କଳହପ୍ରିୟ, ଅପଦାର୍ଥ ସରକାର: ‘ଆପ୍’କୁ ସମାଲୋଚନା କରି କହିଲେ ବାଂସୁରୀ ସ୍ବରାଜ – Utkal Mail
ନୂଆଦିଲ୍ଲୀ: ଶନିବାର ଦିନ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ‘ଦିଲ୍ଲୀ ସର୍ଭିସେସ୍ ଆକ୍ଟ୍’ ଆଇନରେ ପରିଣତ ହେବା ପରେ ଅରବିନ୍ଦ କେଜ୍ରିୱାଲ୍ଙ୍କ ନେତୃତ୍ବାଧୀନ ସରକାରକୁ ‘କଳହପ୍ରିୟ’ ଓ ‘ଅପଦାର୍ଥ’ ବୋଲି ସ୍ବର୍ଗତ ସୁଷମା ସ୍ବରାଜଙ୍କ ଝିଅ ତଥା ‘ବିଜେପି’ ନେତ୍ରୀ ବାଂସୁରୀ ସ୍ବରାଜ କହିଛନ୍ତି।
ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ବରାଜ କହିଛନ୍ତି, ୨୦୧୫ରୁ ‘ଆପ୍’ ସରକାର ନିଜ ଅପାରଗତା ଲୁଚାଇବା ପାଇଁ ବାହାନା କରି ଆସୁଛି। ଏଇଟା ଗୋଟାଏ ‘କଳହପ୍ରିୟ’ ଓ ‘ଅପଦାର୍ଥ’ ସରକାର। ‘ଦିଲ୍ଲୀ ସେବା ଚିଠା’କୁ ଅନୁମୋଦନ କରିଥିବାରୁ ମୁଁ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଉଛି। ଏବେ ସେ ବିଲ୍ ବା ଚିଠା ଅନୁମୋଦିତ ହୋଇଥିବାରୁ ଦିଲ୍ଲୀ ପ୍ରଶାସନ ଆଇନ ଅନୁସାରେ କାର୍ଯ୍ୟ କରିବ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଆପ୍’ ମନ୍ତ୍ରୀ ସୌରଭ ଭରଦ୍ବାଜ ସୁପ୍ରିମ୍ କୋର୍ଟଙ୍କ ମେ ୧୧ ଆଦେଶର ଅପବ୍ୟବହାର କରିଛନ୍ତି। ସୁପ୍ରିମ୍ କୋର୍ଟ କହିଥିଲେ ଯେ, ଜାତୀୟ ରାଜଧାନୀ ନିମନ୍ତେ ଆଇନ କରିବା ଓ ସିଭିଲ୍ ସର୍ଭିସ୍ ଉପରେ କର୍ତ୍ତୃତ୍ବ ଜାହିର ଅଧିକାର ଦିଲ୍ଲୀ ସରକାରଙ୍କର ଅଧିକାର ଅଛି। ଏହି ଆଦେଶନାମାର ସୁଯୋଗ ନେଇ ଭରଦ୍ବାଜ ଜୁଲାଇ ୧୩ ସୁଦ୍ଧା ମୁଖ୍ୟ ଶାସନ ସଚିବଙ୍କୁ ବଦଳାଇବାକୁ କହିଥିଲେ। ଜୁଲାଇ ୧୫/୧୬ ତାରିଖରେ ଦୁର୍ନୀତି ନିବାରଣ ବିଭାଗର ସ୍ବତନ୍ତ୍ର ସଚିବଙ୍କ ଅଫିସରୁ ଚୋରି ହୋଇଥିବା କଥା ବି ସେ ଅଭିଯୋଗ କରିଥିଲେ। କିନ୍ତୁ, ଦିଲ୍ଲୀ ପ୍ରଶାସନରେ ‘ଆପ୍’ ସରକାର ଯେଉଁ ପରିବର୍ତ୍ତନ ଆଣିବାକୁ ଚାହୁଁଥିଲେ ସେଥିପାଇଁ ଆଇନ ଅପରିହାର୍ଯ୍ୟ ଥିଲା।