କ୍ରାଇମ

ବେନାମୀ ପିଟିସନ୍ ଦେଇ ଏସ୍‌ଏସ୍‌ବି ଯବାନ ନିଲମ୍ବିତ – Utkal Mail


ଭୁବନେଶ୍ବର: ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଏକାଧିକ ବେନାମୀ ପିଟିସନ୍ ଦେଇ ଶେଷରେ ଚାକିରିରୁ ନିଲମ୍ବିତ ହୋଇଛନ୍ତି ଏସଏସବି ଯବାନ ଦୀପକ ମହାରଣା। ଡିସିପି ମୁଖ୍ୟାଳୟଙ୍କ ଦ୍ବାରା ତଦନ୍ତ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଏସଏସବି ଯବାନ ଦୀପକ ବିଭିନ୍ନ ସମୟରେ ବିଭାଗର ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଅଭିଯୋଗପୂର୍ଣ୍ଣ ବେନାମୀ ପିଟିସନ୍ ଦାଖଲ କରୁଥିଲେ। ପୁଲିସ ଡିଜି, ଗୃହ ସଚିବ, ପୁଲିସ କମିସନରଙ୍କ ପାଖକୁ ଅଭିଯୋଗ ପଠାଉଥିଲେ। ଗତ କିଛିଦିନ ତଳେ ଲୋକସେବା ଭବନର ଭାରପ୍ରାପ୍ତ ସୁରକ୍ଷା ଅଧିକାରୀ ଅତିରିକ୍ତ ଡିସିପି ସୁଜିତ କୁମାର ଦଳାଇଙ୍କ ବିରୋଧରେ ମଧ୍ୟ ବେନାମୀ ପିଟିସନ୍ ଆସିଥିଲା। ସେ ଦୁର୍ନୀତି କରୁଥିବା ଅଭିଯୋଗରେ ଉଲ୍ଲେଖ ରହିଥିଲା। ହ୍ବାଟସଆପ୍ ଚାଟିଂକୁ ଏଡିଟ୍ କରି ଏହାର ସ୍କ୍ରିନ୍ ସଟ୍ ମଧ୍ୟ ପଠା ଯାଇଥିବା ଅଭିଯୋଗ ହୋଇଥିଲା।

ସେହିପରି ସୋସିଆଲ ମିଡିଆରେ ଧମକପୂର୍ଣ୍ଣ କଲ୍ ଓ ମେସେଜ୍ ଆସିଥିଲା। ଏ ନେଇ ଶ୍ରୀ ଦଳାଇ ପୁଲିସ କମିସନରଙ୍କ ନିକଟରେ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ଡିସିପି ମୁଖ୍ୟାଳୟଙ୍କୁ ନିରପେକ୍ଷ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତଦନ୍ତ ସମୟରେ ଜଣାପଡ଼ିଥିଲା ବେନାମୀ ପିଟିସନ୍ ପିଏମଜିରୁ ପଠାଯାଇଛି। ପିଏମଜିର ସିସିଟିଭି ଫୁଟେଜ ଯାଞ୍ଚ ପରେ ଦୀପକ ପିଟିସନ୍ ପଠାଉଥିବା ଦେଖିବାକୁ ମିଳିଥିଲା। ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ସେହିପରି ହ୍ବାଟସଆପ୍ ଚାଟିଂ ସ୍କ୍ରିନ ସଟ୍ ଏଡିଟ୍ କରାଯିବା ସହ ସୋସିଆଲ ମିଡିଆ ମାଧ୍ୟମରେ ଭିଡିଓ ଏବଂ ମେସେଜ୍ ଆସୁଥିବାରୁ ସାଇବର ଥାନାରେ ମଧ୍ୟ ଅଭିଯୋଗ ହୋଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button