ଜୀବନଶୈଳୀ

ଲାଜେଇ ବୋହୂଟେ ପରି ସବୁଜ ଘାସରେ ବୁଲୁଛି ଲାଲ ଟୁକୁ ଟୁକୁ ସାଧବ ବୋହୂ, ଆନମନା ହେଉଛନ୍ତି ପ୍ରକୃତି ପ୍ରେମୀ

କାକଟପୁର: ସବୁଜ ଘାସ ଗାଲିଚା ଉପରେ ଲାଲ ଟୁକୁ ଟୁକୁ ସାଧବ ବୋହୂ । ଧରଣୀ ରାଣୀର ବୁକୁ ଚିରି ବାହାରି ଆସୁଛନ୍ତି ଲାଲ ଟୁକୁ ଟୁକୁ ସାଧବ ବୋହୂ । ନାଲି ରଙ୍ଗର ଫରୁଆକୁ ସତେ ଯେମିତି ଦେହରେ ବୋଳି ହୋଇ ଲାଜେଇ ବୋହୂଟିଏ ପରି ସବୁଜ ଘାସ ଗାଲିଚା ଉପରେ ଧୀରେ ଧୀରେ ଚାଲୁଛନ୍ତି । ପ୍ରକୃତିର ପରଶ ଛୁଆଁରେ ସଜେଇ ହୋଇଛି ଧରଣୀ ରାଣୀ । ଆଉ ଏହି ସାଧବ ବୋହୂଙ୍କୁ ସତେ ଯେମିତି କେହି ଜଣେ ରଙ୍ଗ ତୁଳୀ ଧରି ଆଙ୍କି ଦେଇଛି । ଏହି ସୁନ୍ଦର ସୃଷ୍ଟିରେ ସୃଷ୍ଟିକର୍ତ୍ତାଙ୍କ ନିଖୁଣ କାରିଗରୀରେ ସୃଷ୍ଟି ହୋଇଥିବା ଏହି କୀଟ ଧରଣୀ ରାଣୀକୁ ଅଧିକ ସୁନ୍ଦର କରିଛି । ଉତ୍ତପ୍ତ ପୃଥିବୀକୁ ଶୀତଳତା ଭରିଦେଇଛି ମୌସୁମୀ ବର୍ଷାର ପ୍ରଥମ ଛୁଆଁ । ଏହି ସୁନ୍ଦର ପରିବେଶ ଭିତରେ ଲାଲ ଟୁକୁ ଟୁକୁ ସାଧବ ବୋହୂଙ୍କୁ ଦେଖିଦେଲେ ମନ ଶାନ୍ତି ହୋଇଯାଉଛି ।

