ଲସ୍ ଏଞ୍ଜେଲସ୍ରେ କର୍ଫ୍ୟୁ ଲାଗୁ, ୨୦୦ ଗିରଫ

ଲସ୍ ଏଞ୍ଜେଲସ୍: ଲଗାତାର ପଞ୍ଚମ ଦିନ ପାଇଁ ଆମେରିକାର ଦ୍ବିତୀୟ ବୃହତ୍ତମ ସହର ଲସ୍ ଏଞ୍ଜେଲସ୍ରେ ବିକ୍ଷୋଭ ଜାରି ରହିଥିବାରୁ ଜରୁରିକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି। ଶନିବାରଠାରୁ ୪ ଦିନରେ ୨୦୦ରୁ ଅଧିକ ଦଙ୍ଗାକାରୀଙ୍କୁ ଗିରଫ କରାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲସ୍ ଏଞ୍ଜେଲସ୍କୁ ବିଦେଶୀ ଶତ୍ରୁଙ୍କ ଦାଉରୁ ମୁକ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ କାଲିଫର୍ଣ୍ଣିଆର ନେତାମାନେ ରିପବ୍ଲିକାନ୍ ଦଳକୁ ରାସ୍ତାକୁ ହଜାର ହଜାର ସୈନ୍ୟ ପଠାଇବାରୁ ରୋକିବା ପାଇଁ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ତେବେ ଲୋକଙ୍କ ବିରୋଧ ସତ୍ତ୍ୱେ ଟ୍ରମ୍ପଙ୍କ ନିର୍ଦ୍ଦେଶକ୍ରମେ ଶତାଧିକ ଆମେରିକୀୟ ନୌସେନା କର୍ମଚାରୀ ମଙ୍ଗଳବାର ଲସ୍ ଏଞ୍ଜେଲସ୍ ଅଞ୍ଚଳରେ ପହଞ୍ଚିବା ପରେ ରାସ୍ତାରେ ବିକ୍ଷୋଭକାରୀଙ୍କ ଉତ୍ତେଜନା ବୃଦ୍ଧି ପାଇଛି ଏବଂ ଏକଚ୍ଛତ୍ରବାଦର ଚେତାବନୀ ଦେଇଥିବା ଡେମୋକ୍ରାଟିକ୍ ନେତାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। କାଲିଫର୍ଣ୍ଣିଆ ଗଭର୍ଣ୍ଣର ଗାଭିନ୍ ନ୍ୟୁସମ୍ଙ୍କ ଆପତ୍ତି ସତ୍ତ୍ୱେ ରାଷ୍ଟ୍ରପତି ସହରରେ ବିକ୍ଷୋଭ ଦମନ କରିବା ପାଇଁ ୪,୦୦୦ ନ୍ୟାସନାଲ ଗାର୍ଡ ସୈନ୍ୟ ମୁତୟନ କରିଛନ୍ତି।
ଟ୍ରମ୍ପ କହିଛନ୍ତି, କାଲିଫର୍ଣ୍ଣିଆରେ ଆପଣ ଯାହା ଦେଖୁଛନ୍ତି ତାହା ହେଉଛି ଶାନ୍ତି, ଜନଶୃଙ୍ଖଳା ଓ ଜାତୀୟ ସାର୍ବଭୌମତ୍ୱ ଉପରେ ଆକ୍ରମଣ, ଯେଉଁଥିରେ ବିଦେଶୀ ଦଙ୍ଗାକାରୀଙ୍କ ଭୂମିକା ରହିଛି। ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜରୁରୀ। ହିଂସ କାଣ୍ଡ ମଧ୍ୟରେ ଲସ୍ ଏଞ୍ଜେଲସ୍ ସହରରେ ଆଜି ରାତିରୁ ସ୍ଥାନୀୟ ଜରୁରିକାଳୀନ କର୍ଫ୍ୟୁ ଲାଗୁ ହୋଇଥିବା ମେୟର କାରେନ୍ ବାସ୍ ଘୋଷଣା କରିଛନ୍ତି। ସ୍ଥାନୀୟ ସମୟ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ ଏବଂ କିଛି ଦିନ ପାଇଁ ଏହା ଲାଗୁ ହେବାର ସମ୍ଭାବନା ରହିଛି। ଶୁକ୍ରବାର ଟ୍ରମ୍ପ ପ୍ରଶାସନ ଏକାଧିକ ଇମିଗ୍ରେସନ ଚଢ଼ାଉ ଆରମ୍ଭ କରିବା ପରଠାରୁ ଏହି ସହରରେ ପାଞ୍ଚ ଦିନ ଧରି ବିକ୍ଷୋଭ ଦେଖିବାକୁ ମିଳିଛି। ଆନ୍ଦୋଳନକାରୀମାନେ ମେକ୍ସିକୋ ଓ ଅନ୍ୟାନ୍ୟ ଦେଶର ପତାକା ଉତ୍ତୋଳନ କରି ପ୍ରବାସୀଙ୍କୁ ସମର୍ଥନ ଜଣାଇଛନ୍ତି।
ମଙ୍ଗଳବାର ଟ୍ରମ୍ପଙ୍କ ଇମିଗ୍ରେସନ୍ କାର୍ଯ୍ୟାନୁଷ୍ଠାନରେ ଗିରଫ ହୋଇଥିବା ଲୋକଙ୍କୁ ଅଟକ ରଖିବା ପାଇଁ ବ୍ୟବହୃତ କୋଠାରେ ଶତାଧିକ ଲୋକ ଭର୍ତ୍ତି ହୋଇଥିଲେ। ଲସ୍ ଏଞ୍ଜେଲସ୍ ପୁଲିସ ଡିପାର୍ଟମେଣ୍ଟ (ଏଲ୍ଏପିଡି)ର ଅଧିକାରୀମାନେ ଭିଡ଼ ଠେଲି ପ୍ରବାସୀଙ୍କୁ ଗିରଫ କରିଥିଲେ। ଅଳ୍ପ ଦୂରରେ ପ୍ରାୟ ୧୦୦ ଜଣ ଲୋକ ରାସ୍ତା ଅବରୋଧ କରିଥିଲେ। ଆପଲ ଷ୍ଟୋର ସମେତ ଅନେକ ବ୍ୟବସାୟକୁ ମଧ୍ୟ ଲୁଟ୍ କରାଯାଇଥିଲା ଏବଂ ଏଲ୍ଏପିଡି କହିଛି ଯେ ସେମାନେ ୯୬ ଜଣଙ୍କୁ ଗିରଫ କରିଛନ୍ତି। ପୂର୍ବରୁ ରାଷ୍ଟ୍ରପତିଙ୍କ ସହ ମୁହାଁମୁହିଁ ହୋଇଥିବା ଡେମୋକ୍ରାଟ୍ ଗଭର୍ଣ୍ଣର ଗାଭିନ୍ ନ୍ୟୁସମ୍ କହିଛନ୍ତି ଯେ ଟ୍ରମ୍ପ ଯେଭଳିଭାବେ ସହରରେ ସାମରିକୀକରଣ କରିଛନ୍ତି, ତାହା ରାଷ୍ଟ୍ରପତି ନୁହେଁ ବରଂ ଜଣେ ଅତ୍ୟାଚାରୀଙ୍କ ଆଚରଣକୁ ଦର୍ଶାଉଛି। ଏଲ୍ଏପିଡି ମୁଖ୍ୟଙ୍କ କହିବା ଅନୁଯାୟୀ, କିଛି ଦିନ ମଧ୍ୟରେ ବିକ୍ଷୋଭ ପ୍ରଦର୍ଶନ ବୃଦ୍ଧି ପାଇଛି। ଶନିବାର ୨୭ ଜଣଙ୍କୁ ଗିରଫ କରାଯାଇଥିଲା। ରବିବାର ଏହି ସଂଖ୍ୟା ୪୦ ଥିବା ବେଳେ ସୋମବାର ଏହା ୧୧୪ ଓ ମଙ୍ଗଳବାର ୧୯୭କୁ ବୃଦ୍ଧି ପାଇଛି।