ କ୍ଷତିଗ୍ରସ୍ତ ଭିତ୍ତିଭୂମି, ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହେବା ଓ ଫୋନ୍-ଇଣ୍ଟରନେଟ୍ ସେବା ବାଧାପ୍ରାପ୍ତ ହେଉଥିବାରୁ ରିଲିଫ୍ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ  ଉଦ୍ଧାରକାରୀ ଦଳ ଦିନରାତି କାମ କରୁଛନ୍ତି। କିନ୍ତୁ ସାମ୍ପ୍ରତିକ ସମୟର ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପରୁ ମୁକୁଳିବା ପାଇଁ ମ୍ୟାମାର ଏକ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି। ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଖରାପ ହେବା ଏବଂ ଅତ୍ୟାବଶ୍ୟକ ସେବା ବନ୍ଦ ହୋଇଯାଇଥିବାରୁ ବଞ୍ଚିଥିବା ଲୋକଙ୍କ ଜୀବନକୁ ପୁନଃ ଆରମ୍ଭ କରିବାରେ ସହାୟତା କରିବା ପାଇଁ ଶୀଘ୍ର ରିଲିଫ ଯୋଗାଣ ଆବଶ୍ୟକତା ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button