ଓଡିଶା

ବାରବାଟୀ ଦିନିକିଆ ପାଇଁ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ: ଫେବ୍ରୁଆରି ୨ରେ ଅନ୍‌ଲାଇନ୍‌ ଟିକଟ

କଟକ: ଫେବ୍ରୁଆରି ୯ ତାରିଖରେ ବାରବାଟୀ ଷ୍ଟାଡିୟମ୍‌ରେ ‌ଭାରତ-ଇଂଲଣ୍ଡ ଶୃଙ୍ଖଳାର ଦ୍ବିତୀୟ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ଫେବ୍ରୁଆରି ୨ ତାରିଖରେ ଅନ୍‌ଲାଇନ୍‌ରେ ଟିକଟ ବିକ୍ରି କରାଯିବ। ଅନ୍‌ଲାଇନ୍‌ରେ ପାଖାପାଖି ୪ ହଜାର ଟିକଟ୍ ବିକ୍ରି ହେବ। ଫେବ୍ରୁଆରି ୭, ୮ ଓ ୯ରେ କଟକର କେମ୍ବ୍ରିଜ୍ ସ୍କୁଲ ଓ ଭୁବନେଶ୍ବର କିଟ୍‌ରେ ଅନ୍‌ଲାଇନ୍ ଟିକଟର ଯାଞ୍ଚ ଓ ଦେୟ ଦାଖଲ କରାଯିବ। ଫେବ୍ରୁଆରି ୩ ଓ ୪ ତାରିଖରେ ଓସିଏ ସମ୍ମିଳନୀ କକ୍ଷରେ ଓସିଏ କର୍ମକର୍ତ୍ତା, କାଉନସିଲ୍ ‌ସଦସ୍ୟ, ଓସିଏ ସହ ଅନୁବନ୍ଧିତ କ୍ଲବ୍, ସ୍କୁଲ୍‌ ଆଦି ଅନୁଷ୍ଠାନକୁ ଟିକଟ ବିକ୍ରି କରାଯିବ। ଫେବ୍ରୁଆରି ୫ ଓ ୬ତାରିଖ ଦୁଇ ଦିନ ଧରି କାଉଣ୍ଟର୍‌ରେ ସାଧାରଣ‌ ଦର୍ଶକଙ୍କ ପାଇଁ ଟିକଟ ବିକ୍ରି କରାଯିବ। ସାଧାରଣ ଦର୍ଶକଙ୍କ ପାଇଁ ସକାଳ ୯ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ କାଉଣ୍ଟର୍‌ ଖୋଲା ରହିବ। ଜଣେ ଦର୍ଶକଙ୍କୁ ସର୍ବାଧିକ ୨ଟି ଟିକଟ ବିକ୍ରି କରାଯିବ।

ପଦ୍ମ ପୁରସ୍କାର ବିଜେତାଙ୍କୁ ସମ୍ମାନର ସହ ଦେଖିବା ବ୍ୟବସ୍ଥା
ବାଲିଯାତ୍ରା ପଡ଼ିଆରେ ପାର୍କିଂ ବ୍ୟବସ୍ଥା
ବାଲିଯାତ୍ରା ପଡ଼ିଆ, ସତ୍ୟବ୍ରତ ଷ୍ଟାଡିୟମ୍‌ରେ ଲାଗିବ ବଡ଼ ଏଲ୍ଇଡି

