ଭଣ୍ଡାରରେ ରହିବ ୫ ଲକ୍ଷ ଟନ୍ ପିଆଜ: କେଜି ୨୫ ଟଙ୍କାରେ ବିକିବ ଏନ୍ସିସିଏଫ୍ – Utkal Mail
ଆସନ୍ତା ମାସରୁ ପନିପରିବା ଶସ୍ତା ହେବ
ନୂଆଦିଲ୍ଲୀ: ଟମାଟୋ ଲୋକମାନଙ୍କୁ କିଛି ଦିନ କନ୍ଦାଇବା ପରେ ଏବେ ପିଆଜକୁ ନେଇ ଚିନ୍ତା ଆରମ୍ଭ ହୋଇଯାଇଛି। ସେହି ଚିନ୍ତା ଦୀର୍ଘଦିନ ରହି କିଛି ସମସ୍ୟା ସୃଷ୍ଟି କରିବା ପୂର୍ବରୁ ତାହାର ଆଗୁଆ ମୁକାବିଲା କରିବାକୁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଜରୁରୀକାଳୀନ ସ୍ଥିତି ପାଇଁ କେନ୍ଦ୍ରୀୟ ଭଣ୍ଡାରରେ ରଖାଯାଉଥିବା ପିଆଜ ପରିମାଣକୁ ୩ ଲକ୍ଷ ଟନ୍ରୁ ବଢ଼ାଇ ୫ ଲକ୍ଷ ଟନ୍ କରାଯାଇଛି। ଚଳିତ ବର୍ଷ କେନ୍ଦ୍ରୀୟ ଭଣ୍ଡାରରେ ୩ ଲକ୍ଷ ଟନ୍ ପିଆଜ ରଖିବାକୁ ନିଷ୍ପତ୍ତି ହୋଇଥିଲା। ସେହି ଲକ୍ଷ୍ୟ ହାସଲ ହୋଇଯିବା ପରେ ସେଥିରେ ଆଉ ୨ ଲକ୍ଷ ଟନ୍ ପିଆଜ ଭର୍ତ୍ତି କରିବାକୁ ସରକାର ନିଷ୍ପତ୍ତି ନେଇଚନ୍ତି। ନାଫେଡ୍ ଓ ଏନ୍ସିସିଏଫ୍ ଏକ ଲକ୍ଷ ଟନ୍ ଲେଖାଏଁ ପିଆଜ ସଂଗ୍ରହ କରିବେ। ଏଥି ସହିତ ଆସନ୍ତାକାଲିଠାରୁ କେଜି ପିଛା ୨୫ ଟଙ୍କାରେ ପିଆଜ ବିକ୍ରି କରିବାକୁ ଏନ୍ସିସିଏଫ୍କୁ ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟାନ୍ୟ ସଂସ୍ଥା ଓ ଅନଲାଇନ୍ରେ ମଧ୍ୟ ପିଆଜି ବିକ୍ରି କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ପିଆଜ ମୂଲ୍ୟରେ ହୋଇଥିବା ବୃଦ୍ଧିକୁ ରୋକିବା ଏବଂ ତାହାର ଦାମ୍ କମାଇବା ଲାଗି କେନ୍ଦ୍ରୀୟ ଭଣ୍ଡାରରୁ ପିଆଜ ବାହାର କରି ଅନ୍ୟତ୍ର ପଠାଯାଉଛି। ଯେଉଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକରେ ଦାମ୍ ଜାତୀୟ ହାରାହାରି ଦାମ୍ଠାରୁ ଅଧିକ ରହିଛି, ସେହି ଅଞ୍ଚଳଗୁଡ଼ିକୁ ପ୍ରଥମେ ପିଆଜ ପଠାଯାଉଛି। ଭଣ୍ଡାରରୁ ୧୪୦୦ ଟନ୍ ପିଆଜ ବାହାର କରାଯାଇସାରିଲାଣି। ସରକାରୀ ତଥ୍ୟ ଅନୁସାରେ ଦେଶରେ ପିଆଜର କେଜି ପିଛା ହାରାହାରି ଦାମ୍ ୨୯ ଟଙ୍କା ୭୩ ପଇସା ରହିଛି। ଗତବର୍ଷ ଏହି ସମୟରେ ଦାମ୍ ୨୫ ଟଙ୍କା ଥିଲା। ଦିଲ୍ଲୀରେ କେଜି ପିଛା ୩୭ ଟଙ୍କାରେ ପିଆଜ ବିକ୍ରି ହେଉଛି।
ଆସନ୍ତା ମାସରୁ ପନିପରିବା ଶସ୍ତା ହେବ
ନୂଆଦିଲ୍ଲୀ: କ୍ଷେତରୁ ନୂଆ ଫସଲ ବଜାରକୁ ଆସିବା ସହ ଆସନ୍ତା ମାସରୁ ବିଭିନ୍ନ ପ୍ରକାର ପନିପରିବା ଦାମ୍ କମିବ ବୋଲି ଅର୍ଥ ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି। କିନ୍ତୁ ଅଶୋଧିତ ତୈଳ ଦାମ୍ରେ ହେଉଥିବା ବୃଦ୍ଧିକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ପନିପରିବା ଦାମ୍ରେ ହୋଇଥିବା ବୃଦ୍ଧି ପାଇଁ ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ୭.୪୪ ପ୍ରତିଶତକୁ ବୃଦ୍ଧି ପାଇଥିବା ବିଷୟକୁ ସେ ସ୍ବୀକାର କରିଛନ୍ତି। ଅଶୋଧିତ ତୈଳ ମୂଲ୍ୟ ସମ୍ପର୍କରେ ସେ କହିଛନ୍ତି ଯେ ଏହାର ବ୍ୟାରେଲ ପିଛା ଦାମ୍ ଏବେବି ୯୦ ଡଲାର ତଳକୁ ରହିଛି। ତାହା ଚଳନୀୟ। ବର୍ତ୍ତମାନ କୌଣସି ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବନି। ଯଦି ଦାମ୍ ୯୦ ଡଲାର ଟପିବ ତେବେ ତାହା ସମସ୍ୟାର କାରଣ ହେବ ବୋଲି ସେ କହିଛନ୍ତି। ପେଟ୍ରୋଲ୍ ଓ ଡିଜେଲ୍ ଉପରୁ ଟିକସ କମ୍ କରିବା ସମ୍ପର୍କିତ କୌଣସି ପ୍ରସ୍ତାବ ଉପରେ ବିଚାର କରାଯାଉନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।