ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ: ହାଫିଜ୍, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ଅପରେସନ ସିନ୍ଦୂର ଏକ ଝଲକ ମାତ୍ର ଥିଲା, ଭାରତ ଚାହିଥିଲେ ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା। ସେ କହିଥିଲେ, ୧୯୭୧ ଯୁଦ୍ଧରେ ଭାରତ ବାଂଲାଦେଶ ଗଠନ ମାଧ୍ୟମରେ ପାକିସ୍ତାନକୁ ଦୁଇ ଭାଗରେ ବିଭକ୍ତ କରିଥିଲା। ଯଦି ଅପରେସନ ସିନ୍ଦୂରରେ ନୌସେନା ନିଜର ପୂର୍ଣ୍ଣ ଶକ୍ତି ପ୍ରଦର୍ଶନ କରିଥାନ୍ତା, ତେବେ ପାକିସ୍ତାନ ଚାରି ଭାଗରେ ବିଭକ୍ତ ହୋଇଥାନ୍ତା। ପାକିସ୍ତାନ ଯଦି ପ୍ରକୃତରେ ଦ୍ବିପାକ୍ଷିକ କଥାବାର୍ତ୍ତା ଚାହୁଛି ତା’ହେଲେ ଦୁଇ ମୋଷ୍ଟ୍ ୱାଣ୍ଟେଡ ଆତଙ୍କୀ ହାଫିଜ ସୟିଦ ଓ ମସୁଦ ଆଝାର୍କୁ ଭାରତକୁ ହସ୍ତାନ୍ତର କରୁ ବୋଲି ରାଜନାଥ କହିଛନ୍ତି।
ବର୍ତ୍ତମାନ ଆରବ ସାଗରରେ ନିୟୋଜିତ ଆଇଏନ୍ଏସ୍ ବିକ୍ରାନ୍ତ ପରିଦର୍ଶନ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ଅପରେସନ ସମୟରେ ବିପଦକୁ ନିଷ୍କ୍ରିୟ କରିବାରେ ନୌସେନାର ଭୂମିକାକୁ ପ୍ରଶଂସା କରିଥିଲେ। ଆବଶ୍ୟକ ପଡ଼ିଲେ ଭବିଷ୍ୟତରେ ସାମରିକ କାର୍ଯ୍ୟାନୁଷ୍ଠାନର ସଙ୍କେତ ଦେଇ ପ୍ରତିରକ୍ଷା ମନ୍ତ୍ରୀ ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି, ଏପର୍ଯ୍ୟନ୍ତ ଯାହା ଘଟିଛି ତାହା କେବଳ ଏକ ଝଲକ। ଯଦି ଆବଶ୍ୟକ ପଡ଼େ ତେବେ ନୌସେନାକୁ ମୁତୟନ କରାଯିବ। ସେତେବେଳେ ପାକିସ୍ତାନର କ’ଣ ହେବ ତାହା କେବଳ ଭଗବାନ ହିଁ ଜାଣନ୍ତି।