ରାୟଗଡ଼ା,ଏନ୍ଏନ୍ଏସ୍: ଦେଶର ବିଭିନ୍ନ ସ୍ଥାନରେ ୩୨ହଜାର ୫୧୨ କୋଟି ଟଙ୍କାର ୭ଟି ବଡ଼ ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି । ଏଥିରେ ନର୍ଗୁଣ୍ଡି – ବାରଙ୍ଗ, ଖୋର୍ଦ୍ଧା ରୋଡ୍ – ବିଜୟନଗରମ ମଧ୍ୟରେ ତୃତୀୟ ଲାଇନ ନିର୍ମାଣ ହେବ । ଡିଭିଜନାଲ ରେଳ ପରିଚାଳକ ସୌରଭ ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରକଳ୍ପର ନିର୍ମାଣ ହେଲେ ଏହାର ଭବିଷ୍ୟତ କ’ଣ ରହିବ ସେନେଇ ଆଲୋଚନା କରିଥିଲେ । ବର୍ତ୍ତମାନ ଅଧିକ ରେଳ ଯାତାୟାତ ଯୋଗୁ ଏହି ରୁଟଟି ଚାପଗ୍ରସ୍ତ ରହିଥିବାବେଳେ ୩ୟ ଲାଇନ ଖୋଲିଲେ ଅଧିକରୁ ଅଧିକ ରେଳ ଚଳାଚଳ ପାଇଁ ବାଟ ଫିଟିବା ସହ ସ୍ଥାନୀୟ ଆଞ୍ଚଳବାସୀ ଉପକୃତ ହେବେ ବୋଲି ଡିଭିଜନାଲ ରେଳ ପରିଚାଳକ ସୌରଭ ପ୍ରସାଦ କହିଛନ୍ତି । ତେବେ ଏହି ନୂତନ ପ୍ରକଳ୍ପର ମୋଟ ଲମ୍ବ ହେଉଛି ୩୮୫ କିମି । ସେଥିମଧ୍ୟରୁ ଭଦ୍ରକ, ଯାଜପୁର , ଖୋର୍ଦ୍ଧା, କଟକ, ଗଞ୍ଜାମ ଦେଇ ଓଡ଼ିଶାରେ ୧୮୪ କିମି ରହିଥିବାବେଳେ ଶ୍ରୀକାକୁଲମ୍,ବିିଜୟନଗରମ ଓ ବିଶାଖାପାଟନମ୍ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ୨୦୧ କିମି ରହିଛି । ସେହିପରି ୫,୬୧୮ କୋଟି ଟଙ୍କା ବ୍ୟାୟରେ ୬ଟି ଗୁରୁତ୍ତ୍ୱପୂର୍ଣ୍ଣ ସେତୁ ନିର୍ମାଣ ହେବାର ଯୋଜନା ରହିଛି । ସେହି ପ୍ରମୁଖ ସେତୁ ଗୁଡ଼ିକ ହେଉଛି ଓଡ଼ିଶାର ବିରୂପ ନଦୀ ଉପରେ ୪୮୮ ମିଟର , ମହାନାଦୀ ଉପରେ ୨,୦୯୬ ମିଟର , କୋଥଜୋରୀ ନଦୀ ଉପରେ ୮୨୨ ମିଟର, ରୁସିକୁଲିଆ ନଦୀ ଉପରେ ୪୫୭ ମିଟର, ବଂଶଧାରା ନଦୀ ଉପରେ ୪୧୦ ମିଟର ଓ କୁଆଖାଇ ନଦୀ ଉପରେ ୮୨୨ ମିଟର ଦୀର୍ଘର ବଡ଼ ସେତୁ ନିର୍ମାଣ ହେବ । ଏହାସହ ୮୬ ମେଜର ବ୍ରିଜ ଏବଂ ୮୪୭ଟି ନିର୍ମାଣ ହେବାକୁ ଥିବା ମାଇନର୍ ବ୍ରିଜର ନିର୍ମାଣ କାମ ଆରମ୍ଭ ହେବ । ବିଶେଷ କରି ଓଡ଼ିଶାର ଏସବୁ ଅଞ୍ଚଳରେ ଶିଳ୍ପଗୁଡ଼ିକ ବିଶେଷ ଉପକୃତ ହେବ ବୋଲି ସୌରଭ ପ୍ରସାଦ କହିଛନ୍ତି ।
Back to top button