କାକଟପୁର ମଙ୍ଗଳା ମହାବିଦ୍ୟାଳୟ ପରିସରରେ ରହିଥିବା ଖେଳ ପଡିଆ ଭିତରେ ଦେଖିବାକୁ ମିଳିଛି ଏଭଳି ବିରଳ ଦୃଶ୍ୟ । ସାଧବ ବୋହୂ ହେଉଛି ସୃଷ୍ଟିକର୍ତ୍ତାଙ୍କ ଏକ ସୁନ୍ଦର ସୃଷ୍ଟି । ଦିନ ଥିଲା ପ୍ରଥମ ମୌସୁମୀ ବର୍ଷା ପରେ ପରେ ଗାଁ ଠାରୁ ଆରମ୍ଭ କରି ସହରାଞ୍ଚଳରେ ରହିଥିବା ପଡିଆମାନଙ୍କରେ ଏହି ସାଧବବୋହୂମାନେ ବହୁସଂଖ୍ୟାରେ ବୁଲୁଥିବା ଦେଖିବାକୁ ମିଳୁଥିଲା । କିନ୍ତୁ ଆଜିର ପ୍ରଦୂଷିତ ପରିବେଶ ଏବଂ ଫସଲରେ ପ୍ରଚୁର ମାତ୍ରାରେ ବ୍ୟବହାର କରାଯାଉଥିବା ରାସାୟନିକ ସାର ଏବଂ କୀଟନାଶକ ପ୍ରୟୋଗ ଏହି ସୁନ୍ଦର କୀଟମାନଙ୍କ ଅସ୍ତିତ୍ବକୁ କ୍ଷତି ପହଞ୍ଚାଇଛି । ଯାହା ଫଳରେ ସାଧବ ବୋହୂ ଆଉ ଦେଖିବାକୁ ମିଳୁନାହାନ୍ତି । କାକଟପୁର ମଙ୍ଗଳା ମହାବିଦ୍ୟାଳୟ ପରିସରରେ ରହିଥିବା ଖେଳ ପଡିଆରେ ଓଦା ମାଟି ଭିତରୁ ଗାତ ଖୋଳି ବାହାରକୁ ଚାଲି ଆସୁଛନ୍ତି ସାଧବ ବୋହୂ । ଏଠାକୁ ଆସୁଥିବା ଛାତ୍ରଛାତ୍ରୀମାନେ ଏହି ସାଧବ ବୋହୂ ଗୁଡ଼ିକୁ ହାତରେ ଧରି ଫଟୋ ଉଠାଉଥିବା ବେଳେ କେହି କେହି ନିଜ ମୋବାଇଲରେ ସାଧବ ବୋହୂଙ୍କ ଭିଡିଓ ସୁଟ କରି ରିଲ୍ସ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି ।

ସାଧବ ବୋହୂ କେବଳ ପ୍ରକୃତିର ସୌନ୍ଦର୍ଯ୍ୟ ବୃଦ୍ଧି କରୁଛି ତା ନୁହେଁ ଏହି କୀଟ ଚାଷୀ ଭାଇର ବନ୍ଧୁ ବୋଲି ଜଣାଯାଇଥାଏ । ଯେଉଁ କ୍ଷେତ ବା ପଡିଆରେ ଜୈବିକ ଉର୍ବରତା ଭଲ ରହିଥାଏ ସେହିଠାରେ ହିଁ ସାଧବବୋହୂମାନେ ଦେଖାଯାନ୍ତି । ସାଧବବୋହୂର ବୈଜ୍ଞାନିକ ନାମ ରେଡ ଭେଲଭେଟ ମାଇଟ (red velvet mite ) । ଏହି କୀଟ ବୁଢିଆଣୀ ପ୍ରଜାତିର ହୋଇଥିବା ବେଳେ ଏମାନଙ୍କର ପ୍ରାୟ ଏକ ହଜାର ପ୍ରଜାତି ରହିଛନ୍ତି । ବର୍ଷାର ପ୍ରଥମ ସ୍ପର୍ଶରେ ସାଧବବୋହୂର ଜନ୍ମ ହୋଇଥାଏ । ଏହି କୀଟମାନଙ୍କର ଜୀବନ ଚକ୍ର ସ୍ବତନ୍ତ୍ର ଭାବେ ହୋଇଥାଏ । ସାଧବବୋହୂର ଜୀବନ ଧାରଣ ବୟସ ଏକ ଦିନରୁ ତିନିଦିନ ହୋଇଥାଏ ।

ଆଜିକାଲି ଚାଷ କ୍ଷେତ୍ରରେ ପ୍ରଚୁର ମାତ୍ରାରେ ରାସାୟନିକ ସାର ଏବଂ କୀଟନାଶକ ପ୍ରୟୋଗ ଏହି କୀଟମାନଙ୍କ ଅବସ୍ଥିତିକୁ ନଷ୍ଟ କରିଛି । କାକଟପୁରର ମଙ୍ଗଳା ମହାବିଦ୍ୟାଳୟ ପରିସରରେ ଏମାନଙ୍କ ଅବସ୍ଥିତି ପରିବେଶ ପାଇଁ ଏବଂ ପ୍ରକୃତି ପାଇଁ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button