ଓଡିଶା

ଭିସୁଟରେ ଆକଷ୍ଟିକାଲ ସୋସାଇଟି ଅଫ ଇଣ୍ଡିଆର ରାଷ୍ଟ୍ରୀୟ ମହାଧିବେଶନ

ସମ୍ବଲପୁର: ଆକଷ୍ଟିକାଲ ସୋସାଇଟି ଅଫ ଇଣ୍ଡିଆର ୫୦ ତମ ଜାତୀୟ ମହାଧିବେଶନର ଉଦଘାଟନୀ ଉତ୍ସବ ସଂପ୍ରତି ବୀର ସୁରେନ୍ଦ୍ର ସାଏ ପ୍ରଦ୍ୟୋଗିକ ବିଶ୍ୱବିଦ୍ୟାଳୟର ଇ-ଶିକ୍ଷାଦାନ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ୯.୩୦ ରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ବିଶ୍ୱବିଦ୍ୟାଳୟର ମାନନୀୟ କୁଳପତି ଓ କାର୍ଯ୍ୟକ୍ରମର ମୁଖ୍ଯ ପୃଷ୍ଠପୋଷକ ପ୍ରଫେସର ବଂଶୀଧର ମାଝି ଦେଶର କୋଣାନୁକୋଣରୁ ଆସିଥିବା ପ୍ରତିଷ୍ଠିତ ବୈଜ୍ଞାନିକ ଓ ଶିକ୍ଷାବିତ୍ ମାନଙ୍କୁ ମା ସମଲେଶ୍ଵରୀ ଓ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ମାଟିକୁ ସ୍ୱାଗତ କରିଥିଲେ ।

ବୀର ସୁରେନ୍ଦ୍ର ସାଏଙ୍କ ବଳିଦାନର ଭୂଇଁରେ ସ୍ୱାଧିନତାର ଅମୃତକାଳ ବର୍ଷରେ ଆକଷ୍ଟିକାଲ ସୋସାଇଟିର ମହାଧିବେଶନ ଆୟୋଜିତ କରୁଥିବାରୁ ସଂଗଠନର କାର୍ଯ୍ଯ କର୍ତ୍ତା ଓ କାର୍ଯ୍ୟକ୍ରମର ସଂଗଠନ ସମ୍ପାଦକଙ୍କୁ ସାଧୁବାଦ ଦେଇଥିଲେ। ବୁର୍ଲା ସ୍ଥିତ ଏହି ବିଶ୍ୱବିଦ୍ୟାଳୟ ଆଧୁନିକ ଓଡିଶା ର ନବନିର୍ମାଣର ପ୍ରମୁଖ ପୁରୋଧା ଓ ସୋସାଇଟିର ଗବେଷଣାତ୍ମକ ଆଭିମୁଖ୍ୟରେ ସହଭାଗୀ ହେବ ବୋଲି ସେ ପ୍ରତିଶୃତି ଦେଇଥିଲେ। କାର୍ଯ୍ୟକ୍ରମର ସଂଗଠନ ସମ୍ପାଦକ ଓ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ଯ ପ୍ରଫେସର ଗଣେଶ୍ୱର ନାଥ ସୋସାଇଟି ଓ ଆୟୋଜିତ ମହାଧିବେଶନ ବିଷୟରେ ସୁଚନା ଦେବାକୁ ଯାଇ କିପରି ଏହା ଦିର୍ଘ ପାଞ୍ଚ ଦଶନ୍ଧି ଧରି ଶବ୍ଦ ବିଜ୍ଞାନ ଆଧାରରେ ପ୍ରାଣୀ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ସ୍ଥାପତ୍ୟ ଶାସ୍ତ୍ର, ଶବ୍ଦ ପ୍ରଦୂଷଣ, ଭେଷଜ ବିଜ୍ଞାନ, ଅଭି ଯାନ୍ତ୍ରିକୀ, ପରିବେଶ ଶାସ୍ତ୍ର, ଧ୍ୱନି ବିଜ୍ଞାନ, ମନସ୍ତତ୍ତ୍ୱ, ଖଣିଜ ଶାସ୍ତ୍ର ଆଦି ବିଷୟରେ ଗବେଷଣାକୁ କାର୍ଯ୍ଯଶାଳା ଓ ଆଲୋଚନାଚକ୍ର ମାଧ୍ଯମରେ ପରିପୋଷଣ କରିଆସୁଛି ତାହା ବର୍ଣ୍ଣନା କରିଥିଲେ।

