ସ୍ବାର୍ଥପର ଦୁନିଆରେ ମାନବିକତା ଦେଖାଇଲେ ପାନ ଦୋକାନୀ, ଯୁବକଙ୍କୁ ଫେରାଇଲେ ୧୧ ଗ୍ରାମର ସୁନାଚେନ୍

ଆଜି ବି ମଣିଷ ପାଖରେ ବଞ୍ଚିଛି ମଣିଷ ପଣିଆ ଓ ମାନବିକତା । ସ୍ବାର୍ଥପର ଦୁନିଆରେ ସବୁ ସ୍ବାର୍ଥ ପଛରେ ଧାଉଁଛନ୍ତି । କିନ୍ତୁ କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ନିସ୍ବାର୍ଥପର ସେବା କରନ୍ତି । ଏ ବୃଦ୍ଧ ଜଣକ ବି ଠିକ୍ ଏମିତି କିଛି କାମ କରିଛନ୍ତି ଯାହା ବଦାନ୍ୟତାର ପରିଚୟ ଦେଇଛି ।
ପାନ ଦୋକାନୀଙ୍କ ବଦାନ୍ୟତା । ରାସ୍ତାରୁ ପାଇଥିବା ୧୧ ଗ୍ରାମର ସୁନାଚେନ୍ ଫେରାଇ ମଣିଷ ପଣିଆ ଦେଖାଇଲେ ବୃଦ୍ଧ ପାନ ଦୋକାନୀ ଦୟାନିଧି । ସୁନା ଜିନିଷ ଦେଖିଲେ ମଣିଷ ମନରେ ଲୋଭ ଆସେ । କିନ୍ତୁ ଗରିବ ହୋଇଥିଲେ ବି ସୁନା ଚେନ୍ ଦେଖି ଦୟାନିଧିଙ୍କ ମନରେ ଟିକେ ବି ଲୋଭ ଆସିନଥିଲା । ଓଲଟା କାହାର ସୁନା ଚେନ୍ । କିଏ ସୁନା ଚେନ୍ କୁ ହଜାଇ ଖୋଜୁଥିବ ତାକୁ ନେଇ ଚିନ୍ତାରେ ଥିଲେ ଦୟାନିଧି । କେନ୍ଦ୍ରାପଡା ସାନ୍ତସାହି ଛକରେ ପାନ ଦୋକାନ କରିଥିବା ୭୫ ବର୍ଷୀୟ ବୃଦ୍ଧ ଦୟାନିଧି ମହାଳିକ ଜଣେ ଯୁବକଙ୍କ ସୁନା ଚେନ୍ ଫେରାଇ ମହାନତାର ପରିଚୟ ଦେଇଛନ୍ତି ।
ସୂଚନା ଅନୁସାରେ ସ୍ଥାନୀୟ ଅଳାଇଲୋ ଗାଁର ଯୁବକ ଆଲୋକ ସେଠୀଙ୍କର ଗତ ରବିବାର ଦିନ ନିର୍ବନ୍ଧ ହୋଇଥିଲା । ଶ୍ୱଶୁରଘର ଉପହାରରେ ଦେଇଥିବା ଏକ ୧୧ ଗ୍ରାମର ସୁନାଚେନ୍ ଯାହାର ବଜାର ମୂଲ୍ୟ ପ୍ରାୟ ଲକ୍ଷେ ୨୦ ହଜାର ଟଙ୍କା ହେବ ଆଲୋକ ବେକରେ ପକାଇ ଥିବା ବେଳେ ଚେନ୍ ଟି କେଉଁଠି ହଜି ଯାଇଥିଲା । ତେବେ ହଜି ଯାଇଥିବା ସେହି ଚେନ୍ କୁ ସାନ୍ତସାହି ରେ ପାନଦୋକାନ କରିଥିବା ଦୟାନିଧି ମହାଳିକ ରାସ୍ତାରୁ ପାଇଥିଲେ । ଆଲୋକ ବ୍ୟସ୍ତ ହୋଇ ଚେନ୍ ଖୋଜୁଥିବା ବେଳେ ଦୟାନିଧି ତାଙ୍କୁ ଦେଖି ସବୁକଥା ପଚାରି ବୁଝିଥିଲେ । ତେବେ ସମସ୍ତ ପ୍ରମାଣ ପାଇବା ପରେ ଦୟାନିଧି ସୁନାଚେନ୍ କୁ ଆଲୋକଙ୍କୁ ଫେରାଇଥିଲେ । ଆସନ୍ତା ଗୁରୁବାର ଦିନ ଆଲୋକଙ୍କ ବିବାହ ଅଛି । ସେ ବ୍ୟସ୍ତ ହୋଇ ସୁନା ଚେନ୍ ଖୋଜୁଥିବାବେଳେ ନିଜ ଚେନ୍ ଫେରି ପାଇ ଖୁସି ଅଛନ୍ତି । ସୁନାଚେନ୍ ପାଇବା ପରେ ଦୟାନିଧିଙ୍କୁ କୃତଜ୍ଞତା ଜଣାଇଛନ୍ତି ଆଲୋକ ।
ଏ ଦୁନିଆରୁ ଧୀରେ ଧୀରେ ମାନବିକତା ହଜି ହଜି ଯାଉଛି । କିନ୍ତୁ ଦୟାନିଧିଙ୍କ ଭଳି କିଛି ହୃଦୟବାନ୍ ବ୍ୟକ୍ତିଙ୍କ ପାଇଁ ଏ ସମାଜରେ ମଣିଷତ୍ତ୍ବ ଏବେ ବି ବଞ୍ଚି ରହିଛି।