ସନ୍ଦେହଜନକ ଅବସ୍ଥାରେ ମିଳିଲା ମହିଳାଙ୍କ ମୃତଦେହ, ପୁଅ ଅଟକ

କାମାକ୍ଷାନଗର: ମେଡିକାଲ୍ ଦୁଆରେ ବସି ବାହୁନୀ ବାହୁନୀ କାନ୍ଦୁଛି ବୁଢୀ ମାଆ । ଏପଟେ ବୁଢା ବାପା ବି କଥା କହୁ କହୁ କୋହ ସମ୍ଭାଳି ପାରୁନାହାନ୍ତି । କାହିଁକିନା ହଠାତ୍ ଏ ବୟସରେ ସେମାନେ ବଞ୍ଚି ଥାଉ ଥାଉ ତାଙ୍କ ଝିଅ ସବୁଦିନ ପାଇଁ ଶୋଇପଡିଛି ଚିରନିଦ୍ରାରେ । ଏଭଳି ଏକ ଦୁଃଖଦ ଖବରକୁ କେମିତି ବା ସାମ୍ନା କରିପାରିବେ ଏ ବୃଦ୍ଧ ବାପା ମାଆ ।
ଯାହା ଖବର ମିଳିଛି, ତୁମୁସିଙ୍ଗା ଥାନା ଅଁଳାବେରେଣୀ ଗାଁରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଏବେ ସମଗ୍ର ଅଞ୍ଚଳରେ ଖେଳାଇ ଦେଇଛି ଚାଞ୍ଚଲ୍ୟ । ମୃତ ମହିଳା ଜଣକ ଉକ୍ତ ଗାଁର ଚଞ୍ଚଳା ନାୟକ ବୋଲି ସୂଚନା ମିଳିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ, ସନ୍ଦେହରେ ପୋଲିସ୍ ମହିଳାଙ୍କ ପୁଅକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ଭେରୁଣିଆ ଗ୍ରାମର ମାଧବ ପ୍ରଧାନଙ୍କ ଝିଅ ଚଞ୍ଚଳା ଅଁଳାବେରେଣୀ ଗାଁର ସୁର ନାୟକଙ୍କୁ ବିବାହ କରିଥିଲେ । ସୁର ଅଁଳାବେରେଣୀ ଗାଁରେ ଚୌକିଆ ଭାବେ କାମ କରୁଥିବା ବେଳେ, ଗତ ଦୁଇ ବର୍ଷ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଛି । ଯାହାକୁ ନେଇ ଚଞ୍ଚଳା ନିଜ ପୁଅ ଲିପୁ ଓ ବୋହୂ ସହ ଗାଁରେ ରହି ଆସୁଥିଲେ ।
ତେବେ ଏକ ବର୍ଷ ପୂର୍ବରୁ କୌଣସି କାରଣରୁ ଚଞ୍ଚଳାଙ୍କ ବୋହୂର ବି ମୃତ୍ୟୁ ହୋଇଥିଲା । ଯାହାପରେ ଦୁଇ ନାତିକୁ ସାଥିରେ ଧରି ଚଞ୍ଚଳା ପୁଅ ପାଖରେ ଗାଁରେ ରହିଆସୁଥିଲେ । ତେବେ ଗତକାଲି ରାତିରେ ଚଞ୍ଚଳାଙ୍କ ଅସ୍ଵାଭିକ ଭାବେ ମୃତ୍ୟୁ ହୋଇଥିବା ଖବର ଚାରିଆଡେ ପ୍ରଚାର ହୋଇଥିଲା । ଏପଟେ ଚଞ୍ଚଳାଙ୍କ ଶରୀରରେ କ୍ଷତ ଚି଼ହ୍ନ ରହିଥିବା ମଧ୍ୟ ଦେଖାଯାଇଛି । ଯାହାକୁ ନେଇ ଚଞ୍ଚଳାଙ୍କ ମୃତଶରୀରକୁ ଜବତ କରି ଅଁଳାବେରେଣୀ ମେଡିକାଲରେ ପୋଲିସ ରଖିଥିବାବେଳେ, ପୁଅ ଲିପୁକୁ ଅଧିକ ପଚରାଉଚୁରା ପାଇଁ ଅଟକ ରଖିଛି ।
ଏପଟେ ଚଞ୍ଚଳାଙ୍କ ମୃତ୍ୟୁ ଖବର ପାଇ ତାଙ୍କ ବାପଘର ଲୋକେ ମେଡିକାଲରେ ଆସି ପହଞ୍ଚିଥିବାବେଳେ କିପରି ଝିଅର ମୃତ୍ୟୁ ହେଲା ତାହା ସେମାନେ ଜାଣି ନଥିବା କହିଛନ୍ତି । ଅନ୍ୟପକ୍ଷରେ ମେଡିକାଲ ରିପୋର୍ଟ ଆସିବା ପରେ ଓ ଚଞ୍ଚଳାଙ୍କ ପୁଅକୁ ଅଧିକ ପଚରାଉଚୁରା ପରେ ହିଁ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ପୋଲିସ୍ ସୂଚନା ଦେଇଛି ।
ତେବେ ମୃତ ଚଞ୍ଚଳାଙ୍କ ଶରୀରର ଅନେକ ସ୍ଥାନରେ କ୍ଷତ ଚି଼ହ୍ନ ରହିଥିବାବେଳେ, ଏହା ସ୍ୱାଭାବିକ ମୃତ୍ୟୁ ନା କେହି ତାଙ୍କୁ ହତ୍ୟା କରିଛି ସେନେଇ ପୋଲିସ୍ ଉଚିତ୍ ତଦନ୍ତ କରିବା ସହ ପ୍ରକୃତ ଘଟଣା ସାମ୍ନାକୁ ଆଣି ଦୋଷୀକୁ ଦଣ୍ଡ ଦବାକୁ ଦାବି କରିଛନ୍ତି ପରିବାର ଲୋକେ ।