ଓଡିଶା

୭ ଟି ବିଭାଗରେ ୧୨୯୪ ଜଣଙ୍କୁ ନିଯୁକ୍ତି, ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ଉପଦେଶ

ଭୁବନେଶ୍ୱର : ୭ଟି ବିଭାଗରେ ୧୨୯୪ ଜଣଙ୍କୁ ନିଯୁକ୍ତି । ଆଜି ଭୁବନେଶ୍ୱର ରେଳ ଅଡିଟୋରିୟମ ଠାରେ ୭ଟି ବିଭାଗରେ ୧୨୯୪ଟି ପଦବୀ ପୂରଣ ପାଇଁ ନିଯୁକ୍ତି ମେଳାର ଆୟୋଜନ କରାଯାଇଥିଲା । ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୮୨୬ଟି ସ୍ନାତକତ୍ତୋର ଶିକ୍ଷକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସହକାରୀ ପ୍ରାଧ୍ୟାପକ, ନର୍ସିଂ ଅଫିସର ଏବଂ ଡ୍ରଗ ଇନସପେକ୍ଟର ପଦବୀକୁ ମିଶାଇ ମୋଟ୍ ୨୨୪ଟି ପଦବୀ ଓ ଶ୍ରମ ବିଭାଗର ୧୯ଟି ବିଭିନ୍ନ ପଦବୀରେ ନିଯୁକ୍ତି ଦିଆଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବ ନିଯୁକ୍ତଙ୍କୁ  ନିଯୁକ୍ତି ପତ୍ର ଦେବା ସହ  ଉଦବୋଧନ ଦେଇ କହିଛନ୍ତି, ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ରୋଜଗାର ସୃଷ୍ଟିକୁ ଗୁରୁତ୍ୱ ଦେଉଛି। ପାଞ୍ଚବର୍ଷ ମଧ୍ୟରେ ଦେଢ ଲକ୍ଷ ସରକାରୀ ପଦବୀ ପୂରଣ କରିବା ଆମର ଲକ୍ଷ୍ୟ ରହିଛି। ପ୍ରଥମ ଦୁଇ ବର୍ଷରେ ୬୫ ହଜାର ପଦବୀ ପୂରଣ ହେବ । ଏକ ବର୍ଷ ମଧ୍ୟରେ ନିଯୁକ୍ତି ମେଳା ମାଧ୍ୟମରେ ୨୭,୪୨୮ଟି ସରକାରୀ ପଦବୀ ପୂରଣ କରାଯାଇଛି । ଗରିବ ଲୋକମାନେ ବହୁ କଷ୍ଟରେ ଅଛନ୍ତି, ସେମାନଙ୍କୁ ଠିକ୍ ସମୟରେ ନ୍ୟାୟ ଦେବାପାଇଁ କେବେ ଭୁଲିବେ ନାହିଁ ବୋଲି ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀ ଉପଦେଶରେ କହିଛନ୍ତି ।

ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଥିଲେ ଯେ, ଆମେ ସମସ୍ତେ ସାଧାରଣ ଲୋକଙ୍କ ପାଇଁ କାମ କରୁଛେ। ଭଲ କାମ କରନ୍ତୁ, ନୂଆ ଓଡିଶା ନିର୍ମାଣରେ ଆପଣ ମାନଙ୍କ ଭଲ ଉଦ୍ୟମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ।  ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା କହିଲେ ଯେ, ନିଯୁକ୍ତି ପାଇଁ ଆମ ସରକାର ପ୍ରତିବଦ୍ଧ ଅଛନ୍ତି। ଆମେ ସମସ୍ତେ ଲୋକଙ୍କ ଟିକସ ପଇସାରେ ଚାକିରୀ କରି ପଇସା ପାଉଛେ, ତେଣୁ ଆମ ସମସ୍ତଙ୍କୁ ଲୋକଙ୍କ ସେବକ ଭାବେ କାମ କରିବା ଉଚିତ୍।  ଆପଣମାନେ ଆମ ବିକଶିତ ଓଡିଶାର ବାହକ। ଆସନ୍ତୁ ଆମେ ସମସ୍ତେ ମିଶି ସରକାରଙ୍କ ଟିମ୍ ଭାବେ ଲୋକଙ୍କ ସେବା କରିବା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ କହିଲେ ଯେ ଗୋଟିଏ ବର୍ଷ ମଧ୍ୟରେ ଆମେ ଯାହା କଥା ଦେଇଥିଲୁ ତାହା ରଖିଛୁ। ସୁଶାସନ ଲୋକଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ଆମେ ଏହି ନିଯୁକ୍ତି କାର୍ଯ୍ୟକ୍ରମ କରୁଛୁ। ସମସ୍ତ ନବନିଯୁକ୍ତ ଅଧିକାରୀଙ୍କୁ ନିଷ୍ଠାର ସହ କାମ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।
ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ  ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ, ଓଡିଶାରେ ଶାସନ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଏବଂ ପ୍ରତ୍ୟେକ ବିଭାଗକୁ ସଶକ୍ତି କରିବା ପାଇଁ ଆମ ସରକାର ସବୁ ପଦକ୍ଷେପ ନେଉଛନ୍ତି। ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗରେ ଏକ ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ନିଯୁକ୍ତି, ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସେ ଆଲୋକପାତ କରି ନବନିଯୁକ୍ତ ମାନଙ୍କୁ ବିକଶିତ ଓ ସମୃଦ୍ଧ ରାଜ୍ୟ ଗଠନରେ ନିଜ ଦାୟିତ୍ୱ ସୁଚାରୁରୂପେ ତୁଲାଇବା ପାଇଁ ସେ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମରେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ  ଗଣେଶ ରାମ ସିଂହ ଖୁଣ୍ଟିଆ, ମୁଖ୍ୟ ଶାସନ ସଚିବ  ମନୋଜ ଆହୁଜା ଉପସ୍ଥିତ ଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା  ଶାସନ ସଚିବ ଶାଳୀନି ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସ୍ୱାସ୍ଥ୍ୟ ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ୱଥୀ ଏସ୍. ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button