ବାରବାଟୀ ଷ୍ଟାଡିୟମ୍‌ର ଦର୍ଶକ କ୍ଷମତା ୪୪ ହଜାର ୫୭୪ ରହିଥିବା ବେଳେ ୨୪ ହଜାର ୬୯୨ଟି ଟିକଟ୍‌ ଅନ୍‌ଲାଇନ୍ ସମେତ ବକ୍ସ ଅଫିସ୍, ସହବନ୍ଧିତ ଅନୁଷ୍ଠାନ ପାଇଁ ବିକ୍ରି କରାଯିବ। ଷ୍ଟାଡିୟମ୍‌ ବାହାରେ ଉଭୟ ବାଲିଯାତ୍ରା ପଡ଼ିଆ ସମେତ ସତ୍ୟବ୍ରତ ଷ୍ଟାଡିୟମରେ ସାଧାରଣ ଦର୍ଶକଙ୍କ ପାଇଁ ଏଲ୍ଇଡି ସ୍କ୍ରିନ୍ ଲାଗିବ। ବାଲିଯାତ୍ରା ପଡ଼ିଆରେ ପାର୍କିଂ ବ୍ୟବସ୍ଥା ହେବ। ଓସିଏ ପକ୍ଷରୁ ପାର୍କିଂ ସ୍ଥଳରୁ ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ଯିବା ଆସିବା ବ୍ୟବସ୍ଥା କରାଯିବ। ଅନ୍ୟପଟେ ୮ ତାରିଖ ଅପରାହ୍ନ ୧ଟାରୁ ୪ଟା ଇଂଲଣ୍ଡ ଦଳ ଓ ଅପରାହ୍ନ ୫ଟାରୁ ୮ଟା ପର୍ଯ୍ୟନ୍ତ ଭାରତୀୟ ଦଳ ଷ୍ଟାଡିୟମ୍‌ରେ ଅଭ୍ୟାସ କରିବେ।। ଓସିଏ ସମ୍ମିଳନୀ କକ୍ଷରେ ଦ୍ବିତୀୟ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଏଥିରେ ଓସିଏ କାମଚଳା ସଭାପତି ପଙ୍କଜ ଲୋଚନ ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ଓସିଏ ସଂପାଦକ ସଞ୍ଜୟ ବେହେରା ପ୍ରସ୍ତୁତି ବିବରଣୀ ପ୍ରଦାନ କରିଥିଲେ। ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ କହିଲେ ଯେ, ପ୍ରାୟ ତିନି ବର୍ଷରେ ବାରବାଟୀ ଷ୍ଟାଡିୟମ‌୍‌ରେ ଅନ୍ତର୍ଜାତୀୟ ମ୍ୟାଚ୍ ହେଉଥିବାରୁ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବଂ ଓସିଏ କର୍ତ୍ତୃପକ୍ଷ ସମସ୍ତ ବ୍ୟବସ୍ଥା କରୁଛନ୍ତି।

ଟିକଟ ବିକ୍ରିଠାରୁ ଆରମ୍ଭ କରି ମ୍ୟାଚ୍‌ ସରିବା ପର୍ଯ୍ୟନ୍ତ ଯେପରି କୌଣସି ବ୍ୟକ୍ତି ଅସୁବିଧାରେ ନ ପଡ଼ନ୍ତି, ସେହିପରି ବ୍ୟବସ୍ଥା ହେବ। ପ୍ରଥମ ଥର ପାଇଁ ପଦ୍ମଶ୍ରୀ, ପଦ୍ମଭୂଷଣ, ଦ୍ରୋଣାଚାର୍ଯ୍ୟ ଭଳି ସମ୍ମାନ ଲାଭ କରିଥିବା ଓଡ଼ିଶା ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ପାଇଁ ସମ୍ମାନର ସହ ମ୍ୟାଚ୍ ଉପଭୋଗ ବ୍ୟବସ୍ଥା କରାଯିବ। ମ୍ୟାଚ୍‌କୁ ସଫଳ କରିବା ପାଇଁ ସମସ୍ତ ସହଯୋଗ କରିବାକୁ ଶ୍ରୀ ସୂର୍ଯ୍ୟବଂଶୀ ଅନୁରୋଧ କରିଥିଲେ। ବୈଠକରେ ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋସ, ଚୌଦ୍ବାର-କଟକ ବିଧାୟକ ସୌଭିକ୍ ବିଶ୍ବାଳ, ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ‌ମେୟର ସୁବାସ ଚନ୍ଦ୍ର ସିଂହ, ଅନୁଗୁଳ ବିଧାୟକ ପ୍ରତାପ ପ୍ରଧାନ, ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବାଙ୍ଗିରପୋଷି ବିଧାୟିକା ସଞ୍ଜଳି ମୁର୍ମୁ, ଭଟ୍‌ଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ବାଲେଶ୍ବର ବିଧାୟକ ମାନସ କୁମାର ଦତ୍ତ, ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ, ଡିସିବି ଜଗମୋହଦ ମୀନାଙ୍କ ସମେତ ଓସିଏ କର୍ମକର୍ତ୍ତା, ଓସିଏ ସହ ଅନୁବନ୍ଧିନ କ୍ଲବ୍, ସ୍କୁଲ, କ୍ରୀଡ଼ା ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button