ଓଡିଶା

ଥରୁଛି କନ୍ଧମାଳ: ଜି.ଉଦୟଗିରି ୬ ଡିଗ୍ରୀ, ଦାରିଙ୍ଗବାଡ଼ି ୭.୫ ଡିଗ୍ରୀ

ଫୁଲବାଣୀ: ପାରଦ ଖସୁଛି, ଶୀତ ଦିନକୁ ଦିନ ବଢ଼ୁଛି। ଅସହ୍ୟ ଥଣ୍ଡାର ପ୍ରକୋପ ସାରା କନ୍ଧମାଳ ଜିଲ୍ଲାରେ ଖେଳିଯାଇଛି। କନ୍ଧମାଳ ଜିଲ୍ଲାରେ ଅନୁଭୂତ ହେଉଛି ରାଜ୍ୟର ସର୍ବନିମ୍ନ ତାପମାତ୍ରା। ସତେ ଯେମିତି କୋରାପୁଟ ଜିଲ୍ଲା ସହ ଟକ୍କର ଦେଉଛି କନ୍ଧମାଳର କାକର। ଏପରିକି କନ୍ଧମାଳ ଜିଲ୍ଲାରେ ମଧ୍ୟ ଗୋଟିଏ ଅଞ୍ଚଳର ତାପମାତ୍ରା ଅନ୍ୟ ଅଞ୍ଚଳରୁ ହ୍ରାସ ପାଇ ପାରଦ ତଳକୁ ଖସିବା ଦୌଡ଼ରେ ଥିବା ମନେ ହେଉଛି। ଓଡ଼ିଶାର କାଶ୍ମୀର କୁହାଯାଉଥିବା ବିଖ୍ୟାତ ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ତାପମାତ୍ରା ୭.୫ ଡିଗ୍ରୀ ଅନୁଭୂତ ହେଉଥିବା ବେଳେ ସଦର ମହକୁମାର ଫୁଲବାଣୀରେ ୬.୬ ଡିଗ୍ରୀ ଏବଂ ଜି.ଉଦୟଗିରିରେ ତା ଠାରୁ ମଧ୍ୟ କମ୍ ଅର୍ଥାତ୍ ୬ ଡିଗ୍ରୀ ସେଲ୍‌ସିୟସ୍ ସହ ରାଜ୍ୟର ଥଣ୍ଡା ଅଞ୍ଚଳ ଭାବେ ନିଜକୁ ରେକର୍ଡ କରାଇଛି। ହାଡ଼ଭଙ୍ଗା ଜାଡ଼ରେ ଥରି ଉଠୁଛନ୍ତି କନ୍ଧମାଳ ବାସିନ୍ଦା ଆଉ ଏଠାରୁ ଆସୁଥିବା ପର୍ଯ୍ୟଟକ।

ଶୀତ ଋତୁରେ କନ୍ଧମାଳର ସବୁଠୁ ଆକର୍ଷଣୀୟ ସ୍ଥାନ ସାଜିଥାଏ ଦାରିଙ୍ଗବାଡ଼ି। ଯେଉଁଠି ତୁଷାରପାତ, କାକର, କୁହୁଡ଼ିର ମଜା ନେବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ବିଭିନ୍ନ ଟୁରିଷ୍ଟ ସ୍ଫଟ୍ ଦେଖିବାକୁ ରାଜ୍ୟ, ଦେଶ, ଏପରିକି ବିଦେଶରୁ ପର୍ଯ୍ୟଟକ ଛୁଟି ଆସିଥାନ୍ତି। ହେଲେ ଏଥର ଦାରିଙ୍ଗବାଡ଼ିକୁ ଶୀତର ପ୍ରକୋପରେ ପଛରେ ପକାଇ ଦେଇଛି ଫୁଲବାଣୀ, ଜି.ଉଦୟଗିରି ଭଳି ସହର। ଦାରିଙ୍ଗବାଡ଼ିରେ ଦିନକରେ ତାପମାତ୍ରା ୨ ଡିଗ୍ରୀ ଖସିଥିବା ବେଳେ ଫୁଲବାଣୀରେ ଦିନକରେ ୨.୫ ଡିଗ୍ରୀ ପାରଦ ହ୍ରାସ ପାଇଛି। ଦିନତମାମ କୋହଲା ପବନ ପ୍ରବାହ, ସନ୍ଧ୍ୟାରୁ ପରଦିନ ସକାଳ ୯ଟା ପର୍ଯ୍ୟନ୍ତ ହାଡ଼କୁ ଥରାଇ ଦେଉଥିବା ଥଣ୍ଡା ଓଡ଼ିଶାରେ ହିମାଳୟ ପାର୍ବତ୍ୟାଞ୍ଚଳର ଅନୁଭୂତି ଆଣି ଦେଉଛି। ନା ଶୀତ ବସ୍ତ୍ର କାମରେ ଲାଗୁଛି ନା ନିଆଁ ପାଖରେ ବସି ସେକ ନେବାର ବିଶେଷ ଫାଇଦା ମିଳୁଛି। କୁହୁଡ଼ି ଏତେ ବ୍ୟାପକ ଯେ ତିନି ଶହ ମିଟର ଦୂରରୁ କୌଣସି ଯାନବାହନର ଚଳପ୍ରଚଳ ମଧ୍ୟ ଦେଖାଯାଉ ନାହିଁ। ଅସହ୍ୟ ଥଣ୍ଡା ଯୋଗୁଁ ଜନଜୀବନ ପ୍ରଭାବିତ ହେଉଛି। ଲୋକଙ୍କ କାମ କରିବା ସମୟ ହ୍ରାସ ପାଇଯାଇଛି। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଜାଡ଼ର ପ୍ରକୋପ ଅଧିକ। ଚା’ ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି ତ ଲୋକେ ଶରୀରକୁ ଫିଟ୍ ରଖିବା ପାଇଁ ସକାଳୁଆ ଚାଲି ଓ ଦୌଡ଼କୁଦର ଆଶ୍ରୟ ନେଉଥିବା ଦେଖିବାକୁ ମିଳୁଛି। ଦାରିଙ୍ଗବାଡ଼ିରେ ରାଜ୍ୟ ସରକାରଙ୍କ ଇକୋ- ରିଟ୍ରିଟ୍ ଏଥର ଅଧିକ ଶୀତ ଯୋଗୁଁ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରୁଛି। ଅଞ୍ଚଳର ସମସ୍ତ ଲଜିଂ, ଅତିଥି ଭବନ, ଡାକ ବଙ୍ଗଳା, ଷ୍ଟେ ହୋମ୍ ଏବେ ଆଗନ୍ତୁକଙ୍କ ରହଣିରେ ଭରପୁର ହୋଇଯାଇଛି। ତଥାପି ଏଠାକୁ ପର୍ଯ୍ୟଟକଙ୍କ ଆଗମନ ଆଗକୁ ନୂଆ ବର୍ଷ ବେଳକୁ ଆହୁରି ବୃଦ୍ଧି ପାଇବା ଆଶା କରୁଛନ୍ତି ଅଞ୍ଚଳବାସୀ।

Related Articles

Leave a Reply

Your email address will not be published. Required fields are marked *

Back to top button