କ୍ରୀଡା

ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ଶୃଙ୍ଖଳା: ଟେଷ୍ଟ୍‌ ପରାଜୟରେ ମଲମ ଲଗାଇବ ଭାରତ

ର୍ବାନ୍: ଘରୋଇ ମାଟିରେ ନ୍ୟୁଜିଲାଣ୍ଡଠୁ ଭାରତୀୟ ଟେଷ୍ଟ୍ ଦଳର ଲଜ୍ଜାଜନକ ପରାଜୟ ପରେ ସୀମିତ ଓଭର ଶୃଙ୍ଖଳାରେ ଏବେ ଭାରତ ଆଉ ଏକ ପରୀକ୍ଷାର ସମ୍ମୁଖୀନ ହେବାକୁ ଯାଉଛି। ଶୁକ୍ରବାରଠୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୪ଟି ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବ। ତେଣୁ ଟେଷ୍ଟ୍ ଶୃଙ୍ଖଳାରେ ଭାରତ ପାଇଥିବା ଆଘାତକୁ ଟ୍ବେଣ୍ଟି-୨୦ରେ କେତେ ଉପଶମ ମିଳିବ ତାହା ସୂର୍ଯ୍ୟକୁମାର ୟାଦବଙ୍କ ରଣନୀତି ଉପରେ ନିର୍ଭର କରିବ।

ସେହିପରି ସଂଜୁ ସାମ୍ସନ୍ ଓ ଅଭିଷେକ ଶର୍ମା ମଧ୍ୟ ଏହି ଶୃଙ୍ଖଳାରେ ସଫଳତା ଫେରିପାଇବା ଆଶାରେ ରହିବେ। ସେହିପରି ଅନ୍ୟ ଖେଳାଳିମାନଙ୍କ ପାଇଁ ମଧ୍ୟ ଏହି ଶୃଙ୍ଖଳା ଢେର୍ ଗୁରୁତ୍ବବହନ କରୁଛି। ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଡର୍ବାନ୍ରେ ଭାରତୀୟ ସମୟ ରାତି ସାଢ଼େ ୮ଟାରେ ଆରମ୍ଭ ହେବ। ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ସାମ୍ସନ୍ଙ୍କୁ ପାଳି ଆରମ୍ଭ ପାଇଁ ସୁଯୋଗ ମିଳିଥିଲା ଓ ସେ ତାହାର ଭରପୂର ଫାଇଦା ଉଠାଇଥିଲେ। ୪୭ ବଲ୍ରୁ ୧୧୧ ରନ୍ ସଂଗ୍ରହ କରି ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ରେ ପ୍ରଥମ ଶତକ ଅର୍ଜନ କରିଥିଲେ। ଏହି ଫର୍ମାଟ୍ରୁ ରୋହିତ ଶର୍ମାଙ୍କ ଅବସର ପରେ ସଂଜୁ ଜଣେ ନିୟମିତ ପ୍ରାରମ୍ଭିକ ବ୍ୟାଟର୍ ହୋଇପାରିବେ ବୋଲି ଏହି ଶୃଙ୍ଖଳାରେ ପ୍ରମାଣିତ କରିବାକୁ ହେବ। ସେହିପରି ଅଭିଷେକଙ୍କ ପାଇଁ ମଧ୍ୟ ଏହି ଶୃଙ୍ଖଳା ଅନୁରୂପ ଭାବେ ଗୁରୁତ୍ବପୂର୍ଣ୍ଣ। ଜୁଲାଇରେ ଜିମ୍ବାୱେ ବିପକ୍ଷରେ ହରାରେଠାରେ ୪୭ ବଲ୍ରୁ ଶତକ ଅର୍ଜନ କରି ତାଙ୍କ ପ୍ରତିଭାର ପରିଚୟ ଦେଖାଇସାରିଛନ୍ତି। କିନ୍ତୁ ପରବର୍ତ୍ତୀ ୬ ମ୍ୟାଚ୍ ତାଙ୍କ ପାଇଁ ଭଲ ଯାଇନି। ଶେଷ ୬ ମ୍ୟାଚ୍ରେ ତାଙ୍କ ସ୍କୋର ୦, ୧୦, ୧୪, ୧୬, ୧୫, ୪ ରହିଥିଲା। ତଥାପି ତାଙ୍କୁ ବ୍ୟାଟିଂ କ୍ରମରେ ପ୍ରଥମ ଦୁଇଟି ସ୍ଥାନ ପାଇଁ ଯୋଗ୍ୟ ବୋଲି ବିବେଚନା କରାଯାଉଛି। ତେଣୁ ତାଙ୍କର ସ୍ଥାନ ସୁରକ୍ଷିତ ରଖିବା ପାଇଁ ଏହି ଶୃଙ୍ଖଳାରେ ଅଧିକ ରନ୍ ସଂଗ୍ରହ କରିବାକୁ ହେବ। ଏଥିସହିତ ବାମହାତୀ ସ୍ପିନ୍ରେ ମଧ୍ୟ ସଫଳତା ଅପେକ୍ଷାରେ ସେ ଅଛନ୍ତି।

