ମନୋରଞ୍ଜନ

ଜନ୍ମଦିନରେ ବଡ଼ ଘୋଷଣା: କାର୍ତ୍ତିକଙ୍କ ସହ ଫିଲ୍ମ କରିବାକୁ ଯାଉଛନ୍ତି କରଣ ଜୋହର – Utkal Mail



ମୁମ୍ବାଇ: ଆଜି ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଜନ୍ମଦିନ। ଏହି ଅବସରରେ ତାଙ୍କ ପ୍ରଶଂସଙ୍କ ପାଇଁ ଖୁସି ଖବର। ଏହି ଖାସ୍‌ ଦିନରେ ତାଙ୍କର ଅପ୍‌କମିଂ ଫିଲ୍ମକୁ ନେଇ ବଡ଼ ଘୋଷଣା କରାଯାଇଛି, ଯାହାକି ଅନେକଙ୍କୁ ଚକିତ କରିଛି। କରଣ ଜୋହରଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରରେ ନଜର ଆସିବେ ଅଭିନେତା କାର୍ତ୍ତିକ ଆର୍ୟନ। ବୁଧବାର ଫିଲ୍ମ ନିର୍ମାତାମାନେ ଏହି ସୂଚନା ଦେଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଫିଲ୍ମର ନାମ ଘୋଷଣା କରାଯାଇ ନାହିଁ। ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ କରଣ ଜୋହର ସମସ୍ତ ବାଦ ବିବାଦ ଭୁଲି କାର୍ତ୍ତିକଙ୍କ ସହ ଫିଲ୍ମ କରିବାକୁ ହାତ ମିଶାଇଛନ୍ତି। କରଣ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏନେଇ ସୂଚନା ଦେଇଛନ୍ତି। କାର୍ତ୍ତିକଙ୍କ ସହ ଏହି ଫିଲ୍ମରେ କାମ କରିବା ଲାଗି କରଣ ବହୁତ ଉତ୍ସାହିତ। ତେବେ କାର୍ତ୍ତିକଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ବୋଲି ସେ କହିଛନ୍ତି।

ଫିଲ୍ମଟି କରଣଙ୍କ ବ୍ୟାନରରେ ନିର୍ମାଣ କରାଯିବ। ଏହାର ନିର୍ଦ୍ଦେଶନା ସନ୍ଦୀପ ମୋଦି କରିବେ। ଫିଲ୍ମକୁ ହୀରୁ ୟଶ ଜୋହର, କରନ ଜୋହର, ଅପୂର୍ବା ମେହେଟ୍ଟା, ଶୋଭା କପୁର ଏବଂ ଏକତା କପୁର ମିଶି ପ୍ରଯୋଜନା କରିବେ। ଫିଲ୍ମର କାହାଣୀଟିକୁ ଅସୀମ ଅରୋରା ଲେଖିଛନ୍ତି। ତେବେ ‘ଚନ୍ଦୁ ଚାମ୍ପିୟନ’ର ଶୁଟିଂ ଶେଷ କରିବା ପରେ କାର୍ତ୍ତିକ ଏହି ଫିଲ୍ମରେ କାମ କରିବେ। ଏହାଛଡ଼ା ଅଭିନେତାଙ୍କ ହାତରେ ‘ଭୁଲ ଭୁଲୈୟା ୩’, ‘ଆଶିକି ୩’, ‘ପତି ପତ୍ନୀ ଔର ବୋ ୨’ ଆଦି ଫିଲ୍ମ ରହିଛି। କାର୍ତ୍ତିକ ଆର୍ଯ୍ୟନଙ୍କ ୩୩ତମ ଜନ୍ମଦିନ ଅବସରରେ କରଣ ଜୋହର ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି। ଏହି ଫିଲ୍ମ ୧୫ ଅଗଷ୍ଟ ୨୦୨୫ ରେ ମୁକ୍ତିଲାଭ କରିବ। ସେ ଆର୍ୟନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ପୁଣି ଅଭିନେତାଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button