ଦେଶ ବିଦେଶ

କର୍ଣ୍ଣେଲ ସୋଫିଆଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ: ମନ୍ତ୍ରୀଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଭର୍ତ୍ସନା, ତଦନ୍ତ ପାଇଁ ୩ ଜଣିଆ ଟିମ୍‌ ଗଠନ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇ ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ଭାରତ  ‘ଅପରେସନ୍‌ ସିନ୍ଦୂର’ ଆରମ୍ଭ କରିଥିଲା। ଏହି ‘ଅପରେସନ୍‌ ସିନ୍ଦୂର’ ସଂକ୍ରା‌ନ୍ତରେ ‌ଦେଶବାସୀଙ୍କୁ ଅବଗତ କରିବାପାଇଁ ବିବୃତି ରଖୁଥିବା ସେନାବାହିନୀର ଜଣେ ଅଧିକାରୀ କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ବିରୋଧରେ  ମଧ୍ୟପ୍ରଦେଶର ଜଣେ ମନ୍ତ୍ରୀ ବିଜୟ ଶାହ  ଅପମାନଜନକ ଟିପ୍ପଣୀ ଦେଇଥିଲେ। ମନ୍ତ୍ରୀଙ୍କ ଟିପ୍ପଣୀକୁ ନେଇ ଜୋରଦାର ବିବାଦ ହୋଇଥିବା ବେଳେ ମନ୍ତ୍ରୀ ସୁପ୍ରିମ୍‌କୋର୍ଟଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି।  କିନ୍ତୁ   କୋର୍ଟ ତାଙ୍କ କ୍ଷମା ପ୍ରାର୍ଥନାକୁ ଗ୍ରହଣ କରିନାହାନ୍ତି।

ଜଷ୍ଟିସ ସୂର୍ଯ୍ୟକାନ୍ତ ମନ୍ତ୍ରୀଙ୍କ କ୍ଷମାପ୍ରାର୍ଥନାକୁ ପ୍ରତ୍ୟାଖ୍ୟାନ କରି  କହିଛନ୍ତି, ମନ୍ତ୍ରୀ ହୃଦୟରୁ କ୍ଷମା ମାଗିନାହାନ୍ତି। ‘ପ୍ରକୃତ କ୍ଷମାପ୍ରାର୍ଥନା କେଉଁଠି?   କ୍ଷମା ପ୍ରାର୍ଥନା କ’ଣ ତାହା ଜାଣିବା ଦରକାର ? ଆପଣ କି ପ୍ରକାର  କ୍ଷମା ପ୍ରାର୍ଥନା କରିଛନ୍ତି? ଏଭଳି କ୍ଷମା ପ୍ରାର୍ଥନାର କିଛି ଅର୍ଥ ଅଛି କି? ବେଳେବେଳେ ଲୋକମାନେ କେବଳ ପ୍ରକ୍ରିୟ‌ାରୁ ଓହରିଯିବା ପାଇଁ ନମ୍ର ଭାଷା ବ୍ୟବହାର କରନ୍ତି। ପୁଣି ବେଳେବଳେ ସେମାନେ କୁମ୍ଭୀର କାନ୍ଦଣା କରିଥାନ୍ତି। ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି, ‘ ଆପଣ ଏପରି ଏକ ଧାରଣା ଦେବାକୁ ଚାହୁଛନ୍ତି ଯେ କୋର୍ଟ ଆପଣଙ୍କୁ କ୍ଷମା ମାଗିବାକୁ କହିଥିଲେ। ତେବେ ଏ ପର୍ଯ୍ୟନ୍ତ ଆପଣଙ୍କ ଆପତ୍ତିଜନକ ମନ୍ତବ୍ୟ ପାଇଁ ଆପଣଙ୍କୁ ଆନ୍ତରିକ ଭାବରେ କ୍ଷମା ମାଗିବାରୁ କିଏ ଅଟକାଇଥିଲା। ବିଚାରପତି କାନ୍ତ କହିଛନ୍ତି, ଏହା ‌ସେନାବାହିନୀର ପ୍ରସଙ୍ଗ ହୋଇଥିବାରୁ ମନ୍ତ୍ରୀ ଏଥିପ୍ରତି ଅଧିକ ଯତ୍ନବାନ ହେବା ଉଚିତ ଥିଲା।  ୩ ଜଣିଆ‌ ସଦସ୍ୟ ବିଶିଷ୍ଟ ଏକ ଆଇପିଏସ୍‌ ଅଫିସର ଟିମ୍‌ ଏହି ମାମଲାର ତଦନ୍ତ କରିବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  ମଙ୍ଗଳବାର ସକାଳ ସୁଦ୍ଧା ଏହି ଟିମ୍‌ ଗଠନ ହେବା ଉଚିତ ବୋଲି କୋର୍ଟ କହିଛନ୍ତି।

କୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କୁ ଏହି ମାମଲାରେ ଏପର୍ଯ୍ୟନ୍ତ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି ତାହା ପଚାରିଛନ୍ତି ଏବଂ ପୁଲିସକୁ ମାମଲାର ସ୍ଥିତି ସଂକ୍ରାନ୍ତରେ ପଚାରି ବୁଝିଛନ୍ତି। ଉଲ୍ଲେଖଯୋଗ୍ୟ,  ଭାରତ ପାକିସ୍ତାନରେ ଆତଙ୍କବାଦୀ ଆଡ଼ାସ୍ଥଳ ଉପରେ ଆକ୍ରମଣ କରିବା ପରେ, ବିଜୟ ଶାହ କହିଥିଲେ ଯେ ପାକିସ୍ତାନରେ ଯେଉଁ ସମ୍ପ୍ରଦାୟ ରହୁଛନ୍ତି ସେହି ସମ୍ପ୍ରଦାୟରୁ ଜଣେ ମହିଳାଙ୍କୁ ଆତଙ୍କୀଙ୍କୁ ଉଲଗ୍ନ କରିବା ପାଇଁ ପଠାଯାଇଛି। ଯଦିଓ ସେ କାହାର ନାମ ନେଇ ନଥିଲେ, ତାଙ୍କର ମନ୍ତବ୍ୟକୁ ଅପରେସନ୍ ସିନ୍ଦୂରର ବ୍ରିଫିଂ ସମୟରେ ସେନାବାହିନୀର ଅନ୍ୟତମ ଚେହେରା କର୍ଣ୍ଣେଲ ସୋଫିଆ କୁରେସୀଙ୍କ ପ୍ରତି ଉଦ୍ଦିଷ୍ଟ ଥିବା ଜଣାପଡ଼ିଥିଲା।

ଏହି ମନ୍ତବ୍ୟକୁ ନେଇ ବଡ଼ ଧରଣର ବିବାଦ ସୃଷ୍ଟି ହୋଇଥିଲା। ବିରୋଧୀ ଦଳ ନେତା , ପୂର୍ବତନ ସେନା ଅଧିକାରୀ ଏବଂ ଅନେକ ବରିଷ୍ଠ ବିଜେପି ନେତା ମଧ୍ୟ ଏହାକୁ ବିରୋଧ କରିଥିଲେ।   ଶାହ ତାଙ୍କ କ୍ଷମାପ୍ରାର୍ଥନାରେ  କହିଥିଲେ, ‘ମୋ ଭଉଣୀ ସୋଫିଆ ଜାତି ଏବଂ ଧର୍ମରୁ ଊର୍ଦ୍ଧ୍ବକୁ ଉଠି ଦେଶକୁ ଗୌରବ ଆଣି ଦେଇଛନ୍ତି।  ଆମେ ତାଙ୍କୁ ଆମ ସ୍ବପ୍ନରେ ବି ଅପମାନିତ କରିବ‌ା କଥା ଚିନ୍ତା କରିପାରିବୁନି। ତଥାପି ମୋ ଭାଷା ଯଦି ସମାଜ ଏବଂ ଧର୍ମକୁ ଆଘାତ ଦେଇଛି ତେବେ ମୁଁ ୧୦ ଥର କ୍ଷମା ମାଗିବାପାଇଁ ପ୍ରସ୍ତୁତ ଅଛି।

Related Articles

Leave a Reply

Your email address will not be published. Required fields are marked *

Back to top button