ଦେଶ ବିଦେଶ

ତୁମେ ଭାରତୀୟ, ତେଣୁ ବୁଦ୍ଦୁ: ମହିଳା ଯାତ୍ରୀ ଓ ତାଙ୍କ ଝିଅକୁ ଗାଳି ଦେଲେ ଚୀନା ଟ୍ୟାକ୍ସି ଚାଳକ – Utkal Mail


ସିଙ୍ଗାପୁର: ଭାରତୀୟ ହୋଇଥିବାରୁ ତୁମେ ବୁଦ୍ଦୁ କହି ସିଙ୍ଗାପୁରରେ ଜଣେ ଚୀନା କ୍ୟାବ୍‌ (ଟ୍ୟାକ୍ସି) ଚାଳକ ଜଣେ ମହିଳା ଓ ତାଙ୍କ ୯ ବର୍ଷୀୟ ଝିଅକୁ ଗାଳି ଦେଇଥିବା କଥା ରବିବାର ଦିନ ‘ଦି ଷ୍ଟ୍ରେଟ୍ସ୍‌ ଟାଇମ୍ସ୍‌’ ରିପୋର୍ଟ କରିଛି।

‘ଦି ଷ୍ଟ୍ରେଟ୍ସ୍‌ ଟାଇମ୍ସ୍‌’ ରିପୋର୍ଟରେ ଉଲ୍ଲେଖ ଅଛି ଯେ, ଶନିବାର ଅପରାହ୍ଣ ପ୍ରାୟ ୨ଟା ବେଳେ ୟୁରୋପୀୟ-ଭାରତୀୟ ବଂଶୋଦ୍ଭବ ୪୬ ବର୍ଷୀୟ ମହିଳା ଜେନେଲ୍‌ ହୋଡେନ୍‌ ଓ ତାଙ୍କ ୯ ବର୍ଷୀୟ ଝିଅ ‘ରାଇଡ୍‌ ହେଲିଙ୍ଗ୍‌ ପ୍ଲାଟ୍‌ଫର୍ମ ‘ଟାଡା’ରେ ଉକ୍ତ ‘କ୍ୟାବ୍‌’ ବୁକ୍‌ କରିଥିଲେ। ଦୁହେଁ ‘କ୍ୟାବ୍‌’ରେ କଥାବାର୍ତ୍ତାରେ ବ୍ୟସ୍ତଥିବା ବ‌େଳେ ହଠାତ୍‌ ଚାଳକ ବିରକ୍ତ ହୋଇ ଗାଡ଼ି ଅଟକାଇ ଦେଲେ। କାରଣ ପାସିର୍‌ ରିସ୍‌ ହାଉସିଙ୍ଗ୍‌ ଇଷ୍ଟେଟ୍‌ ଆଡ଼କୁ ପଡ଼ିଥିବା ଉକ୍ତ ରାସ୍ତା ମେଟ୍ରୋ ଲାଇନ୍‌ (ଏମ୍‌ଟିଆର୍‌ ଲାଇନ୍‌) ନିର୍ମାଣ ଚାଲିଥିବାରୁ ଅବରୋଧ କରାଯାଇଥିଲା।

ହୋଡେନ୍‌ କହିଛନ୍ତି, ଏଥିରେ ବିରକ୍ତ ହୋଇ ‘କ୍ୟାବ୍‌’ ଚାଳକ ପାଟି କରି କହିଲେ, ତୁମେ ମତେ ଭୁଲ୍‌ ଠିକଣା ଓ ଭୁଲ୍‌ ରାସ୍ତା ବତାଇଛ। ତା’ପରେ ଚାଳକ ତାଙ୍କ ଝିଅର ଉଚ୍ଚତାକୁ ନେଇ ମଧ୍ୟ ପାଟିତୁଣ୍ଡ କରିଥିଲେ। ସେ ବାରମ୍ବାର କହିଥିଲେ କି, ତୁମ ଝିଅର ଉଚ୍ଚତା ୧.୩୫ ମିଟର୍‌ ହୋଇଥିବାରୁ ନିରାପଦ ଯାତ୍ରା ଲାଗି ତା’ର ‘ଚାଇଲ୍‌ଡ୍‌ ସିଟ୍‌’ ଆବଶ୍ୟକ ଥିଲା। ତେଣୁ, ସିଙ୍ଗାପୁର ନିୟମ ଅନୁସାରେ, ଏହା ବେଆଇନ ଯାତ୍ରା।  କିନ୍ତୁ, ହୋଡେନ୍‌ କହିଥିଲେ କି, ଝିଅର ଉଚ୍ଚତା ୧.୩୭ ମିଟର୍‌।

ଏମିତି ଯୁକ୍ତିତର୍କ କରି ଗାଡ଼ି ଚଳାଉଥିବା ବେଳେ ‘କ୍ୟାବ୍‌’ ଚାଳକ ଚିତ୍କାର କଲେ, ତୁମେ ଭାରତୀୟ, ମୁଁ ଚୀନା। ତେଣୁ, ‌ତୁମେ ଇତର ଶ୍ରେଣୀର। ହୋଡେନ୍‌ ବାଧା ଦେଇ କହିଲେ, ମୁଁ ଭାରତୀୟ ନୁହେଁ, ସିଙ୍ଗାପୁର ‘ୟୁରୋଏସିଆନ୍‌’।

ସୂଚନାଯୋଗ୍ୟ, ବେଳେ ବେଳେ ‘ୟୁରୋଏସିଆନ୍‌’ମାନଙ୍କ ରଙ୍ଗ ଶାବନା ଓ ଚେହେରା ଭାରତୀୟଙ୍କ ଭଳି ହୋଇଥାଏ। ‌

ସୂଚନାଯୋଗ୍ୟ, ହୋଡେନ୍‌ ଏହି ଘଟଣାକୁ ମୋବାଇଲ୍‌ରେ ରେକର୍ଡ କରିଥିଲେ। ପରେ ତାହାକୁ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରିବା ପରେ ‘ଟାଡା ସିଙ୍ଗାପୁର’ ଘଟଣାର ତଦନ୍ତ ଆରମ୍ଭ କରିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button