ରହସ୍ୟମୟ ମୃତ୍ୟୁକୁ ନେଇ ଚର୍ଚ୍ଚା: ଫାର୍ମ ହାଉସ୍ ବନ୍ଦ ଘରୁ ୨ ମୃତଦେହ ଜବତ – Utkal Mail
ଜେନେରେଟର ଗ୍ୟାସ୍ ନେଲା କି ଜୀବନ?
ବାଲିଅନ୍ତା ବଜାର: ସ୍ଥାନୀୟ ରାମଚନ୍ଦ୍ରପୁର କାଜ ନିକଟସ୍ଥ ଫାର୍ମ ହାଉସ୍ର ଏକ ବନ୍ଦ କୋଠରିରୁ ଆଜି ବାଲିଅନ୍ତା ଥାନା ପୁଲିସ ୨ ଯୁବକଙ୍କ ମୃତଦେହ ଜବତ କରିଛି। ମୃତକମାନେ ହେଲେ କଟକ ନିଆଳୀ ଥାନା କୂଳସାହିର ଜଗବନ୍ଧୁ ବେହେରା (୨୨) ଓ ପଳଶା ଗ୍ରାମର ସୁଶାନ୍ତ ଦାସ(୪୨)। ଦୁଇ ଜଣଯାକ ଫାର୍ମ ହାଉସ୍ର କର୍ମଚାରୀ। ଭିତରୁ ବନ୍ଦ ଥିବା କୋଠରିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାରିପାର୍ଶ୍ବିକ ପରିସ୍ଥିତି ବଡ଼ ରହସ୍ୟମୟ ହୋଇପଡ଼ିଛି। ଭିତରୁ ହତ୍ୟା ବା ଆତ୍ମହତ୍ୟା ଭଳି କୌଣସି ସୁରାକ୍ ମିଳିନଥିବାରୁ ସେମାନଙ୍କ ମୃତ୍ୟୁ ପଛର କାରଣକୁ ନେଇ ନାନା ଆଲୋଚନା କରାଯାଉଛି। ବିଷାକ୍ତ ଖାଦ୍ୟ, ଅତ୍ୟଧିକ ନିଶାସେବନ କିମ୍ବା ସେମିତି କିଛି କାରଣରୁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ସେହିଭଳି ଉକ୍ତ କୋଠରିରେ ଥିବା ଜେନେରେଟରକୁ ନେଇ ବି ସନ୍ଦେହ ସୃଷ୍ଟି ହୋଇଛି। କବାଟ ଝରକା ବନ୍ଦ ଥିବାରୁ ଜେନେରେଟର ଗ୍ୟାସ୍ କୋଠରିରେ ଭର୍ତ୍ତି ହୋଇ ସେମାନଙ୍କ ମୃତ୍ୟୁର କାରଣ ହୋଇଥିବା କୁହାଯାଉଛି। ପୁଲିସ ମୃତଦେହଦ୍ବୟକୁ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ସେମାନଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ସୂଚନା ଦେଇଛି।
ଭୁବନେଶ୍ବର ୟୁନିଟ୍-୯ରେ ରହୁଥିବା ନିଆଳୀ ଥାନା ପଳଶା ଗ୍ରାମର ଅନ୍ତର୍ଯ୍ୟାମୀ ଦାସଙ୍କ ଏହି ଫାର୍ମ ହାଉସ୍ରେ ୨୦ରୁ ଅଧିକ ମଇଁଷି ଅଛନ୍ତି। ଫାର୍ମ ହାଉସ୍ର ଦେଖାଶୁଣା କରିବା ପାଇଁ ସୁଶାନ୍ତ ପ୍ରାୟ ୫ ବର୍ଷ ହେଲା ସେଠାରେ ରହୁଥିଲେ। କିନ୍ତୁ ଜଗବନ୍ଧୁ ପ୍ରାୟ ୨୦ ଦିନ ହେବ ସେଠାକୁ ଆସି ରହିଥିଲେ। ସେ କୌଣସି କାରଣୁ ଘରୁ ରାଗିକରି ଆସିଥିଲେ ଏବଂ ଫାର୍ମ ହାଉସ୍ରେ ମଇଁଷି ସେବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ସବୁଦିନ ପରି ଗତକାଲି ରାତିରେ ସେମାନେ ମଇଁଷିମାନଙ୍କ କାମ ସାରି ନିଜେ ଖିଆପିଆ ସାରି ଶୋଇଥିଲେ। ମାଲିକ ଅନ୍ତର୍ଯ୍ୟାମୀ ମଧ୍ୟ ସବୁଦିନ ଭଳି ରାତିରେ ସେମାନଙ୍କୁ ଫୋନ୍ କରି ମଇଁଷିମାନଙ୍କ କଥା ଓ ଉଭୟଙ୍କ ଖାଇବା କଥା ବୁଝିଥିଲେ। ଆଜି ସେ ପୁଲିସକୁ ଦେଇଥିବା ବୟାନ ଅନୁସାରେ ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଜଗବନ୍ଧୁର ଫୋନ୍ରୁ ତାଙ୍କୁ ଫୋନ୍ କଲ୍ ଆସିଥିଲା। ମାତ୍ର ଶୋଇପଡ଼ିଥିବାରୁ ସେ ଫୋନ୍ ଉଠାଇ ପାରିନଥିଲେ। ଶୁକ୍ରବାର ଭୋର୍ ସମୟରେ ମିସ୍ କଲ୍ ଦେଖି ସେ ଫୋନ୍ କରିଥିଲେ। କିନ୍ତୁ ଦୁଇ ଜଣଯାକ କେହି ଫୋନ୍ ଉଠାଇନଥିଲେ। ତେଣୁ କିଛି ଅଘଟଣ ଆଶଙ୍କାରେ ସେ ଫାର୍ମ ହାଉସ୍କୁ ଆସିଥିଲେ। ଗେଟ୍ ଭିତରୁ ତାଲା ପଡ଼ିଥିବାରୁ ସେ ବାହାରେ ଥାଇ ସେମାନଙ୍କୁ ଡାକିଥିଲେ। କିନ୍ତୁ ବହୁ ସମୟ ପର୍ଯ୍ୟନ୍ତ କେହି ଉତ୍ତର ନଦେବାରୁ ସେ ପାଚେରି ଡେଇଁ ହତା ଭିତରକୁ ଯାଇ କବାଟ ବାଡ଼େଇଥିଲେ। ତଥାପି କେହି ଭିତରୁ ନ ଶୁଣିବାରୁ ସେ ଝରକା ବାଟେ ଦେଖିଥିଲେ। ଦୁଇଜଣଯାକ ଚଟାଣ ଉପରେ ପଡ଼ିରହିଥିଲେ। ତୁରନ୍ତ ଅନ୍ତର୍ଯ୍ୟାମୀ ଥାନାକୁ ଫୋନ୍ କରିଥିଲେ। ପୁଲିସ ପହଞ୍ଚିବା ପରେ କବାଟ ତଡ଼ାଯାଇଥିଲା। ସେମାନେ ମୃତ ବୋଲି ଜଣାପଡ଼ିବା ପରେ ପୁଲିସ ସାଇଣ୍ଟିଫିକ୍ ଟିମ୍କୁ ଡକାଇଥିଲା। ଖବର ପାଇ ଉଭୟଙ୍କ ପରିବାର ଲୋକେ ବି ସେଠାରେ ପହଞ୍ଚିଥିଲେ। ସାଇଣ୍ଟିଫିକ୍ ଟିମ୍ର ଛାନ୍ଭିନ ସରିବା ପରେ ମୃତଦେହଦ୍ବୟକୁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିଲା।
ଗତକାଲି ରାତିରେ ରାମଚନ୍ଦ୍ରପୁର ଅଞ୍ଚଳରେ ବିଦ୍ୟୁତ୍ ନଥିଲା। ଫଳରେ ଫାର୍ମ ହାଉସ୍ର ସିସି କ୍ୟାମେରା କାମ କରୁନଥିଲା। ତେଣୁ ଗତକାଲି ରାତିରେ ସୁଶାନ୍ତ ଓ ଜଗବନ୍ଧୁ ପାଖକୁ ଆଉ କେହି ଆସିଥିଲେ କି ନାହିଁ, ଜଣାପଡ଼ିନାହିଁ। ତଥାପି ଏଦିଗରେ ପୁଲିସ ଭିନ୍ନ ବାଟରେ ତଥ୍ୟ ସଂଗ୍ରହ କରୁଛି। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ସେମାନେ ରାତିରେ ଖାଇଥିବା ଖାଦ୍ୟ ଓ ରୋଷେଇ ସରଞ୍ଜାମ ଜବତ କରି ନେଇଛି। ସେହିଭଳି ଜେନେରେଟର ଚାଲିଥିଲା କି ନା, ସେନେଇ ବି ପରୀକ୍ଷା କରାଯିବ ବୋଲି ପୁଲିସ ସୂଚନା ଦେଇଛି। ତେବେ ସବୁ ପରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ସାଇଣ୍ଟିଫିକ୍ ରିପୋର୍ଟ ମିଳିବା ପରେ ମୃତ୍ୟୁ ପଛର କାରଣ ଜଣାପଡ଼ିବ ବୋଲି ଏସିପି ଶୁଭ ନାରାୟଣ ମୁଦୁଲି କହିଛନ୍ତି।