ଏହି ତିନି ଦିବସୀୟ କାର୍ଯ୍ଯଶାଳାରେ ପ୍ରାୟ ୨୨ ଜଣ ବିଶେଷ ଆମନ୍ତ୍ରିତ ବକ୍ତବ୍ଯ ଓ ୯୮ ଜଣ ମୌଖିକ ସନ୍ଦର୍ଭ ପ୍ରଦାନ କରିବାର ରହିଛି ଓ ଶତାଧିକ ସନ୍ଦର୍ଭ ପୋଷ୍ଟର ପ୍ରଦର୍ଶନୀରେ ପ୍ରଦର୍ଶିତ ହେବ ବୋଲି ସେ ସୂଚନା ଦେଇଥିଲେ। ଆକଷ୍ଟିକାଲ ସୋସାଇଟି ଅଫ ଇଣ୍ଡିଆର ଉପସଭାପତି ପ୍ରଫେସର ଅଜିସ ଆବ୍ରାହମ ନିଜ ବକ୍ତବ୍ଯରେ ସୋସାଇଟିର ଭବିଷ୍ଯତ କାର୍ଯ୍ୟପନ୍ଥା ବିଷୟରେ ସମ୍ଯକ ସୂଚନା ଦେଇଥିଲେ। ସୋସାଇଟିର ଜର୍ଣ୍ଣାଲ ଶବ୍ଦ ବିଜ୍ଞାନ ସମ୍ବନ୍ଧୀୟ ସାଂପ୍ରତିକ ଗବେଷଣାକୁ ଲକ୍ଷାଧିକ ଗବେଷଣାଙ୍କ ପାଖରେ ପହଞ୍ଚାଇବାରେ ସମର୍ଥ ହୋଇଛି ବୋଲି ସେ କହିଥିଲେ। ସୋସାଇଟି ଏହାର ମୂଳ ଉଦ୍ଦେଶ୍ଯରୁ ବିଚ୍ଯୁତ ହୋଇନାହିଁ ଓ ଗବେଷଣାରେ ଉଚ୍ଚ ମାନଦଣ୍ଡକୁ ସୁନିଶ୍ଚିତ କରିବା ପାଇଁ ପ୍ରୟାସରତ ବେଲି ସେ କହିଥିଲେ। ମୁଖ୍ଯ ଅତିଥି ଓ. ୟୁ. ଟି. ଆର. ର ମାନନୀୟ କୁଳପତି ପ୍ରଫେସର ବିଭୁତି ଭୂଷଣ ବିଶ୍ୱାଳ ନିଜ ବକ୍ତବ୍ଯରେ ଦେଶ ଓ ପ୍ରଦେଶରେ ସାଂପ୍ରତିକ ଗବେଷଣାର ଦିଗ ଓ ଦିଗନ୍ତ ବିଷୟରେ ବିସ୍ତାର ଭାବେ ଆଲୋଚନା କରିଥିଲେ। ରାଜ୍ୟର ବିକାଶରେ ଶିକ୍ଷାବିତ୍ ଓ ଗବେଷକମାନେ ପ୍ରଭାବୀ ଯୋଗଦାନ ଦେଇପାରିଲେ ଯୁଗପୁରୁଷ ବିଜୁବାବୁଙ୍କ ସ୍ୱପ୍ନ ସାକାର ହୋଇପାରିବ ବୋଲି ସେ କହିଥିଲେ। ଏହି ଅବସରରେ ସୋସାଇଟିର ସାଧାରଣ ସଂପାଦକ ଡଃ ମହାବୀର ସିଂହ ଏ ବର୍ଷ ପାଇଁ ପ୍ରଦାନ କରାଯାଇଥିବା ବିଭିନ୍ନ ପୁରସ୍କାର ଓ ସମ୍ମାନ ପାଇବାପାଇଁ ଯୋଗ୍ୟ ବିବେଚିତ ହୋଇଥିବା ସମ୍ବର୍ଦ୍ଧିତ ପ୍ରତିଭାଙ୍କ ନାମ ଘୋଷଣା କରିଥିଲେ। ଧ୍ୱନି ବିଜ୍ଞାନରେ ଶିକ୍ଷା ଓ ଗବେଷଣାକୁ ମହତ୍ତର ଯୋଗଦାନ ପାଇଁ ପ୍ରଫେସର ରିତା ପାଇକରାଏଙ୍କୁ ସୋସାଇଟିର ସର୍ବୋଚ୍ଚ ବିଶେଷ ସେବା ସମ୍ମାନ ପ୍ରଦାନ କରାଯାଇ ଥିଲା।କାର୍ଯ୍ୟକ୍ରମର ଆବାହକ ଡଃ ଭାରତୀ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡଃ ଅମିତ ଚାଟାର୍ଜୀ ଧନ୍ଯବାଦ ଅର୍ପଣ କରିଥିଲେ। ପ୍ରଫେସର ରଇସ ମହମ୍ମଦ ସ୍ମୁତି ବକ୍ତବ୍ଯ ପ୍ରଦାନ କରିଥିଲେ ପ୍ରଫେସର ଅମିତା ଦେବ ଓ ବୀଜ ବକ୍ତବ୍ଯ ରଖିଥିଲେ ପ୍ରଫେସର ରାଓ ମାନେପଲ୍ଲି। ଆଜି ପ୍ରଫେସର ତାଭାନେ,ପ୍ରଫେସର ପିୟୁଷ ରଞ୍ଜନ ଦାସ, ପ୍ରଫେସର ମିଶ୍ର, ପ୍ରଫେସର ରିତା ପାଇକରାଏ, ଡଃ କିର୍ତ୍ତୀ ସୋନି, ଡଃ ବିଶ୍ୱଜିତ୍ ଚକ୍ରବର୍ତ୍ତୀ, ପ୍ରମୁଖ ବିଭିନ୍ନ ସେସନରେ ଅଧ୍ଯକ୍ଷତା କରିଥିଲେ। ସଂଧ୍ଯା ୬ ଘଟିକା ସମୟରେ ସୋସାଇଟିର ସାଧାରଣ ସଭା ଆୟୋଜିତ ହୋଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button