ଆମେରିକାକୁ ଏୟାର ଡିଫେନ୍ସ ସିଷ୍ଟମ୍ ମାଗିଲା ପାକିସ୍ତାନ: ‘୮୦ ଲଢୁଆ ବିମାନରୁ ୪୦୦ କ୍ଷେପଣାସ୍ତ୍ର ମାଡ଼ କରିଥିଲା ଭାରତ’

ୱାସିଂଟନ: ଅପରେସନ ସିନ୍ଦୂର ସମୟରେ ଭାରତୀୟ ସେନା ପାକିସ୍ତାନକୁ କଡ଼ା ଶିକ୍ଷା ଦେଇଥିବା ବେଳେ ଭୀଷଣ କ୍ଷୟକ୍ଷତି ଯୋଗୁଁ ବିଚଳିତ ପାକିସ୍ତାନ ଏବେ ଆମେରିକାର ଶରଣ ପଶିଛି। ଚୀନ୍ର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଭାରତର କ୍ଷେପଣାସ୍ତ୍ରକୁ ଅଟକାଇବାରେ ବିଫଳ ହୋଇଥିବାରୁ ଏବେ ପାକିସ୍ତାନ ଆମେରିକା ନିର୍ମିତ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ପାଇଁ ନେହୁରା ହୋଇଛି। ସୂଚନାଯୋଗ୍ୟ, ଅପରେସନ ସିନ୍ଦୂରରେ ଭାରତ ପ୍ରଥମ ପର୍ଯ୍ୟାୟ ଅଭିଯାନରେ ପାକିସ୍ତାନ ଓ ପିଓକେରେ ଥିବା ୯ଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲା ଏବଂ ପରେ ପାକିସ୍ତାନର ଆକ୍ରମଣର ଜବାବ ଦେଇ ଏହାର ୧୧ଟି ସାମରିକ ଘାଟିକୁ କ୍ଷତି ପହଞ୍ଚାଇଥିଲା।
ଭାରତର ଏୟାର ଡିଫେନ୍ସ ଏବଂ ସାମରିକ ଶକ୍ତି ଆଗରେ ପାକିସ୍ତାନ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଥିଲା ଏବଂ ପାକ୍ ସେନାକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏଭଳି ସ୍ଥିତିରେ ପଡ଼ୋଶୀ ଦେଶ ଏବେ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଆମେରିକାକୁ ନିବେଦନ କରିଛି। ୱାସିଂଟନରେ ପାକିସ୍ତାନର ଏକ ୧୩ ଜଣିଆ ପ୍ରତିନିଧି ଦଳ ସାର୍ବଜନୀନ ଭାବେ ଆମେରିକାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଉପଲବ୍ଧ କରାଇବାକୁ ଅନୁରୋଧ କରିଛନ୍ତି। ପାକିସ୍ତାନର ମନ୍ତ୍ରୀ ମୁସାଦିକ ମଲିକ କହିଛନ୍ତି ଆମ ପାଖରେ ଥିବା ବ୍ୟବସ୍ଥା ବିଫଳ ହୋଇଥିବାରୁ ଏବେ ଆମେରିକାର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ହିଁ ଆମ ପାଇଁ ନିର୍ଣ୍ଣାୟକ ହେବ।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ମଲିକ କହିଛନ୍ତି, ଭାରତ ଏସ୍-୪୦୦ କ୍ଷେପଣାସ୍ତ୍ର ବ୍ୟବହାର କରିଥିଲା ଏବଂ ୮୦ଟି ଯୁଦ୍ଧ ବିମାନରୁ ୪ ଶହ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଭାରତ ଯେଉଁ ଜ୍ଞାନକୌଶଳ ବ୍ୟବହାର କରୁଥିଲା ତାହା ଅତ୍ୟନ୍ତ ଉନ୍ନତ। ସେଥିପାଇଁ ଆମେ ଏବେ ଆମେରିକାଠାରୁ ଉନ୍ନତ ଯୁଦ୍ଧାସ୍ତ୍ର କିଣିବାକୁ ଚାହୁଛୁ ବୋଲି ମଲିକ କହିଛନ୍ତି। ମଲିକ ପାକିସ୍ତାନ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦାରୀଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍ର ସଦସ୍ୟ ଅଛନ୍ତି। ବର୍ତ୍ତମାନ ଏହି ଟିମ୍ ଆମେରିକୀୟ ଅଧିକାରୀ ଏବଂ ସାଂସଦମାନଙ୍କ ସହ ଆଲୋଚନା କରିବା ପାଇଁ ୱାସିଂଟନରେ ଅଛନ୍ତି।
ସୂଚନାଯୋଗ୍ୟ, ସୀମାରେ ଉତ୍ତେଜନା ସମୟରେ ପାକିସ୍ତାନର ସମସ୍ତ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣକୁ ଭାରତର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ପଣ୍ଡ କରିଦେଇଥିଲା। ରାଵଲପିଣ୍ଡି ସମେତ ବିଭିନ୍ନ ସ୍ଥାନରେ ଭାରତର ଆକ୍ରମଣକୁ ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ପୂର୍ବରୁ ନିଶ୍ଚିତ କରିଥିଲେ। ସେ ସ୍ୱୀକାର କରିଛନ୍ତି ଯେ ଭାରତ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା ଯାହା ରାୱଲପିଣ୍ଡିରେ ଥିବା ବେସ୍ ସମେତ ପାକିସ୍ତାନର ଅନେକ ପ୍ରଦେଶକୁ ଟାର୍ଗେଟ କରିଥିଲା। ଭାରତୀୟ କ୍ଷେପଣାସ୍ତ୍ର ନୁର୍ ଖାନ ଏୟାରବେସ୍ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଥିଲା ବୋଲି ସେ ବିଭିନ୍ନ ମଞ୍ଚରେ ସ୍ବୀକାର କରିଛନ୍ତି।