ତିଳକ ବର୍ମାଙ୍କ ସ୍ଥିତି ମଧ୍ୟ ସମାନ। ଏହି ବାମହାତୀ ବ୍ୟାଟର୍ ଗତବର୍ଷ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭଲ ଖେଳିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଥିଲେ। ଏହାପରଠୁ ୧୨ଟି ମ୍ୟାଚ୍ରେ ସେ ମାତ୍ର ଗୋଟିଏ ଅର୍ଦ୍ଧଶତକ ଅର୍ଜନ କରିଥିବାରୁ ଚଳିତ ବର୍ଷ ଜାନୁଆରିରେ ଆଫଗାନିସ୍ତାନ ବିପକ୍ଷ ଶୃଙ୍ଖଳାପରଠୁ ଆଉ ନୀଳ ଜର୍ସି ପିନ୍ଧିବାର ସୁଯୋଗ ପାଇପାରି ନାହାନ୍ତି। ତେଣୁ ବ୍ୟାଟିଂରେ ଭଲ ପ୍ରଦର୍ଶନ ଦେଇ ଚୟନକର୍ତ୍ତାଙ୍କ ଆସ୍ଥାଭାଜନ ହେବାକୁ ସେ ଲକ୍ଷ୍ୟ ରଖିଥିଲା ବେଳେ କିଛି ମାସ ଧରି ଅଫ୍ ସ୍ପିନ୍ ବୋଲିଂ ଅଭ୍ୟାସ ଆରମ୍ଭ କରିଥିବାରୁ ଏଥିରେ ମଧ୍ୟ ସଫଳତା ଲକ୍ଷ୍ୟରେ ଅଛନ୍ତି। କେବଳ ଏତିକି ନୁହେଁ ନୂଆ ଦ୍ରୁତ ବୋଲରମାନଙ୍କ ମଧ୍ୟରୁ ଅର୍ଶଦୀପ ସିଂହ, ଆୱେସ ଖାନ୍, ବିଜୟ କୁମାର ବୈଶାକ, ୟଶ ଦୟାଲଙ୍କ ଉପରେ ଚୟନକର୍ତ୍ତାଙ୍କ ନଜର ରହିଛି। ଅର୍ଶଦୀପ ଓ ଆୱେଶ ଭଲ ଖେଳିଆସୁଥିଲେ ମଧ୍ୟ ବୈଶାକ ଓ ଦୟାଲ୍ ଘରୋଇ କ୍ରିକେଟ୍ର ଓ ଆଇପିଏଲ୍ର ସଫଳତାକୁ ଆନ୍ତର୍ଜାତିକ କ୍ରିକେଟ୍ରେ ଦୋହରାଇବାକୁ ଚେଷ୍ଟା କରିବେ। ଆଇପିଏଲ୍ରେ କୋଲକାତା ନାଇଟ୍ ରାଇଡର୍ସ ଦ୍ବାରା ରିଟେନ୍ ହୋଇଥିବା ରମଣଦୀପ ସିଂହ ମଧ୍ୟ ଦକ୍ଷିଣ ଆଫ୍ରିକାରେ ନିଜ ଚମକ ଛାଡ଼ିବାକୁ ଅପେକ୍ଷା କରିଛନ୍ତି।

ଦଳର ତିନି ବରିଷ୍ଠ ଖେଳାଳି ସୂର୍ଯ୍ୟକୁମାର ୟାଦବ, ହାର୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ୍ ଅନ୍ୟ ଖେଳାଳିମାନଙ୍କ ପାଇଁ ପ୍ରେରଣା ପାଲଟିଥିବାରୁ ବ୍ୟକ୍ତିଗତ ପ୍ରଦର୍ଶନ ସହ ଯୁବ ଖେଳାଳିଙ୍କୁ ଉଚିତ ମାର୍ଗଦର୍ଶନ ଦେବା ଦାୟିତ୍ବ ମଧ୍ୟ ଏମାନଙ୍କ କାନ୍ଧରେ ରହିବ। ପୁଣି ଆଇପିଏଲ୍ ଖେଳାଳି ନିଲାମ ପାଇଁ ଆଉ ଅଳ୍ପ ଦିନ ଥିବାରୁ ପ୍ରତ୍ୟେକ ଖେଳାଳି ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ବ୍ୟଗ୍ର ଅଛନ୍ତି। ଅନ୍ୟପକ୍ଷରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଫାଇନାଲ୍ର ପରାଜୟର ପ୍ରତିଶୋଧ ଦକ୍ଷିଣଆଫ୍ରିକା ନେବାକୁ ଲକ୍ଷ୍ୟ ରଖିଛି। ଭାରତକୁ ନିଜ ମାଟିରେ ହରାଇ ଦକ୍ଷିଣ ଆଫ୍ରିକା ତାହାର ପୂର୍ବ ଗୌରବ ଫେରିପାଇବାକୁ ଚେଷ୍ଟା କରିବ।
ସମ୍ଭାବ୍ୟ ଭାରତୀୟ ଦଳ: ସଂଜୁ ସାମ୍ସନ୍, ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ୟାଦବ (ଅଧିନାୟକ), ତିଳକ ବର୍ମା, ହାର୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ରମଣଦୀପ ସିଂହ, ଅକ୍ଷର ପଟେଲ୍, ଆୱେସ୍ ଖାନ୍, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ।

ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା ଦଳ: ରିଜା ହେଣ୍ଡ୍ରିକ୍ସ, ରିୟାନ୍ ରିକେଲ୍ଟନ୍, ଐଦେନ ମାରକ୍ରମ (ଅଧିନାୟକ), ତ୍ରିଷ୍ଟନ୍ ଷ୍ଟବ୍ସ, ହେନରିକ୍ କ୍ଲାସେଁ, ଡେଭିଡ୍ ମିଲର, ମାର୍କୋ ୟାନସେନ୍/ଗେରାଲ୍ଡ କୋଏଟ୍ଜି, ଆଣ୍ଡିଲେ ସିମେଲେନ୍, ଏନ୍କ୍ବାବାୟୋମ୍ଜି ପିଟର, କେଶବ ମହାରାଜ, ଓଟନେଲ୍ ବାର୍ଟମ୍ୟାନ୍।

Related Articles

Leave a Reply

Your email address will not be published. Required fields are marked *

Back to top button