ଓଡ଼ିଶାକୁ ନାହିଁ ବାତ୍ୟା ବିପଦ, ଆଇଏମଡି ପକ୍ଷରୁ ହୋଇନାହିଁ ଆକଳନ

ଭୁବନେଶ୍ୱର : ଓଡ଼ିଶାକୁ ନାହିଁ ବାତ୍ୟା ବିପଦ । ସମ୍ଭାବ୍ୟ ବାତ୍ୟା ନେଇ ଆଇଏମଡି ପକ୍ଷରୁ କିଛି ଆକଳନ କରାଯାଇନାହିଁ । କିଛି ଗଣମାଧ୍ୟମରେ ଓଡ଼ିଶାକୁ ବାତ୍ୟା ମାଡ଼ ନେଇ ଖବର ପ୍ରସାରିତ ରହିଛି । କିନ୍ତୁ ଏସବୁ ଫେକ ନ୍ୟୁଜ ବୋଲି ପୂର୍ବରୁ ଆଇଏମଡି ସ୍ପଷ୍ଟ କରିସାରିଛି ।
ଏପଟେ ୨୭ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ପାର୍ଶ୍ବବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି । ଏହି ଲଘୁଚାପ ପରବର୍ତ୍ତୀ ୨ ଦିନରେ ଅଧିକ ଘନୀଭୂତ ହେବ । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୭ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ତେବେ ଆସନ୍ତା ୭ ଦିନ ଯାଏ ସାରା ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବ। ବିଜୁଳି ଘଡ ଘଡି ସହ ବର୍ଷା ସମ୍ଭାବନା ସହ ଝଡ ପବନ ବହିବା ସମ୍ଭାବନା ରହିଛି। ବିଜୁଳି ଘଡ଼ଘଡ଼ି ପାଇଁ ଆଜି ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆସନ୍ତାକାଲି ପାଇଁ ୧୧ ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ । ଏପଟେ ଆରବସାଗରରେ ଅବପାତ । ପଶ୍ଚିମ କେନ୍ଦ୍ରୀୟ ଆରବସାଗରର ଦକ୍ଷିଣ କୋଙ୍କଣ ଉପକୂଳର ସୁଦୃଶ୍ୟ ଲଘୁଚାପ ଘନୀଭୂତ ହୋଇ ଡିପ୍ରେସନର ରୂପ ନେଇଛି । ଏହା ପୂର୍ବ ଦିଗରେ ଗତି କରିବ ।